Unknown

 

 

 

 

 

 

 

 

 

 

 

ଜଗଦମ୍ୱା

ଶ୍ରୀ ଧର୍ମାନନ୍ଦ ତ୍ରିପାଠୀ

 

ଉତ୍ସର୍ଗ

 

ମହାମାନ୍ୟବର, କବିତା-କୁମୁଦିନୀ-କଳାକର, ସାହିତ୍ୟ

ସଙ୍ଗୀତ ବିଦ୍ୟାଧର, କବିକୁଳ ସମ୍ବଳ, ଦାନବୀର,

ଜଗଦମ୍ବାର ବରପୁତ୍ର ଲାଞ୍ଜଗଡ଼ାଧୀଶ୍ୱର

ଶ୍ରୀ ମାହେଶ୍ୱରୀପ୍ରସାଦ ଦେବ

ମହୋଦୟ ମହୋଦାର-

ଚରିତେଷୁ

ସବିନୟନିବେଦନମିଦଂ

ରାଜନ୍ !

 

ଆପଣଙ୍କର

ନୀରବ ସାହିତ୍ୟ-

ସେବାରେ ଉତ୍କଳ-ସରସ୍ୱତୀ

ବିମୁଗ୍‌ଧା । ଆପଣଙ୍କର ସାହିତ୍ୟପ୍ରେମ

ବିଦ୍ୟୋତ୍ସାହ ଓ ଅକୃତ୍ରିମ ଉଦାରତା ଉତ୍କଳ

ମଣ୍ଡଳରେ ପ୍ରଖ୍ୟାତ ଓ ପ୍ରଶଂସିତ । ଆପଣଙ୍କର ମାତୃଭକ୍ତି

ଉତ୍କଳ ମଣ୍ଡଳରେ ଅଜ୍ଞାତ ନାହିଁ । ଏଣୁ ‘‘ଜଗଦମ୍ବା’’ ଆପଣଙ୍କର

କର ସରୋଜରେ ସମର୍ପିତ ହେଲା । ଆଶା ପ୍ରତ୍ୟାଖ୍ୟାତ ହେବ ନାହିଁ ।

 

ଭବଦୀୟ କୃପାଭିକ୍ଷୁ

ଶ୍ରୀ ଧର୍ମ୍ମାନନ୍ଦ ତ୍ରିପାଠୀ

Image

 

ଭୂମିକା

 

ପ୍ରିୟ ପାଠକବୃନ୍ଦ !

 

ଜୀବନ ନାଟକର ପ୍ରତ୍ୟେକ ପଟର ପରିବର୍ତ୍ତନ ସକାଶେ କୌଣସି ବିଶେଷ ଘଟନା ଘଟିଥାଏ । କଳାହାଣ୍ଡି ଷ୍ଟେଟର କନିଷ୍ଠା ଜେମାମଣି ଶ୍ରୀମତୀ ସୌଭାଗ୍ୟମଞ୍ଜରୀ ଦେବୀଙ୍କର ଶୁଭ ପରିଣୟୋପଲକ୍ଷେ ଅନେକ ରାଜା ମହାରାଜା ଓ ସମ୍ଭ୍ରାନ୍ତ ବ୍ୟକ୍ତି ନିମନ୍ତ୍ରିତ ହୋଇଥିଲେ । ଏହି ଉପଲକ୍ଷେ କଲିକତାରୁ ପ୍ରଦର୍ଶନ ନିମନ୍ତେ ଚଳଚ୍ଚିତ୍ର ଆନୀତ ହୋଇଥିଲା । ସେଠାରେ ପୁଣ୍ୟଶ୍ଳୋକ ଶ୍ରୀ ଲାଞ୍ଜିଗଡ଼ାଧୀଶ୍ୱର ମଧ୍ୟ ଉପସ୍ଥିତ ଥିଲେ । କଥା ପ୍ରସଙ୍ଗରେ ସେ ଉତ୍ସାହ ପ୍ରଦର୍ଶନ କରି ଓଡ଼ିଆମାନଙ୍କର ସାହିତ୍ୟସେବାରେ ତ୍ରୁଟିପାଇଁ କ୍ଷୋଭ ପ୍ରକାଶପୂର୍ବକ ଆଧୁନିକ ଯୁବକମାନଙ୍କୁ ସମାଲୋଚନା କରିଥିଲେ । ତାଙ୍କର ସେହି ଉତ୍ସାହପୂର୍ଣ୍ଣ ପ୍ରରୋଚନା ବାଣୀ କର୍ଣ୍ଣରେ ଗୁଞ୍ଜିତ ହେଉଥିବା ବେଳେ ଚଳଚ୍ଚିତ୍ର (Talkie)ରେ ‘‘ଦକ୍ଷଯଜ୍ଞ’’ ଅଭିନୟର ପଟୋତ୍ତୋଳନ ହୋଇଥିଲା । ତାଙ୍କର ଉତ୍ସାହବାଣୀରେ ପ୍ରଣୋଦିତ ହୋଇ ମୁଁ ସେହି ଅଭିନୟର ଛାୟାରେ କିଛି ଲେଖିବାକୁ ସଂକଳ୍ପ କରିନେଇଥିଲି । ସେହି ସଂକଳ୍ପର ଫଳ ଆଜି ଆପଣମାନଙ୍କର ସମ୍ମୁଖରେ ଉପସ୍ଥାପିତ ହେଲା ।

 

ଏହା ମୋହର ପ୍ରଥମ ପ୍ରଯତ୍ନ । ଏଥିରେ ତ୍ରୁଟି ଲକ୍ଷିତ ହେବା ସ୍ୱାଭାବିକ; କିନ୍ତୁ ଉଦାର ହୃଦୟମାନଙ୍କର ତ୍ରୁଟି ମାର୍ଜନା କରିବା ନୈସର୍ଗିକ ସ୍ୱଭାବ । ଏଣୁ ଏତାଦୃଶ ନଗଣ୍ୟ କାବ୍ୟ ଅଧ୍ୟୟନରେ ଆଗ୍ରହ ପ୍ରଦର୍ଶନ ଦେଖିଲେ ନିଜକୁ ଚରିତାର୍ଥ ମନେ କରିବି ।

 

ଶେଷରେ ମୋହର ବକ୍ତବ୍ୟ ଏତିକି ଯେ, ରେଭେନ୍‌ସା କଲେଜର ସଂସ୍କୃତ ଅଧ୍ୟାପକ ରାଏ ସାହେବ ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି, ଏମ୍. ଏ. ମହୋଦୟ ପାଣ୍ଡୁଲିପି ପରିଦର୍ଶନ ଏବଂ ପ୍ରୁଫ୍ ସଂଶୋଧନରେ ବହୁ ଶ୍ରମ ସ୍ୱୀକାର କରିଥିବାରୁ ମୁଁ ତାହାଙ୍କ ନିକଟରେ ଚିରକୃତଜ୍ଞତାପାଶରେ ଆବଦ୍ଧ ରହିଲି ।

 

ଶ୍ରୀ ଧର୍ମାନନ୍ଦ ତ୍ରିପାଠୀ, ବି. ଏ.

Image

 

ଅଭିମତ

 

ଶ୍ରୀଯୁକ୍ତ ଧର୍ମ୍ମାନନ୍ଦ ତ୍ରିପାଠୀ, ବି.ଏ.ଙ୍କ କୃତ ‘‘ଜଗଦମ୍ବା’’ କାବ୍ୟ-ପାଠରେ ମୁଁ ଅତ୍ୟନ୍ତ ଆନନ୍ଦ ଲାଭ କରିଅଛି । ଦକ୍ଷଯଜ୍ଞ ଓ ସତୀଙ୍କ ଦେହତ୍ୟାଗ ଏ କାବ୍ୟର କଥାବସ୍ତୁ । କାବ୍ୟ ଆଖ୍ୟା ପାଇଥିଲେହେଁ ଏ କ୍ଷୁଦ୍ରକବିତା ଯୁଗରେ ଏହାର କଳେବର ଦେଖି କାହାରି ଧୈର୍ଯ୍ୟଚ୍ୟୁତି ଘଟିବାର କାରଣ ନାହିଁ । ଏହାର କ୍ଷୁଦ୍ର କଳେବର, ସରସ ରଚନା, ପ୍ରାଞ୍ଜଳ ଭାବ, ସରଳ ଭାଷା ଓ ସର୍ବୋପରି ଆମୂଳାନ୍ତ ସରସ ଅନୁପ୍ରୟାସ ପ୍ରୟୋଗ ଏହାକୁ ଏକ ନିଃଶ୍ୱାସରେ ପଢ଼ିବାର ବହିଟିଏ କରିଦେଇଛି । ଏ ଯୁଗରେ କାବ୍ୟର ସମଧିକ ଆଦର ନଥିଲେହେଁ କ୍ଷୁଦ୍ର କବିତାର ହିଲ୍ଲୋଳ ମଧ୍ୟରେ ଏଭଳି ଖଣ୍ଡିଏ ଖଣ୍ଡିଏ କ୍ଷୁଦ୍ର କାବ୍ୟର ପ୍ରକାଶ କେବଳ କାବ୍ୟାମୋଦୀଙ୍କର ନୁହେ, ସର୍ବଶ୍ରେଣୀର ପାଠକଙ୍କର ଚିତ୍ତବିନୋଦନ କରିପାରିବ ବୋଲି ମୋର ବିଶ୍ୱାସ ।

 

ସହକାର ଅଫିସ

ସ୍ୱାକ୍ଷର

କଟକ

ଶ୍ରୀଯୁକ୍ତ ବାଳକୃଷ୍ଣ କର

୨୧ । ୧୦ । ୩୮

 

Image

 

ଶ୍ରୀଯୁକ୍ତ ଧର୍ମାନନ୍ଦ ତ୍ରିପାଠୀ, ବି.ଏ.ଙ୍କ ପ୍ରଣୀତ ‘‘ଜଗଦମ୍ବା’’ କାବ୍ୟର ପ୍ରୁଫ କପି ପାଠକରି ଆପ୍ୟାୟିତ ହେଲି । ଭାଷାର ଶୈଳୀ ଏବଂ ବିଷୟର ଅବତାରଣା ଲେଖକଙ୍କ ସିଦ୍ଧହସ୍ତତାର ପରିଚୟ ଦେଉଅଛି । କାବ୍ୟର ବିଷୟ ବସ୍ତୁ ପୌରାଣିକ ହୋଇଥିବାରୁ ସାଧାରଣ ପାଠକର ସହଜ ବୋଧ୍ୟ ଏବଂ ଚିତ୍ତାକର୍ଷକ ହୋଇଅଛି । ପୁସ୍ତକଟି ମ୍ୟାଟ୍ରିକୁଲେଶନ୍ ପରୀକ୍ଷାର ପାଠ୍ୟପୁସ୍ତକ ରୂପେ ବ୍ୟବହୃତ ହେବାର ଉପଯୋଗୀ ବୋଲି ମୁଁ ମନେ କରେଁ । ପୁସ୍ତକଟି ଉତ୍କଳ ପାଠକ ସାଧାରଣଙ୍କ ମଧ୍ୟରେ ଆଦୃତ ହେବାର ଦେଖିଲେ ଆନନ୍ଦିତ ହେବି ।

 

୪-୭-୩୯

ଶ୍ରୀ ଲିଙ୍ଗରାଜ ମିଶ୍ର

Image

 

ପ୍ରଥମ ସର୍ଗ

ତ୍ରିମୂର୍ତ୍ତି

 

ନ ଥିଲା ଏ ଧରା ପର୍ବତ-କନ୍ଦରା

ନ ଥିଲା ପାଦପ ଲତା

ନ ଥିଲା ସ୍ଥାବର ଜଙ୍ଗମ ଆବର

ନ ଥିଲା କାହାରି ସତ୍ତା ।

 

ଥିଲା ମହାଶୂନ୍ୟ ନ ଥିଲାଟି ପୁଣ୍ୟ

ନ ଥିଲା ପାପ କାଳିମା

ନ ଥିଲା ମାନବ ସମାଜ-ବିଭବ

ନ ଥିଲା ନୃପଗାରିମା ।

 

ସ୍ୱର୍ଗ ଆଖଣ୍ଡଳ କିବା ଭୂମଣ୍ଡଳ

ନ ଥିଲା କାହାରି ସ୍ଥିତି

ସୁଷମା-ଆକାର ଗ୍ରାମ ନଗରର

ନ ଥିଲାଟି ମୂଳଭିତ୍ତି ।

 

ଚତୁର୍ଦ୍ଦିଗେ ଘନ ତମସାବରଣ

ବ୍ୟାପିଥିଲା ବିଶାଳତା

ଏ ଶୂନ୍ୟ ଗେହରେ ନଶ୍ୱର ଦେହରେ

ନ ଥିଲା କାହାରି ସତ୍ତା ।

 

ଅଜ ସନାତନ ଶାନ୍ତିନିକେତନ

ପରାତ୍ପର ନାରାୟଣ

ସତ ଚିଦାନନ୍ଦ ଭୂମା ଆଦିକନ୍ଦ

ପ୍ରାଣିହିତପରାୟଣ ।

 

ଯୋଗନିଦ୍ରା ଆଶ୍ରି- ଥିଲେ ବ୍ରହ୍ମରାଶି

ସୃଷ୍ଟିରେ ବଳାଇ ମତି

ଶ୍ରୀନାଭିମଣ୍ଡଳେ ପ୍ରଫୁଲ୍ଲ କମଳେ

ବ୍ରହ୍ମାଙ୍କୁ କଲେ ଉତ୍ପତ୍ତି ।

 

ଅନାଦି ପରମ ସନାତନ ବ୍ରହ୍ମ

ସୃଜନ ପାଳନ ଲୟ

ପାଇଁ ରୂପକ୍ରୟ କରିଲେ ଉଦୟ

ତ୍ରିଗୁଣ କରି ଆଶ୍ରୟ ।

 

ରଜୋଗୁଣ ଧରି ନିଜେ ଅଜ ହରି

ବିରାଜିଲେ ବ୍ରହ୍ମାରୂପେ

ପ୍ରସନ୍ନ ବଦନେ ବସି ପଦ୍ମାସନେ

ପଦ୍ମନାଭ ନାଭିକୂପେ ।

 

ନିଖିଳ ସଂସାର ସୃଜନର ଭାର

ବହିଲେ ନିଜ ମସ୍ତକେ

ଧ୍ୟାୟି ସ୍ୱୟଂ ବ୍ରହ୍ମ ଅନାଦି ପରମ

ବସିଲେ ଯୋଡ଼ହସ୍ତକେ ।

 

କମଣ୍ଡଳୁହସ୍ତ ଧରି ବେଦ ଗ୍ରନ୍ଥ

ସୃଷ୍ଟିଲୀଳା ଧ୍ୟାୟି ମନେ

ଆନ ବେନି କର ଯୋଡ଼ି ବେଦବର

ବସିଲେ କମଳାସନେ ।

 

ଆଶ୍ରି ସତ୍ତ୍ୱଗୁଣ ରୂପାନ୍ତର ପୁଣ

ପ୍ରକଟିବେ ବ୍ରହ୍ମରାଶି

କୌଷେୟ ଅମ୍ବର ନୀଳ କଳେବର

ପ୍ରସନ୍ନ ଆସ୍ୟ ପ୍ରକାଶି ।

 

ଦିବ୍ୟତନୁ ପ୍ରଭା ପ୍ରକାଶନ୍ତେ ଶୋଭା

ଅନ୍ଧ ତମ ଗଲା ଲୁଚି

ଶ୍ରବଣ ଯୁଗଳ ମଣ୍ଡିଲା କୁଣ୍ଡଳ

କଟି ପୀତାମ୍ବର ଶୁଚି ।

 

ସୁଷମା ଆଧାର ପୀନ ବକ୍ଷେ ହାର

ଆଜାନୁଲମ୍ବିତ କର

ଗଳେ ବନମାଳା କଟୀରେ ମେଖଳା

ତନୁ ଲାବଣ୍ୟ ସୁନ୍ଦର,

 

ଗଦା-ଚକ୍ର-ଦର ପ୍ରଫୁଲ୍ଲ ପୁଷ୍କର

ମଣ୍ଡିତ ଚତୁର କର

ସୁରଙ୍ଗ ଅଧର ବଦନ ସୁନ୍ଦର

ବେନି ନେତ୍ର ମନୋହର,

 

ସୁକୁଞ୍ଚିତ କେଶ ଅଭିରାମ ବେଶ

ଧରି ବିଜେ ବିଶ୍ୱମ୍ଭର

ଅପୂର୍ବ ମୋହନ ପ୍ରସନ୍ନ ବଦନ

ନବଘନ କଳେବର ।

 

ମସ୍ତକେ କିରୀଟ ରତ୍ନେ ଝଟ ଝଟ

କୋଟିଭାନୁଜିଣାକାନ୍ତି

ବାହୁରେ କେୟୁର ପୟରେ ନେପୁର

ବଦନେ ବିରାଜେ ଶାନ୍ତି ।

 

ଅନୁପମ ବେଶ ଧରି ହୃଷୀକେଶ

ସତ୍ତ୍ୱ-ଭାଗ-ସମନ୍ୱିତ

ହୋଇଯାନ୍ତେ ଉଭା ପ୍ରଜ୍ଜ୍ୱଳିଲା ବିଭା

ବିଶ୍ୱ ହେଲା ଆଲୋକିତ ।

 

ରୂପ ସୌନ୍ଦର୍ଯ୍ୟର ବିକ୍ରମ ଧୈର୍ଯ୍ୟର

ପଟାନ୍ତର ଅବା କାହିଁ

ବିଶ୍ୱବ୍ୟାପୀ ଯେଣୁ ବିଷ୍ଣୁନାମେ ତେଣୁ

ବିଖ୍ୟାତ ଜଗତସାଇଁ ।

 

ପୁଣି ନାରାୟଣ ସଂସାର କାରଣ

ପ୍ରକାଶିଲେ ରୂପାନ୍ତର

ସଂହାର କାରଣ ଅତୀବ ଭୀଷଣ

ନାହିଁ ଯାର ପଟାନ୍ତର ।

 

ହିମ ସମ ଅଙ୍ଗ ପଞ୍ଚ ଉତ୍ତମାଙ୍ଗ

ଜଟାଜୂଟ ସୁଶୋଭିତ

ପଞ୍ଚ ବଦନରେ ରକ୍ତିମା ବର୍ଣ୍ଣରେ

ନେତ୍ରକ୍ରୟ ଉନ୍ମୀଳିତ ।

 

ଭସ୍ମ-ବିଭୂଷିତ ଚନ୍ଦନ-ଚର୍ଚ୍ଚିତ

ତୁହିନାଭ ତନୁବର

ଗଳେ ମୁଣ୍ଡମାଳା ଭାଲେ ଶଶିକଳା

ପୀନ ବକ୍ଷ ଦିଗମ୍ବର,

 

କର ଚତୁଷ୍ଟୟ ବରଦ ଅଭୟ

ପରଶୁ ମୃଗ ଅଙ୍କିତ

ଉନ୍ନତ କୁଠାର ଅତି ତୀକ୍ଷ୍‌ଣ ଧାର

ଦର୍ଶକେ କଲା ଶଙ୍କିତ ।

 

ଭୁଜଙ୍ଗ-ଭୂଷଣ ବିଜିତଦୂଷଣ

ତମୋଗୁଣ ଅବଲମ୍ବି

ଶ୍ମଶାନ-ନିବାସୀ ଶରୀର ପ୍ରକାଶି

ସଂସାରେ ଗଲେ ସମ୍ଭବି ।

 

ପଞ୍ଚଶିରେ କଣ୍ଠେ ପୁଣି କଟୀତଟେ

କରାଳ ଲୋଳ ରସନା

ଦର୍ଶାଇ ଉରଗେ ଶିବ ଶୁଭ୍ର ଅଙ୍ଗେ

କ୍ରୂରତା କଲେ ସୂଚନା ।

 

ରୂପ ମହାକାଳ ଗଳେ ବ୍ୟାଳମାଳ

ଅଙ୍ଗେ ଚିତ୍ର ଚର୍ମାମ୍ବର

ଶିରେ ଜଟାଜୂଟ ଯଥା ଗିରିକୂଟ

ରଜତାଭ କଳେବର ।

 

ଭସ୍ମବିଲେପନ ସିତ ଅପଘନ

ଯୋଗାସନ ଭୀଷ୍ମ ଛବି

ପ୍ରଦର୍ଶାଇ ଶମ୍ଭୁ ପ୍ରକଟିଲେ ପ୍ରଭୁ

ତମୋଗୁଣ ଅବଲମ୍ବି ।

 

ସୃଷ୍ଟି-ସ୍ଥିତି-ଲୟ ଲାଗି ପୁଣ୍ୟମୟ

ରଜସତ୍ତ୍ୱତମୋଗୁଣ

ଆଶ୍ରନ୍ତେ ଈଶ୍ୱର ତିନି କଳେବର

ବିଶ୍ୱେ ପ୍ରକଟିଲା ପୁଣ ।

 

ବ୍ରହ୍ମା ହରିହର ରୂପେ ନିରାକାର

ଜଗତେ ହେଲେ ବିଖ୍ୟାତ

ଶିଶୁକ୍ରୀଡ଼ାଗାର ସରି ଏ ସଂସାର

ସୃଷ୍ଟିଚକ୍ରେ ଆତଯାତ ।

Image

 

ଦ୍ୱିତୀୟ ସର୍ଗ

ଦକ୍ଷ ପ୍ରଜାପତି

 

ବ୍ରହ୍ମା ରୂପେ ହରି ରଜୋଗୁଣ ଧରି

ସୃଷ୍ଟିରେ ବଳାଇ ମନ

ଦଶ ପ୍ରଜାପତି କରିଲେ ଉତ୍ପତ୍ତି

ଚିନ୍ତି ଅଜ ସନାତନ ।

 

ମରୀଚି ପୂଜାର୍ହ, ପୁଲସ୍ତ୍ୟ, ପୁଲହ,

ଅତ୍ରି, କ୍ରତୁ, ଭୃଗୁ, ଦକ୍ଷ,

ଅଙ୍ଗିରା, ବଶିଷ୍ଠ, ପ୍ରଚେତା ବରିଷ୍ଠ

ହୋଇଲେ ପ୍ରଜା-ଅଧ୍ୟକ୍ଷ ।

 

ସଦ୍‌ଗୁଣ-ସଦନ ମରୀଚିନନ୍ଦନ

କଶ୍ୟପ ବିଶ୍ୱେ ବିଖ୍ୟାତ

କଶ୍ୟମଦେ ଭୋଳ- ଯୋଗୁଁ ଋଷିବାଳ

କଶ୍ୟପନାମେ ଆଖ୍ୟାତ ।

 

ଅତ୍ରିନେତ୍ରୋଦ୍ଭବ ସର୍ବବନ୍ଦ୍ୟ ଦେବ

ସୋମ ସର୍ବଗୁଣାଧାର

ଅଙ୍ଗିରାତନୟ ମହାତେଜୋମୟ

ପାବକ ଶୁଚି-ଆଗାର ।

 

ଦଶ ପ୍ରଜାପତି- ମଧ୍ୟେ ଦକ୍ଷ ଅତି

ଦକ୍ଷଙ୍କୁ ଦେଖି ସ୍ୱୟମ୍ଭୁ

ପ୍ରଜାପତି ବର- ପଦେ ବେଦଧର

ବରିଲେ ସଭାରେ ପ୍ରଭୁ ।

 

ପୁଣି ଗୁଣଖଣି ସତୀଶିରୋମଣି

ପତିପ୍ରାଣା କୃଶୋଦରୀ

ପ୍ରସୂତିଙ୍କୁ ଆଣି ପ୍ରଭୁ ବେଦପାଣି

ଦକ୍ଷେ ଦେଲେ ବିଭାକରି ।

 

ବହୁଳ ବିଭବ ଗୁରୁ ଗଉରବ

ଲଭି ସଭାମଧ୍ୟେ ଦକ୍ଷ

ସାଧ୍ୱୀ ଚାରୁଶୀଳା ପ୍ରସୂତି ମହିଳା

ସଙ୍ଗେ ହେଲେ ପ୍ରଜାଧ୍ୟକ୍ଷ ।

 

ଗର୍ବଭରେ ସ୍ଫୀତ ହେଲା ତାଙ୍କ ଚିତ୍ତ

ଲଭି ଏ ମହାସମ୍ମାନ

ଅତୀବ ମଦରେ ମହାଆନନ୍ଦରେ

ଯାପିଲେ ଦିବସମାନ ।

 

ଭାଗ୍ୟବନ୍ତପଣେ ତାଙ୍କଠାରୁ ଜଣେ

ନ ଥିଲେ କେହି ଅଧିକ

ସୌମ୍ୟା ସୁକୁମାରୀ ପତିବ୍ରତା ନାରୀ

ବଢ଼ାଇଲେ ଦକ୍ଷଟେକ ।

 

ସପ୍ତବିଂଶ କନ୍ୟା ରୂପେ ଗୁଣେ ଧନ୍ୟା

ସୋମେ କରନ୍ତେ ପ୍ରଦାନ

କନ୍ୟାଦାନ ବଳେ ଅବନୀମଣ୍ଡଳେ

ଦକ୍ଷ ହେଲେ ଭାଗ୍ୟବାନ ।

 

ସର୍ବଗୁଣଯୁତା ତ୍ରୟୋଦଶ ସୂତା

ମନୋହରା ଯଶସ୍ୱିନୀ

ପ୍ରସୂତିଗରଭେ ସମ୍ଭବିଲେ ଭବେ

ଚାରୁଶୀଳା ମନସ୍ୱିନୀ ।

 

ସୁଗୁଣନିକଷ ସୂତା ତ୍ରୟୋଦଶ

କଶ୍ୟପ ଋଷିପ୍ରବରେ

କରିଲେ ପ୍ରଦାନ ଅତି ଭାଗ୍ୟବାନ

ଦକ୍ଷ ମହାହରଷରେ ।

 

ଦକ୍ଷଙ୍କ ତନୁଜା ସର୍ବଜନପୂଜ୍ୟା

ଅଦିତି ଧର୍ମ୍ମଚାରିଣୀ

ପ୍ରସବିଲେ ସୁତ ସତ୍ତ୍ୱଗୁଣଯୁତ

କଶ୍ୟପ-ମନୋହାରିଣୀ ।

 

ମଘବା ବରୁଣ ମିତ୍ରଦେବ ପୁଣ

ଦ୍ୱାଦଶ ଅଦିତି ସୁତେ

ସତ୍ତ୍ୱଗୁଣାଧାର ଥିବାରୁ ଅପାର

ବନ୍ଦ୍ୟ ହେଲେ ସର୍ବଭୂତେ ।

 

ଋଷିଔରସରେ ଦିତି ହରଷରେ

ପ୍ରସବିଲେ ଦୈତ୍ୟଗଣ

ବିମାତାକୁମର ସଙ୍ଗରେ ତାଙ୍କର

ବୈରଭାବ ଅନୁକ୍ଷଣ ।

 

ତମୋଗୁଣବଳେ ଏହି ଧରାତଳେ

ସମ୍ଭବି ଦିତିତନୟ

ସତ୍ତ୍ୱଗୁଣାଧାର ଅଦିତିକୁମାର

ଗଣରେ କଲେ ଅଥୟ ।

 

ପତିପଦ ସେବି ସାଧ୍ୱୀ ଦିତିଦେବୀ

ପ୍ରସବିଲେ ବରସୂତ

ଅଦିତି ପୁତ୍ରର ହୋଇ ମିତ୍ରବର

ନାମ ଧରିଲେମାରୁତ ।

 

ବିନତା ସୁନ୍ଦରୀ ଚାରୁ କୃଶୋଦରୀ

ଅରୁଣସୁପର୍ଣ୍ଣମାତା

ହୈମସୌଦାମିନୀ- ବରଣା ଭାମିନୀ

ମହୀମଧ୍ୟେ ହେଲେ ଖ୍ୟାତା ।

 

ଋଷିମନୋହରା କଦ୍ରୁ ନାରୀବରା

ପ୍ରସବିଲେ ଅହିକୁଳ

ପଶୁ ପକ୍ଷୀଭରା ଆବର ଏ ଧରା

ପ୍ରାଣିଗଣରେ ସଂକୁଳ ।

 

ବିଶ୍ୱ ଚରାଚର ସର୍ବ ଜୀବଙ୍କର

ଦକ୍ଷସୁତା ହେଲେ ମାତା

ତେଣୁ ଦକ୍ଷ ବୀର ସକଳ ମହୀର

ହୋଇଲେ ଭାଗ୍ୟବିଧାତା ।

 

ଯେଣୁ ମାତାମହ ସମ୍ମାନ ଅରହ

ଦେବେ ବନ୍ଦିଲେ ଚରଣ

ସକଳ ସ୍ଥାନରେ ଗୁରୁର ଜ୍ଞାନରେ

ଦକ୍ଷଙ୍କୁ କଲେ ବରଣ ।

 

ସର୍ବ ପିତା ଦକ୍ଷ ସର୍ବ ଭୂତାଧ୍ୟକ୍ଷ

ହେତୁରୁ ସାରା ସଂସାରେ

ତାଙ୍କ ଗର୍ବ ସୀମା ଅଚିନ୍ତ୍ୟ ମହିମା

ବଢ଼ିଲା ବିନା ବାଧାରେ ।

 

ନିଶ୍ଚିନ୍ତ ନିଃଶଙ୍କ ହୋଇ ସଦା ଦକ୍ଷ

ବସିଲେ ଛାତି ଫୁଲାଇ

ଗର୍ବିତ ସ୍ୱଭାବ ହୃଦେ ପାଇ ଠାବ

ରଖିଲା ତାଙ୍କୁ ଭୁଲାଇ ।

 

ସର୍ବତ୍ର ବଡ଼ିମା ମହତ୍ତ୍ୱ ଗରିମା

ଦେଖାଇଲେ ମଦଭରେ

ଏ ସାରା ସୃଷ୍ଟିରେ ତାହାଙ୍କ ଦୃଷ୍ଟିରେ

ନ ଥିଲା କେ ଅଧିକରେ ।

 

ଦକ୍ଷସୀମାନ୍ତିନୀ କାନ୍ତାନୁବର୍ତ୍ତିନୀ

ସତୀ ସୁଶୀଳା ସୁଧୀରା

ପତିଙ୍କ ଗରବେ ନିରଙ୍କୁଶ ଭାବେ

ଦୁଃଖିତା ସେ ନାରୀହୀରା ।

 

ବଲ୍ଲଭ ପୟର ସେବି ରାମାବର

କାଟୁଥିଲେ ଦିନରାତି

ଅଚଳା ଭକ୍ତିରେ କୋମଳ ଉକ୍ତିରେ

ସ୍ୱବଶେ ଆଣି ଅରାତି ।

 

ଶିବଙ୍କ ପୟରେ ଅତି ବିନୟରେ

କରୁଥିଲେ ଆରାଧନା

ଶିବ ସେବକର ପ୍ରକ୍ଷାଳି ପୟର

କରୁଥିଲେ ସଂବର୍ଦ୍ଧନା ।

 

ସତୀ ଶିରୋମଣି ହୃଦ ପଟେ ପୁଣି

ଆଙ୍କିଲେ ପୁଣ୍ୟ ବାସନା

‘‘ନିତ୍ୟ ଅବିନାଶୀ ଶିବ ପଦେ ଦାସୀ

ହେଉ ମୋର ଏକ କନ୍ୟା ।’’

 

ପୋଷି ଏହି କାମ ଘୋଷି ଶିବ ନାମ

ପୂଜୁଥିଲେ ସେ ଶଙ୍କର

ଶଶାଙ୍କ-ଶେଖର ସିତକଳେବର

ସର୍ବକାଳେ କ୍ଷେମଙ୍କର ।

 

ସୁଦିବ୍ୟ ଭାବନା କରିଣ ଲଳନା

ବସିଗଲେ ଅର୍ଦ୍ଧରାତ୍ରେ

‘‘ବାଞ୍ଛା ପୂର୍ଣ୍ଣ କରୁ ଶିବ କଳ୍ପତରୁ’’

ଘୋଷି ପୁଲକିତ ଗାତ୍ରେ ।

 

ଶୁଭ ବାମନେତ୍ର ଦକ୍ଷଙ୍କ କଳତ୍ର

ଦେଖିବାରୁ ସ୍ଫୁରିବାର

ଭାବିଲେ ମନରେ ଏ ଦୀନ-ହୀନରେ

ହର କୃପାପାରାବାର ।

 

କଲେ କି କରୁଣା, ମୋର ଦୁଃଖ ଊଣା

ହେବ କି ସତେ ଏଥର ?

କରି ଶିବ ପୂଜା ପାଇବି ତନୁଜା

ସକଳ ଗୁଣଆକର ।

 

ସତେ ମୋ ନନ୍ଦିନୀ ହୃଦ ବିନୋଦିନୀ

ହୋଇବ ହରଘରଣୀ

ସତେ ମୋ ମାନସ- ଫୁଲ୍ଲ ତାମରସ

ଦେଖିବ ଶିବତରଣି ?

 

ଏକାନ୍ତ କାମନା କରିଣ ଲଳନା

ଶୋଇଲେ ସ୍ୱର୍ଣ୍ଣ ପଲଙ୍କେ

ଦେଖିଲେ ସ୍ୱପନ ରମଣୀ-ରତନ

ନିଶାବସାନେ ପୁଲକେ ।

 

ଅତି କମନୀୟ ଦିବ୍ୟ ବିଭାମୟ

ଜ୍ୟୋତି ସ୍ୱର୍ଗ-ଧାମୁଁ ଖସି

ଦିଗ ଆଲୋକିତ କରିଣ ତ୍ୱରିତ

ତାଙ୍କ ଗର୍ଭେ ଗଲା ପଶି ।

 

ଶଙ୍ଖ ହୁଳହୁଳି ପଡ଼ିଲା ଉଚ୍ଛୁଳି

ଖସନ୍ତେ ସେ ଜ୍ୟୋତୀରେଖା

ଯୋଡ଼ ହସ୍ତେ ତହିଁ ଋଷି ଛନ୍ତି ରହି

ଦେବେ ତଥା ଦେଲେ ଦେଖା ।

 

ଜୟ ହର ହର ନିନାଦେ ସତ୍ୱର

ଚତୁର୍ଦ୍ଦିଗ ଗଲା ଭରି

ଦେଖି ଏ ସ୍ୱପନ ଉପେକ୍ଷି ଶୟନ

ଉଠିଲେ ଦକ୍ଷସୁନ୍ଦରୀ ।

 

ବାମ ଭୂରୁ ନେତ୍ର ତାଙ୍କ ବାମ ଗାତ୍ର

ସ୍ଫୁରିଲା ତ ଘନ ଘନ

ତନୁ ରୋମାଞ୍ଚିତ ମୁଖ ଉଲ୍ଲସିତ

ପ୍ରଫୁଲ୍ଲ ହୋଇଲା ମନ ।

 

ଚାରୁ ସୁହାସିନୀ ମଧୁର ଭାଷିଣୀ

ଦକ୍ଷ ଧର୍ମ୍ମ-ପତ୍ନୀ ଧନୀ

ଭାବିଲେ ମନର ହେଲି ମୁଁ ଏଥର

ଜଗତ ଅମ୍ବା ଜନନୀ ।

 

ହୃଦ ଗଦଗଦେ ଶିବଶିବା ପଦେ

କରି କୋଟି ନମସ୍କାର

ଭାବିଲେ ଶଙ୍କର- ପ୍ରସାଦେ ତାଙ୍କର

ମିଳିଗଲା ପୁରସ୍କାର ।

 

ପତିପଦେ ଶିର ରଖି ମୃଦୁ ଗିର

ଭାଷିଲେ ଦକ୍ଷକାମିନୀ

‘‘ଭୋ ନାଥ ! ସ୍ୱପନେ ଶୋଭନ ଲପନେ

ଦେଖିଲି ହରଭାମିନୀ ।

 

ଜଗଦମ୍ବା ପୂତା ହୋଇ ତୁମ୍ଭ ସୁତା

ପଶିଲେ ମୋର ଗରଭେ

ଜଗତେ ସୁଧନ୍ୟା ହେବ ଏହି କନ୍ୟା

ନାଚଇ ମନ ଗରବେ ।’’

 

ଶୁଣି ଏହି ପୂତ ବାଣୀ ବ୍ରହ୍ମାସୁତ

କହିଲେ, ‘‘ଶୁଣ ସୁନ୍ଦରି,

ଯଦି ଏହି ଗର୍ଭେ ତନୟା ସମ୍ଭବେ

ଶିବେ ଦେବା ବିଭା କରି ।

 

ମାତ୍ର ସେ ଶ୍ମଶାନ- ନିବାସୀ ଈଶାନ

ଭୂଷଣେ ଭୁଜଙ୍ଗ ପ୍ରିୟ

ସଦା ଦିଗମ୍ବର, ନୋହେ ଯୋଗ୍ୟ ବର

କି କରି ବରିବ ଝିଅ ?

 

ଏ କଥା ନିଷ୍ପତ୍ତି ହେବ ପ୍ରିୟବତି !

ଆସିବ ଯେବେ ସେ କାଳ

ହେଉ ଯାହା ହେବ ପଛେ ଦେଖାଯିବ’’

କହିଲେ ଦକ୍ଷ ଭୂପାଳ ।

 

ଏ ବଚନ ଶୁଣି ହୋଇଗଲେ ତୁନି

ଦକ୍ଷପତ୍ନୀ ପତିବ୍ରତା

ଅପ୍ରିୟ କଥାରେ କେବେହେଁ ବୃଥାରେ

ଦେଖାନ୍ତି ନାହିଁ ଉଗ୍ରତା ।

 

ଶୁଣି ପତିକଣ୍ଠୁ ଅତି ଶ୍ରୁତିକଟୁ

ବଚନ ଦକ୍ଷଭାମିନୀ

ନ ଦେଇ ଉତ୍ତର ଧ୍ୟାୟି ଶିବାହର

ଯାପିଲେ ଦିନଯାମିନୀ ।

Image

 

ତୃତୀୟ ସର୍ଗ

ଜଗଦମ୍ୱା ଜନ୍ମ

 

ଚିର ଯଶସ୍ୱିନୀ ମହା-ମନସ୍ୱିନୀ

ଦକ୍ଷ-ଦୟିତା ସୁନ୍ଦରୀ

ସଂସାର ପାବନୀ ଜଗତ ଜନନୀ

ରଖିଲେ ଗରଭେ ଧରି ।

 

ଉତ୍ତରୁ ଉତ୍ତର ପ୍ରଜାପତି ବର

ହୋଇଲେ ବିଭବଶାଳୀ

ତ୍ୟଜିଲା କୀରତି ବେଳୁଁ ବେଳ ଅତି

ନଭେ ଯଥା ଅଂଶୁମାଳୀ ।

 

ଦକ୍ଷଙ୍କ ପ୍ରତାପ ବଢ଼ିଲା ଅମାପ

ହେଲେ ସର୍ବଲୋକେ ଧନ୍ୟ

ତିନି ଭୁବନରେ ଗୁରୁ ସମ୍ମାନରେ

ଦକ୍ଷ ହେଲେ ଅଗ୍ରଗଣ୍ୟ ।

 

ଏକେ ଦକ୍ଷଜାୟା ଅଭିରାମ-କାୟା

ତହିଁରେ ଖେଳେ ଲାବଣ୍ୟ

ଲପନ-ସୁଷମା ଅତି ଅନୁପମା

ରାଜିଲା ହୋଇ ପ୍ରସନ୍ନ ।

 

ମଳୟ ସମୀର ବହି ଧୀର ଧୀର

ନଚାଇଲା ବନଗିରି

ଚଉଦିଗ ଶୋଭା ହୋଇ ମନୋଲୋଭା

ଖେଳିଲା ସର୍ବତ୍ର ଶିରି ।

 

ପକ୍ୱଶାଳୀଭର ବସୁଧା ସତ୍ୱର

ନଭ ମଞ୍ଜୁଳେ ରାଜିଲା

ହେଲା ସର୍ବଧରା ସୌନ୍ଦର୍ଯ୍ୟ ପସରା

ସ୍ୱର୍ଗେ ଦୁନ୍ଦୁଭି ବାଜିଲା ।

 

ହେଲା ପୁଷ୍ପବୃଷ୍ଟି ମହୀ ମହାତୁଷ୍ଟି

ଲଭି ଜାଗିଲା ସରସେ

ଜଳ ସ୍ଥଳ ନଭ ସାଜି ବେଶ ନବ

ନାଚିଲା ମହା ହରଷେ ।

 

ବନଗିରି ଲତା ଲଭି ପ୍ରଫୁଲ୍ଲତା

ବାସ ଦେଲେ ଚହଟାଇ

ଜଗତେ ସୁଶିରି ବେଳୁ ବେଳ ପୂରି

ଅଶୁଭ ଦେଲା ହଟାଇ ।

 

ଭ୍ରମର ଗୁଞ୍ଜନ କୋକିଳ କୁଜନ

ମଧୁରେ ଶ୍ରୁତି ରଞ୍ଜିଲା

କୋମଳ ଚନ୍ଦ୍ରିକା କଲ୍ଲୋଳେ ରସିକା

ସାରା ମେଦିନୀ ମଜ୍ଜିଲା ।

 

ପଲ୍ଲୀସୀମନ୍ତିନୀ ଚିତ୍ତସନ୍ତୋଷିଣୀ

ଗୀତିକା ଗାନରେ ଭୋଳ

ସରସୀ ମଧ୍ୟରେ ସରୋଜେ ଭ୍ରମରେ

ବିହିଲେ ଗୁଞ୍ଜନ-ରୋଳ ।

 

ମୁଗ୍‌ଧା ମନୋରମା ଯୁବତୀ ଉତ୍ତମା

ମୋହିଲେ ମାନସ ଗାନେ

ପାଦପରେ ବସି ପୁଷ୍ପେ ମଧୁବର୍ଷୀ

ଶୋଭିଲେ ପତ୍ରବିତାନେ ।

 

ବିହଙ୍ଗମ-ଦଳେ କାକଳିର ଛଳେ

ଗାଇଲେ ସ୍ତବ-ମାଳିକା

ସୁନୀଳ ଗଗନେ ଚାହିଁ ହୃଷ୍ଟ ମନେ

ନାଚିଲେ ସୌମ୍ୟା ବାଳିକା ।

 

ଘୁଞ୍ଚିଗଲା ରୋଗ ସର୍ବବିଧ ଭୋଗ

ଅନ୍ନପୂର୍ଣ୍ଣା ଦେଲେ ଆଣି

ଅକାଳ ମୃତ୍ୟୁର ଭୟ କରି ଦୂର

ସୁଖେ ବିହରିଲେ ପ୍ରାଣୀ ।

 

ସର୍ବ-ଶସ୍ୟଭରା ହୋଇଗଲା ଧରା

ଦୂର ହେଲା ଶୋକତାପ

ଧର୍ମ୍ମର ରାଜତ୍ୱ ବଢ଼ିଲା ମହତ୍ତ୍ୱ

ଅପସରିଗଲା ପାପ ।

 

ଉଲ୍ଲାମେ ଅବନୀ ପୂରିଲା ପାବନୀ

ଭବାନୀ ଦେବୀର ବରେ

ଭକ୍ତି ଶ୍ରଦ୍ଧା କ୍ଷାନ୍ତି ଦୟା ପ୍ରେମ ଶାନ୍ତି

ବିରାଜିଲା ଏ ଭବରେ ।

 

କାମ କ୍ରୋଧ ଲୋଭ ମାୟା ମୋହ ଦମ୍ଭ

ଉଭେଇଗଲା ବିଶ୍ୱରେ

ଦିବ୍ୟ ଭାବେ ମଗ୍ନ ହେଲା ପ୍ରାଣିମନ

ଏ ଭବେ ଦେହ ନଶ୍ୱରେ ।

 

ଶିବପଦ ସେବି ଅନ୍ନପୂର୍ଣ୍ଣା ଦେବୀ

ଗର୍ଭେ ଧରି ଦକ୍ଷରାଣୀ

ଅଦ୍ଭୁତ ଐଶ୍ୱର୍ଯ୍ୟ ଘଟନା ଆଶ୍ଚର୍ଯ୍ୟ

ବିଶ୍ୱେ ଘଟାଇଲେ ଆଣି ।

 

ସମ୍ପଦଶାଳିନୀ ହେଲା ଏ ଅବନୀ

ହେବେ ବୋଲି ଅବତାର

ଅନ୍ନପୂର୍ଣ୍ଣା ମାତା ସର୍ବ-ବିଶ୍ୱଖ୍ୟାତା

ସରବ ଦେବତା ସାର ।

 

ଶୁଭ ଲଗ୍ନ ବେଳେ ଶୁଭ ଗ୍ରହମେଳେ

ସର୍ବଶୁଭା ଶୁଭଙ୍କରୀ

ଶୁଭ-ବିଜେ କଲେ ଶୁଭ ଧରାତଳେ

ଶୋଭନା ଦେବୀ ଶଙ୍କରୀ ।

 

ସୁମନ ବୃଷ୍ଟିରେ ସୁମନତୁଷ୍ଟିରେ

ସୁମନା କଲେ ଜୁହାର

ସୁମନସ୍ୱିଗଣେ ବେଦ ଉଚ୍ଚାରଣେ

ଆଶିଷିଲେ ବାରମ୍ବାର ।

 

କରି ବେଦଧ୍ୱନି ଦ୍ୱିଜ ଋଷି ମୁନି

ଅନଳେ ଦେଲେ ଆହୁତି

ଦକ୍ଷିଣେ ପ୍ରଖର- ଶିଖେ ବୈଶ୍ୱାନର

ସୂଚିଲେ ଶୁଭ ପ୍ରସୂତି ।

 

ଦେବାଳୟ ମାନ କମ୍ବୁଧ୍ୱନି ଗାନ

ନିନାଦେ ଗଲା ଉଚ୍ଛୁଳି

ସାଧ୍ୱୀ ଦେବାଙ୍ଗନା ମାନବ ଲଳନା

ଦେଲେ ସର୍ବେ ହୁଳହୁଳି ।

 

ସୁରଭି ସୁମନ ହେଲା ଉନ୍ମୀଳନ

ସୌରଭ ବିତରି ରଙ୍ଗେ

ବହିଲା ମୃଦୁଳ ମଳୟ ଅନିଳ

ରଞ୍ଜିଣ ପରାଗ ଅଙ୍ଗେ ।

 

ପକ୍ୱ ଫଳଭର ରମ୍ଭା ତରୁବର

ଦ୍ୱାରେ ଦ୍ୱାରେ ଗଲା ରାଜି

ପ୍ରତିଦ୍ୱାରେ ମନ- ତୋଷେ ପୁରଜନ

ପୂର୍ଣ୍ଣକୁମ୍ଭ ଦେଲେ ସାଜି ।

 

କୌଶେୟବସନା ସୃଭ୍ରୂ ବରାଙ୍ଗନା

ଦକ୍ଷପୁରେ ହେଲେ ରୁଣ୍ଡ

କେ କାହା ଉପରେ ଢାଳେ ମୋଦଭରେ

ଫଗୁଜଳ କୁଣ୍ଡ କୁଣ୍ଡ ।

 

ଅଞ୍ଜଳିରେ ଭରି ଲାଜା ବୃଷ୍ଟିକରି

ଦର୍ଶାଉଛନ୍ତି ଉନ୍ମାଦ

ବିବିଧ ବାଦିତ୍ର ନାଦେ ନିନାଦିତ

ଦକ୍ଷ ନୃପତି ପ୍ରାସାଦ ।

 

ସୂତିକା ଆବାସେ ସୁଶୋଭନ ଆସ୍ୟେ

ରାଜନ୍ତି ଦକ୍ଷନନ୍ଦିନୀ

ସୁକନକ କାନ୍ତି ସୂଚିଦିଏ ଶାନ୍ତି

ଜନନେତ୍ର ବିନୋଦିନୀ ।

 

ସୁନ୍ଦର ରୂପର ନାହିଁ ପଟାନ୍ତର

ନିଜେ ନିଜର ତୁଳନା

ଅତି ଦିବ୍ୟ ରୂପ ଦେଖି ଦକ୍ଷଭୂପ

କରି ନପାରି କଳନା ।

 

ଭାବିଲେ ମନରେ ଏ ମୋ ସଦନରେ

ଜନ୍ମିଲେ କି ବରା ଦେବୀ ?

ହେବି ମୁହିଁ ପୂତ କଲ୍ୟାଣ ବହୁତ

ଲଭିବି କଲ୍ୟାଣୀ ସେବି ।

 

ପୁଣି ମନେ ଗର୍ବ ହୋଇ ସମୁଦ୍ଭବ

କରିଦେଲା ଦକ୍ଷେ ଅନ୍ଧ

ଯେସନ ପ୍ରାବୃଟେ ତଟିନୀ ସ୍ୱତଟେ

ନ ମାନଇ ବାଲିବନ୍ଧ ।

 

ଭାବିଲେ ନୃପତି ଏ ମୋର ସନ୍ତତି

ଯେବେ ଜଗଦମ୍ବା ଜାତ

ମୁହିଁ କିପାଁ ଧନ୍ୟ ନୁହେ ଅଗ୍ରଗଣ୍ୟ

ନିଖିଳ ବିଶ୍ୱେ ବିଖ୍ୟାତ ?

 

ହୋରିଖେଳ ଲୀଳା ସାରି ପ୍ରେମଶୀଳା

ନାରୀଏ ଗଲେ ଆବାସେ

ରତ୍ନ ଆଭରଣ କରି ବିତରଣ

ଦକ୍ଷ ଗଲେ ପତ୍ନୀ ପାଶେ ।

 

ସୂତିକା କରମ କରି ସମାପନ

ପୁଚ୍ଛିଲେ ଜ୍ୟୋତିଷିଗଣ

କନ୍ୟାର ଭବିଷ୍ୟ କି କହେ ଜ୍ୟୋତିଷ

କରି ଦିଅ ନିରୂପଣ ।

 

ସକଳ ଗଣନା କରି ମହାମନା

ଭୃଗୁ ଜ୍ୟୋତିଷିପ୍ରବର

ଭାଷିଲେ ଏସନ ଶୁଣ ହେ ରାଜନ

ଏହି ତନୟା ତୁମ୍ଭର ।

 

ସତୀ-ନାରୀହୀରା ହେବେ ଅତି ଧୀରା

ସକଳ ହିତକାରିଣୀ

ସର୍ବ-ଜନ-ବନ୍ଦ୍ୟା ଗୁଣରେ ଅନିନ୍ଦ୍ୟା

ବଲ୍ଲଭମନୋହାରିଣୀ ।

 

ପିତାର କଷଣ ଏତିକି ଦୂଷଣ

ଦେଖୁଛି ଏହି କୋଷ୍ଠୀରେ

ଅଳ୍ପାୟୁରେ ଜାଣ ପତିପ୍ରାଣା ପ୍ରାଣ

ତେଜିବେ ଜନଗୋଷ୍ଠୀରେ ।

 

ସର୍ବ ଭୋଗ ତେଜି ପତିସୁଖ ହେଜି

ବର୍ଜିବେ ଦିବ୍ୟ ଭୂଷଣ

ଏହାଙ୍କ ମରଣେ ସଭାସଦଗଣେ

ଘଟିବ ଘୋର କଷଣ ।

 

ମୋ ବାମ ଲୋଚନ କରୁଛି ନର୍ତ୍ତନ

ନିଶ୍ଚୟ ମୋ ଉପାଲମ୍ଭ

ହେବ ଏହା ପାଇଁ ସନ୍ଦେହ ତ ନାହିଁ

ଶୁଣ ହେ ନୃପପୁଙ୍ଗବ ।

 

ଶୁଣି ଏହି ବାଣୀ ଦକ୍ଷ ନୃପ ଜ୍ଞାନୀ

ମନରେ ମହା ଅଶାନ୍ତି

ଲଭନ୍ତେ ଚଞ୍ଚଳ, ଚିନ୍ତା ଅମଙ୍ଗଳ

ଦୂର କଲା କନ୍ୟା କାନ୍ତି ।

 

ଶୋଭନ ଶ୍ରୀମୁଖ ଆଣି ଦିବ୍ୟ ସୁଖ

ଦକ୍ଷଦୁଃଖ କଲା ଦୂର

ମହା ମହୋତ୍ସବେ ଅପୂର୍ବ ବିଭବେ

ପୂର୍ଣ୍ଣହେଲା ଦକ୍ଷପୁର ।

 

ଅବଶ୍ୟଟି ଯାହା ଘଟିବଟି ତାହା

କି ହେବ ବୃଥା ଭାବିଲେ

ଏହା ହୃଦେ ଧ୍ୟାଇ ଦକ୍ଷ ନରସାଇଁ

ମହୋତ୍ସବ ଭିଆଇଲେ ।

 

ତନୟା ଶ୍ରୀମୁଖ ଦେଖି ମନୋଦୁଃଖ

ଦୂରକଲେ ଦକ୍ଷରାଜା

ନଗର ପ୍ରାନ୍ତରେ ମାରଗ ମଧ୍ୟରେ

ବାଜିଲା ବିବିଧ ବାଜା ।

 

ମାତୃପ୍ରାଣସମା କୁମାରୀ ଉତ୍ତମା

ବଢ଼ିଲେ ସୂତିକାଗାରେ

ଦୟା, କ୍ଷମା, ଶାନ୍ତି, ଗୁଣ, ରୂପକାନ୍ତି

ଆଶ୍ରିଗଲା ଏକାଧାରେ ।

 

ଯଶସ୍ୱୀ ମନସ୍ୱୀ ନାରଦ ତପସ୍ୱୀ

ନାମକରଣ ଦିବସେ

‘‘ଜଗଦମ୍ବା ସତୀ’’ ନାମ ଦେଇ ଯତି

ଫେରିଲେ ମହା ହରଷେ ।

 

କ୍ରମେ ରାଜକନ୍ୟା ଜଗଦ୍ଧାତ୍ରୀ ଧନ୍ୟା

ବଢ଼ିଲେ ଦକ୍ଷସଦନେ

ସିତ ପକ୍ଷେ ଶଶୀ ଯଥା ନିଶି ନିଶି

ବଢ଼ଇ ନୀଳ ଗଗନେ ।

 

ଋିଦ୍ଧି ସିଦ୍ଧି ଆସି ହୋଇ ପଦେ ଦାସୀ

ଖଟିଲେ ସତୀଙ୍କୁ ସଦା

ସତୀଙ୍କ ଅମଳ ବଦନକମଳ

ଦିଦୃକ୍ଷୁ ଦେବପ୍ରମଦା ।

 

ପରିଚାରିକାର ବହି କାର୍ଯ୍ୟଭାର

ଆଶ୍ରିଲେ ଦକ୍ଷସଦନ

ଅଣିମାଦି ନିଧି ଖଟି ଯଥାବିଧି

ମଣିଲେ ନିଜକୁ ଧନ୍ୟ ।

Image

 

ଚତୁର୍ଥ ସର୍ଗ

(ପୌଗଣ୍ଡ)

 

ଜଗତ ଜନନୀ ସତୀଶିରୋମଣି

ଅନ୍ନପୂର୍ଣ୍ଣା ଦେବୀହୀରା

ଅତିକ୍ରମି ବାଲ୍ୟ ପଉଗଣ୍ଡ କାଳ

ଲଭିଲେ କୁମାରୀ ଧୀରା ।

 

କ୍ରମରେ ସୁଷମା ହୋଇ ନିରୁପମା

ଚାରୁ ଅଙ୍ଗେ ପ୍ରକଟିଲା

ସତେକି ସ୍ତବକ ପ୍ରସୂନକୋରକ

ମନ୍ଦେ ମନ୍ଦେ ପ୍ରସ୍ଫୁଟିଲା ।

 

ଦିବ୍ୟ ଶିରି ଭୂରି ପ୍ରକାଶି ମାଧୁରୀ

ବିକଶିଲା ସର୍ବ ଅଙ୍ଗେ

ନାଚିଗଲା ଆଭା ପ୍ରଜ୍ୱଳିତ ପ୍ରଭା

ସତୀ ଲୋଚନ ତରଙ୍ଗେ ।

 

ଦିବ୍ୟ ରୂପକାନ୍ତି ଦିବ୍ୟ ମୁଖ ଶାନ୍ତି

ଦେଖି ଜନନୀ ଜନକ

କାହିଁ ଯୋଗ୍ୟ ବର ମିଳିବ ସୁନ୍ଦର

ଭାବି ହେଲେ ଦକ ଦକ ।

 

ସକଳ ନୟନ- କାରା ସମ୍ମୋହନ

ସେ ଛବି ବାଳ ମିହିର

ଦେଖି ଜ୍ୟୋତି ଅତି ସଉମ୍ୟ ମୂରତି

ସର୍ବେ ନମ୍ର କଲେ ଶିର ।

 

କି ଅପୂର୍ବ ଶୋଭା କୃଷ୍ଣ କେଶ ଗଭା

ବିସାରି ଦେଲା ମସ୍ତକେ

ଷଟ୍‌ପଦ-ଆବଳି ଲଗାଇଲେ ଅଳି

ବସିଣ କେଶ ସ୍ତବକେ ।

 

ଦିବ୍ୟ ଜ୍ୟୋତି ଆସି ମୁଖ-ଶୋଭାରାଶ

କରିଦେଲା ଝକ ଝକ

ଯୋଜନ-ଗନ୍ଧାର ଅଧର ମନ୍ଦାର

ହୋଇଲା ମୁଖରଞ୍ଜକ ।

 

ଦିବ୍ୟ ମୁଖଗନ୍ଧ ଲଭି ଅନୁବନ୍ଧ

ମଧୁପେ କଲେ ଗୁଞ୍ଜନ

ଏଣୀନୟନାର ସୁଷମା ଅପାର

ବଢ଼ାଇ ଦେଲା ଅଞ୍ଜନ ।

 

କପାଳେ ସିନ୍ଦୂର ରକ୍ତିମା ବିନ୍ଦୁର

ଶୋଭା ଯଥା ବାଳ ରବି

ରାଜୁଛି ଅମଳ ପ୍ରଫୁଲ୍ଲ କମଳ-

ମଧ୍ୟେ ନିହି ରକ୍ତଛବି ।

 

ଶ୍ରବଣେ କନକ କୁଣ୍ଡଳର ଜକ

ଅଙ୍ଗ ଆଭାରେ ମଳିନ

ବଢ଼ାଇଲା ଅତି ଜନ ମନେ ଭକ୍ତି

ସୁନ୍ଦର ମୁଖ ନଳିନ ।

 

ସୁନ୍ଦରବଦନା ଡାଳିମ୍ବରଦନା

ମୁକୁତା-ରତ୍ନ-ମଣ୍ଡିତା

ଗୁରୁଜନଭକ୍ତା ମାତୃ-ଅନୁରକ୍ତା

ସକଳ-ଶାସ୍ତ୍ର-ପଣ୍ଡିତା ।

 

ଚାଲନ୍ତେ ସଧୀରେ ସଲଜ୍ଜେ ମହୀରେ

ଉଲ୍ଲସିଉଠେ ଧରଣୀ

ଦେଖି ଦିବ୍ୟ ଶୋଭା ସମୁଜ୍ଜ୍ୱଳ ପ୍ରଭା

ଲାଜ ଭଜିଲେ ତରଣି ।

 

ଗଳେ ସ୍ୱର୍ଣ୍ଣମାଳା କଟୀରେ ମେଖଳା

କରେ କନକ କଙ୍କଣ

କନକ-ତାଟକ ବଳୟ ହାଟକ

କଣ୍ଠେ ହାର ସୁବରଣ,

 

ପୟରେ ନୂପୁର ମଞ୍ଜୀର ମଞ୍ଜୁଳ

ବଢ଼ାଇଲା ଦେବୀ ଶୋଭା

ଭକ୍ତିରେ ଦର୍ଶକେ ଶରୀର ପୁଲକେ

ହେଲେ ଦେବୀ ପଦ ଲୋଭା ।

 

ସ୍ୱଭାବେ ଆରକ୍ତ ଲକ୍ଷଣଶ୍ରୀଯୁକ୍ତ

ଦେବୀର ବେନିପୟର

ଅଲକ୍ତକ ସଙ୍ଗେ ଶୋଭନ ସୁରଙ୍ଗେ

ହୋଇଲା ମଙ୍ଗଳ ଘର ।

 

ଶ୍ରୀକର-ପଲ୍ଲବ ଶୋଭା ଅଭିନତ

ମଞ୍ଜିଷ୍ଠା ରଙ୍ଗରୁ ବଳି

ଅଙ୍ଗୁରୀୟାବଳି ସଙ୍ଗତେ ଅଙ୍ଗୁଳି

ଦିଶେ ଯଥା ଚମ୍ପାକଳୀ ।

 

ତଥିପରେ ନଖ ଦିଶେ ଜକ ଜକ

ସତେ କି ରଜତେ ଗଢ଼ା ?

ଅଭୟ ବରଦ କର-କୋକନଦ

ଆଶ୍ରିତ-ସନ୍ତାପଛଡ଼ା ।

 

ହୃଦୟ ରୋଚନ କୋମଳ ବଚନ

ଶୁଣନ୍ତେ ଶ୍ରବଣ ପୂତ

ନବ କିଶୋରୀର ଅପୂର୍ବ ଶରୀର

ଦେଖି ହୃଷ୍ଟ ବ୍ରହ୍ମାସୁତ ।

 

ମନରେ ବିଚାର କଲେ ବାରମ୍ବାର

କରି ସ୍ୱୟମ୍ବର ସଭା

ସୁଯୋଗ୍ୟ ପାତ୍ରରେ ଦେବେ ଅକାତରେ

ତନୟା ତଡ଼ିତ-ପ୍ରଭା ।

 

ସଦା ସତୀ ଧନୀ ବାସର ରଜନୀ

ଧ୍ୟାୟୁଥାନ୍ତି ଶିବ ପଦ

ଶିବ ତାଙ୍କ ଜପ ଶିବ ତାଙ୍କ ତପ

ଶିବହିଁ ଶାନ୍ତି ଆସ୍ପଦ ।

 

ଶିବନାମ ଗୁଣି ବସନ୍ତି ତରୁଣୀ

ରୋମାଞ୍ଚିତ କଳେବରେ

ଶିବଭକ୍ତ ଦେଖି ସକଳ ଉପେକ୍ଷି

ପୂଜନ୍ତି ଭକତିଭରେ ।

 

ଶିବନାମେ ତାଙ୍କ ଶ୍ରୀମୁଖ-ଶଶାଙ୍କ

ହେଉଥାଏ ଉଦ୍ଦୀପିତ

ଶିବନିନ୍ଦା ଥରେ ଶ୍ରବଣ ପଥରେ

ଆସିଲେ ଆସ୍ୟ କୁପିତ ।

 

ଶିବଙ୍କ ପୂଜନ- କାର୍ଯ୍ୟରେ ମଜ୍ଜନ

କରନ୍ତି ନିଜକୁ ବାଳା

ଶିବନାମେ ରତି ଶଙ୍କରେ ଆରତି

କରି ସମର୍ପନ୍ତି ମାଳା ।

 

ଶୟନେ ସ୍ୱପନେ କିବା ଜାଗରଣେ

ଶିବପଦ ଏକା ଧ୍ୟାନ

ଶିବ ବିନା ସର୍ବ ଐଶ୍ୱର୍ଯ୍ୟ ବିଭବ

ଅଶିବ ବୋଲିଣ ଜ୍ଞାନ ।

 

ଜନହୀନ ସ୍ଥାନେ ବସନ୍ତି ମଉନେ

ଚିନ୍ତି ଶିବ ଶିବମୂର୍ତ୍ତି

ଶିବ ଧ୍ୟାନ ମଗ୍ନା ହୋଇ ବରାଙ୍ଗନା

ତୁଚ୍ଛନ୍ତି ଭବବିଭୂତି ।

 

ଜଗତ ଅସତ୍ୟ ଶିବ ଏକା ସତ୍ୟ

ଶିବ ବିନା ଏ ସଂସାର

ଅତି ଅସୁନ୍ଦର ଅମଙ୍ଗଳ ଘର

ମାୟାଜଡ଼ିତ ଅସାର ।

 

ସଦା ଶିବମୟ ଏ ବିଶ୍ୱନିଳୟ

ଦେଖୁଥାନ୍ତି ସତୀମଣି

ଶିବ ଜଳ ସ୍ଥଳ ଏ ନଭୋମଣ୍ଡଳ

ଶିବହିଁ ପଣ୍ୟବିପଣୀ ।

 

ଶିବ ପିତା ମାତା ଗୁରୁ ଜ୍ଞାନଦାତା

ଶିବହିଁ ପ୍ରାଣବଲ୍ଲଭ

ପୃଥ୍ୱୀ ବାୟୁରାଶି ସର୍ବତ୍ର ପ୍ରକାଶି-

ଅଛି ଶଙ୍କର ବିଭବ ।

 

ବଂ ବଂ ହର ହର ଶଶାଙ୍କଶେଖର

ଶ୍ରୀ ଶଙ୍କର କ୍ଷେମଙ୍କର

ତ୍ରିତାପ-ମୋଚନ ଦେବ ତ୍ରିଲୋଚନ

ସକଳ ଗୁଣ-ଆକର ।

 

ହୃଦେ ଏହା ଗୁଣି ସେ ନବ ତରୁଣୀ

କରୁଥାନ୍ତି ଶିବପୂଜା

ଶିବ ବିନା ବିଶ୍ୱ ଅଟେ ମହାବିଷ

ଭାବନ୍ତି ଦକ୍ଷ ତନୁଜା

 

ଶିବନିନ୍ଦା ଥରେ ଶ୍ରବଣ ପଥରେ

ପଶିଲେ ଛାଡ଼ିବେ ପ୍ରାଣ

ଅଜ୍ଞାନ ମୁଖର ଶିବନିନ୍ଦୁକର

ନ ଚାହିଁବେ ମୁଖ ଜାଣ ।

 

ଏ ଭୀଷଣ ପଣ କରି ଦେବୀ ପୁଣ

ଶିବ ରାଜୀବପୟରେ

ନିଜ ମନଃପ୍ରାଣ କଲେ ସମର୍ପଣ

ଭକ୍ତିପୂର୍ଣ୍ଣ ହୃଦୟରେ ।

 

ଶିବଙ୍କୁ ମାନସେ ମହାପ୍ରେମବଶେ

ବରିଲେ ବଲ୍ଲଭକରି

ତକ୍ଷଣେ ତାଙ୍କର ବାମ ନେତ୍ର କର

ସ୍ପନ୍ଦିଲା ପୁଲକେ ଭରି ।

 

ଡାକିଲେ ହେ ଦେବ ଚରାଚରସେବ୍ୟ

ତୁମ୍ଭ ଚରଣଯୁଗଳ

ସେବାରେ ମୋ କର ଲାଗୁ ନିରନ୍ତର

କାମନା କର ସଫଳ ।

 

ତୁମ୍ଭ ପଦରେଣୁ ଅତି ପୂତ ଯେଣୁ

ଶିର ମୋର ସଦା ବହୁ

ସର୍ବ ସୁଖଧାମ ତବ ପୁଣ୍ୟ ନାମ

ମୋର ହୃଦେ ସଦା ରହୁ ।

 

ତୁମ୍ଭ ନାମ ଧରି ରସନା ମୋହରି

ହେଉଥାଉ ନିତ୍ୟ ପୂତ

ତୁମ୍ଭ ମୁଖପଦ୍ମ ହେଉ ନେତ୍ରସଦ୍ମ

ଭକ୍ତିରେ ଚିତ୍ତ ଆପ୍ଳୁତ ।

 

ଚରଣ ମୋହର ଚାଲୁ ନିରନ୍ତର

ତୁମ୍ଭ ସେବାର କାରଣ

ତୁମ୍ଭ ପଦେ ଦାସୀ ହୋଇ ଅବିନାଶୀ

ରହିଥାଏ ଆମରଣ ।

 

ସତୀର ବିନୀତ ଅନୁନୟେ ପ୍ରୀତ

ହୋଇ ସେ ପ୍ରକୃତି-ରାଣୀ

କାକଳୀ ନିନାଦେ ଭାଷିଲେ ଅହ୍ଳାଦେ

‘‘ଏବମସ୍ତୁ’’ ଇତି ବାଣୀ ।

 

ବାମ ନେତ୍ର ବାହୁ ସ୍ଫୁରି ମୁହୁର୍ମୁହୁଃ

ସୂଚିଲା ଭାବୀ ମଙ୍ଗଳ

ଭାବିଲେ ସୁନ୍ଦରୀ ପକ୍ୱବିମ୍ବାଧରୀ

ବାସନା ହେବ ସଫଳ ।

 

ସଦନେ ପ୍ରବେଶି ଘନନୀଳକେଶୀ

ଶୁଣିଲେ ନାରଦ ଋଷି

‘‘ସତ୍ୟ ନିକେତନ ଅଜ ସନାତନ’’

ଗାଉଛନ୍ତି ପ୍ରେମେ ରସି ।

 

ବରେଣ୍ୟ ତପସ୍ୱୀ ନାରଦ ମହର୍ଷି

ମୁଖେ ଧରି ହରିନାମ

ହସ୍ତେ ଅଛି ବୀଣା କର୍ଣ୍ଣମନକିଣା

ମିଳିଗଲେ ଦକ୍ଷ ଧାମ

 

ଦେଖି ଦକ୍ଷ ରାଜା କରି ପାଦ ପୂଜା

ନେଇ ଗଲେ ସ୍ୱମନ୍ଦିରେ

ଅନ୍ତଃପୁରେ ଆଣି ଯୋଡ଼ି ବେନି ପାଣି

କହିଲେ ବଚନ ଧୀରେ ।

 

ସନ୍ତତ ଚିନ୍ତିତ ଅତୀବ ବ୍ୟଥିତ

କନ୍ୟାଯୋଗ୍ୟ ବର ପାଇଁ

ନେତ୍ରବିନୋଦିନୀ ଏ ମୋର ନନ୍ଦିନୀ

କାହାରେ ଦେବି ଗୋସାଇଁ !

 

ଦକ୍ଷର ଘରଣୀ ସହ ଦାକ୍ଷାୟଣୀ

କଲେ ଋଷିଙ୍କୁ ପ୍ରଣାମ

କରି ବେଦଧ୍ୱନି ଆଶିଷିଲେ ମୁନି

ପୂର୍ଣ୍ଣ ହେଉ ମନସ୍କାମ ।

 

ନାରଦଙ୍କ ବାଣୀ ଦକ୍ଷଜେମା ଶୁଣି

ଲଭିଲେ ପରମାନନ୍ଦ

ଲପନ ସର୍ବଥା ଶୋଭିଗଲା ଯଥା

ଶାରଦୀୟ ପୂର୍ଣ୍ଣଚନ୍ଦ୍ର ।

 

ମନେ ମନେ ସତୀ ଚିନ୍ତି ପଶୁପତି

ଭାବିଲେ ଋଷିବଚନ

କରନ୍ତୁ ସଫଳ ଗୀର୍ବାଣ ସକଳ

ଆନ ନୋହୁ କଦାଚନ ।

 

ସୁତା-ସୁହାଗିନୀ ସତୀର ଜନନୀ

କହିଲେ ଯୋଡ଼ିଣ ହସ୍ତ

ସର୍ବଜନ ପୂଜ୍ୟା ନିଜର ତନୁଜା

ଜନ୍ମ ବୃତ୍ତାନ୍ତ ସମସ୍ତ ।

 

କରିଲେ କାମନା ମରାଳଗମନା

ଶିବ ପୂଜି ଅନୁକ୍ଷଣ

ହେଲେ ମୋ ଦୁହିତା ଶଙ୍କର-ଦୟିତା

କରିବି ଏ ମୋର ପଣ ।

 

ଦେଖିଲେ ସ୍ୱପନେ ଶୋଭନ ଲପନେ

ସ୍ୱର୍ଗୁ ଖସି ଜ୍ୟୋତିର୍ମୟୀ

ପଶନ୍ତେ ଗରଭେ ଦେବର୍ଷି ସରବେ

ଜୟ ହର ଥିଲେ କହି ।

 

କମନୀୟା କନ୍ୟା ହେବ ଅତି ଧନ୍ୟା

ହର କଲେ ପରିଗ୍ରହ

ଅନ୍ୟଥା ବିଚାର ମନରେ ସଞ୍ଚାର

କଲେ ଘଟିବ ନିଗ୍ରହ ।

 

ରାଣୀ ବାଣୀ ଶୁଣି ଦକ୍ଷ ମନେ ପୁଣି

ଆସିଲା ଘୋର ବିକାର

ବୋଇଲେ ନୃପତି ‘‘କାହିଁ ସୁତା ସତୀ

କାହିଁ ଶିବ କଦାକାର ?

 

ପଛେ ଏ କୁମାରୀ ପକାଇବି ମାରି

ନ ଦେବି ଅଯୋଗ୍ୟ ବରେ

କନ୍ୟାଯୋଗ୍ୟ ବର ନ ଅଟନ୍ତି ହର’’

କହେ ଦକ୍ଷ ଗର୍ବଭରେ ।

 

ଏ ପରୁଷ ବାଣୀ ଶୁଣି ଦକ୍ଷରାଣୀ

ହୋଇଗଲେ ନିରୁତ୍ତର

କର୍ଣ୍ଣେ ଦେଇ କର ସ୍ମରିଣ ଶଙ୍କର

ସତୀ ଗଲେ ସ୍ଥାନାନ୍ତର ।

 

ନୀତିବିଶାରଦ ମହର୍ଷି ନାରଦ

ମଉନେ ତହୁଁ ନିଷ୍ପୃହେ

ବାହୁଡ଼ନ୍ତେ ଦକ୍ଷ ପରଜା ଅଧ୍ୟକ୍ଷ

ପ୍ରବେଶିଲେ ସଭା-ଗୃହେ ।

 

ତହିଁ ପ୍ରଜାପତି ମତ୍ତଚିତ୍ତେ ଅତି

କରିବସିଲେ ବିଚାର

ତନୟା ବିବାହ ନିମନ୍ତେ ଉତ୍ସାହ

ସଭାରେ କରି ପ୍ରଚାର ।

Image

 

ପଞ୍ଚମ ସର୍ଗ

(ଦୂତ ପ୍ରେରଣ)

 

ପତି ରୁକ୍ଷ ବାଣୀ ଶୁଣି ଦକ୍ଷରାଣୀ

ପାଇଲେ ମନରେ ପୀଡ଼ା

ଦେବ ତ୍ରିଲୋଚନ- ପ୍ରତି ଦୁର୍ବଚନ

ଜନ୍ମାଇଲା ଦୁଃଖ ବ୍ରୀଡ଼ା ।

 

ଜଗତବନ୍ଦିତ ଲୋକେ ଅନିନ୍ଦିତ

ଦେବଦେବ ମହେଶ୍ୱର

ସଂସାର କରତା ଅଶୁଭହରତା

ଅଟନ୍ତି ପ୍ରଭୁ ଶଙ୍କର ।

 

ତାଙ୍କ ନିନ୍ଦା-ବାଣୀ ବଦନରେ ଆଣି

ଅର୍ଜ୍ଜୁଛନ୍ତି ମହାପାପ

ଶିବ ମୋ ପତିଙ୍କି ଦେଇ ସୁମତିକି

ନାଶନ୍ତୁ ଶୋକ ସନ୍ତାପ ।

 

ସତେ ଅଧରମେ ମୋ ସ୍ୱାମୀ କରମେ

ବିଧାତା ହେଲେଣି ବାମ

ହର ନିନ୍ଦା ଥରେ ଶ୍ରୁତିର ପଥରେ

ଆସିବା ଅଶୁଭ-ଧାମ ।

 

ଅତ୍ୟନ୍ତ ଚିନ୍ତିତା ହୋଇ ଅନିନ୍ଦିତା

ବସିଗଲା ମନୋଦୁଃଖେ

ବିଶ୍ୱବନ୍ଦନୀୟା ଆତ୍ମୀୟ ତନୟା

ମିଳିଲେ ମଳିନ ମୁଖେ ।

 

ସୁତନୁ ନଳିନ- ବଦନ ମଳିନ

ଦେଖିଣ ଦକ୍ଷଦୟିତା

ହୋଇଲେ ବିମନା ଚାରୁ ଚନ୍ଦ୍ରାନନା

ଦୁହିତା ଦୁଃଖେ ଦୁଃଖିତା ।

 

ସନ୍ତାନ-ବତ୍ସଳା ମାତା ଚାରୁଶୀଳା

କହିଲେ ସଧୀରେ ଗିର

‘‘ଚିନ୍ତା ମା ନ କର ପେଷିବି ନିକର

ଦ୍ୱିଜବରରେ ଅଚିର,

 

ଯାଇ କଇଳାସ ପଶୁପତି ପାଶ

ନିବେଦିବେ ଅନୁରୋଧ

ସଭା ସ୍ୱୟମ୍ବର ମଣ୍ଡିବେ ଶଙ୍କର

ମନକୁ କର ଗୋ ବୋଧ ।

 

ସ୍ୱୟମ୍ବର ସଭା ବିକଶିବ ବିଭା

ଯେବେ ଆସିବେ ଈଶାନ

ଶିବ ବିନା ସଭା ହେବ ହୀନପ୍ରଭା

ଦିଶିବ ଯେହ୍ନେ ଶ୍ମଶାନ ।’’

 

ବୋଧନ୍ତେ ଜନନୀ ସୁଶିଳା ନନ୍ଦିନୀ

ଲଭିଲେ ମନରେ ଶାନ୍ତି

ପର୍ବ-ଶର୍ବରୀଶ- ଆସ୍ୟେ ମନ୍ଦହାସ

ଖେଳିଲା ବିସ୍ତାରି କାନ୍ତି ।

 

ଜନନୀ ଅଙ୍କରେ ସ୍ୱର୍ଣ୍ଣ ପର୍ଯ୍ୟଙ୍କରେ

ବସିଲେ ସତୀ-ଲଲାମ

ସୁଆଗିଲେ କରେ ମାତା ପୁଲକରେ

ମୁଖ ସର୍ବଶୋଭାଧାମ ।

 

ପୁରୋଧାଙ୍କୁ ଆଣି ଯୋଡ଼ି ବେନି ପାଣି

କହିଲେ ଦକ୍ଷଙ୍କ ଯୋଷା

ବିପ୍ର ଆରାଧନା କରି ସମ୍ବର୍ଦ୍ଧନା

ପତିବ୍ରତା-ଶିରୋଭୂଷା ।

 

‘‘ଯାଅ କଇଳାସ ପଶୁପତି ପାଶ

କରଯୋଡ଼ି ଏ ବିନତି

କରିବ ଭୂସୁର, ନ କରି ଉଛୁର

ବିଜେହେବେ ଏ ବସତି ।

 

ସୁରମ୍ୟ ବିତାନ ଯୋଗେ ଶୋଭମାନ

ସ୍ୱୟମ୍ବର ବେଦିକାରେ

ବିଜେ ହେଲେ ହର ହେବ ମୋ ନଗର

ପବିତ୍ର ସର୍ବ ପ୍ରକାରେ ।

 

ଚାରୁ-ଚନ୍ଦ୍ରାତପ- ମଣ୍ଡିତ ମଣ୍ଡପ

ସୁଷମା ଯିବ ପ୍ରକଟି

ସଭାଗୃହେ ସୁଖେ କୃପାବ୍ୟଞ୍ଜି ମୁଖେ

ବିଜୟ କଲେ ଧୂର୍ଜଟି ।

 

ତ୍ରିପୁର-ଅନ୍ତକ ତ୍ରିତାପ-ଘାତକ

କରୁଣା-ବରୁଣାଳୟ

ଭଗବାନ ଅଜ ଦେଇ ପଦରଜ

ଶୋଧିବେ ସଭା-ନିଳୟ ।

 

ସୁତନୁ ତନୟା ମଙ୍ଗଳ-ନିଳୟା

ଶିବେ ସମର୍ପିଛି ପ୍ରାଣ

ତାର ଜୀବ ଯିବ ନ ଆସିଲେ ଶିବ

ନାହିଁ ଅନ୍ୟ ପରିତ୍ରାଣ ।

 

ଲଭିଲେ ମରଣ କନ୍ୟା ମୋ, ବ୍ରାହ୍ମଣ !

ମୁଁ ମଧ୍ୟ ମରିବି ଝୁରି

ନାରୀହତ୍ୟା ଦୋଷେ ଶିବ ଅପଯଶେ

ତିନିଲୋକ ଯିବ ପୂରି ।’’

 

ପ୍ରବୋଧି ଏସନ ଭୂଷଣ ବସନ

ଦ୍ୱିଜକୁ ଦେଲେ ବଢ଼ାଇ

ଅନ୍ତଃପୁରୁ ରାଣୀ କିଛି ଦୂର ଆଣି

ମାର୍ଗକୁ ଦେଲେ କଢ଼ାଇ ।

 

ମହାନନ୍ଦେ ଦାଣ୍ଡେ ବିପ୍ରବର ଚାଣ୍ଡେ

ହୋଇଲେ କ୍ଷିପ୍ରଗତିକ

ମଙ୍ଗଳ ଆସ୍ପଦ ସ୍ମରି ଶିବପଦ

ତେଜିଲେ ଚିନ୍ତା ଭୌତିକ ।

 

ଗମନ୍ତେ ପୁରୋଧା ଶ୍ରାନ୍ତି କ୍ଷୁଧାବାଧା

ନ ଆଶ୍ରିଲା ତାଙ୍କୁ ପଥେ

ସଦା ସୁପ୍ରସନ୍ନ ଶିବାସ୍ୟ ଦର୍ଶନ-

ବାସନା ଚରିତ ଅର୍ଥେ ।

 

‘‘ଧନ୍ୟ ହେବି ଆଜ ଦେଖି ଦେବରାଜ

ଏ ପାପ ନୟନେ ମୋର

ସକଳ ଦୂରିତ ଖଣ୍ଡିବି ତ୍ୱରିତ

ପ୍ରବେଶି ମହେଶପୁର ।

 

ସର୍ବଥା ଶୁଭଦ ତ୍ରିପୁରାରି ପଦ

କରିବି ମୁଁ ଆରାଧନା

ଅଭୟ ବରଦ କର କୋକନଦ

କରିବ ହିତ ସାଧନା ।

 

ଏ ପାପ ନୟନ ହୋଇଯିବ ଧନ୍ୟ

ଦେଖି ଶିବ ସିତତନୁ

ଦୁଶ୍ଚିନ୍ତା ସର୍ବଥା ବୃଥା ମନୋବ୍ୟଥା

ଦୂର ହେବ ମୋର ମନୁ ।

 

ଧନ୍ୟ ମୋ ଜନମ ଧରମ କରମ

ଧନ୍ୟ ଜନନୀ ପିଅର

ଧନ୍ୟ ମୋର କୁଳ ସୌଭାଗ୍ୟ ଅତୁଳ

ଧନ୍ୟ ଜୀବନ ମୋହର ।’’

 

ଏହା ଚିନ୍ତି ମନେ ପ୍ରସନ୍ନ ବଦନେ

ଗଲେ ବିପ୍ର ତ୍ୱରାକରି

କିପରି କୈଳାସ- ପାବନ ଆବାସ

ଦେଖିବେ ନୟନ ଭରି ।

 

ପଥେ ଅବସାଦ କିମ୍ବା ପରମାଦ

ନ ଲଭି ବିପ୍ର ହର୍ଷରେ

ପ୍ରବଳ ଉତ୍ସାହେ ସୁକୁଶଳ କାୟେ

ପ୍ରବେଶିଲେ କୈଳାସରେ ।

 

ସଦା ପୂତନୀରା ନୀରଜେ ରୁଚିରା

ମନ୍ଦ ସ୍ରୋତେ ମନ୍ଦାକିନୀ

ନଚାଇ ସଲୀଳ- ହିଲ୍ଲୋଳ କଲ୍ଲୋଳ

ଦ୍ୱିଜମନ ନେଲା କିଣି ।

 

ରମ୍ୟ କୁସୁମିତ ସୁମନଶୋଭିତ

ବନ, ଗିରି, ଲତା, କୁଞ୍ଜ

ସୌରଭ ବିତରି ଜନମନ ହରି

ଦର୍ଶାଉଛି ଶୋଭାପୁଞ୍ଜ ।

 

କୋକିଳ କୁଜନ ମଧୂପ ଗୁଞ୍ଜନ

ହୋଇଛି ଶ୍ରୁତିରଞ୍ଜନ

ମଳୟ ଅନିଳ ମୃଦୁଳ ହିଲ୍ଲୋଳ-

ବ୍ୟାଜରେ ଚାଳେ ବ୍ୟଜନ ।

 

ପ୍ରକୃତିର ଶୋଭା ଜନ ମନୋଲୋଭା

ହୋଇଛି ଚଉଦିଗରେ

ସୁଷମା ସୁନ୍ଦରୀ ନବ ବେଶ ଧରି

ବିରାଜୁଛନ୍ତି ନଗରେ ।

 

ସୁବାସେ ରୁଚିର ମୃଦୁଳ ସମୀର

ପ୍ରସୂନ ପରାଗ ଧରି

ଶାନ୍ତିର ଆଧାର ହୋଇ ସୁଧାଧାର

ଦେଉଛି ନଗେ ବିତରି ।

 

ଷଟ୍‌ପଦ-ସଂକୁଳ ହୋଇଣ ବକୁଳ

ଦିଏ ମକରନ୍ଦ ଢାଳି

ହୃଦୟହାରକ କନକ କୋରକ-

ସୁଶୋଭିତା ଦିଗ ଆଳୀ ।

 

ସୌନ୍ଦର୍ଯ୍ୟ ଦର୍ଶାଇ ଚିତ୍ତ ଉଲୁସାଇ

ଦେଉଛନ୍ତି ଦର୍ଶକର

ଜବାତରୁଶ୍ରେଣୀ ଆରକ୍ତକ ବେଣୀ-

ଭୂଷଣେ ଶୋଭା ଆକର ।

 

ମଲ୍ଲିକା ସୁମନ ଉତ୍‌ଫୁଲ୍ଲ ବଦନ

ଦେଖାଇ ବାୟୁହିଲ୍ଲୋଳେ

ନାଚୁଛି ସଧୀରେ ପଦ୍ମ ସରସୀରେ

ଢଳୁଛି ଜଳ କଲ୍ଲୋଳେ ।

 

ଜାଇ ଯୁଇ ମଲ୍ଲୀ ନିଆଳୀ ଚାମେଲି

ଶୋଭାରେ ପାଦପକୁଳ

ନୀଳ କୁନ୍ତଳିନୀ ନକ୍ଷତ୍ରମାଳିନୀ

ନଭଶୋଭା ସଙ୍ଗେ ତୁଳ ।

 

ଆରକ୍ତ ପଲ୍ଲବ ରକ୍ତ ପୁଷ୍ପ ନବ

ସ୍ତବକେ ତରୁ ବଞ୍ଜୁଳ

ସୁରଙ୍ଗ-ବସନା ଗୌରୀ ବରାଙ୍ଗନା-

ଶୋଭା ଧରିଛି ମଞ୍ଜୁଳ ।

 

ସୌରଭ-ଆଧାର ରଜନୀଗନ୍ଧାର

ସୁବାସେ ହୃଦ ପୁଲକେ

ଶଣ ପୀତାମ୍ବର- ଶୋଭୀ କଳେବର

ଦେଖାଇ ଶୋଭେ କୋରକେ ।

 

ଶରୀର ଶ୍ୟାମଳ ସୁନୀଳ କୁନ୍ତଳ

ଶୋଭାରେ ଅପରାଜିତା

ହୋଇ ଶୋଭାବତୀ ଚିତ୍ତ ତୋଷେ ଅତି

ଯଥା ନାୟିକା ଲଜ୍ଜିତା ।

 

ରକ୍ତ ନୀଳ ପୀତ ଫେନନିଭ ସିତ-

ବିତାନ ପ୍ରକୃତି ରାଣୀ

ମନେ ମହୋଲ୍ଲାସ ଭରି କଇଳାସ

ଅଙ୍ଗେ ଆବରିଛି ଆଣି ।

 

କାକଳୀ ମଧୁର ନାଦରେ ବନ୍ଧୁର

ଗିରି ପଡୁଛି ଉଛୁଳି

ସ୍ୱର୍ଗେ ବିଦ୍ୟାଧରୀ ଅମର ସୁନ୍ଦରୀ

ଦେଉଛନ୍ତି ହୁଳହୁଳି ।

 

ଶ୍ୱାପଦ ଆକୀର୍ଣ୍ଣ କନ୍ଦର ସଂକୀର୍ଣ୍ଣ

ହେଉଅଛି ନିନାଦିତ

କୈଳାସ ଭୂଧର ହୋଇଛି ସୁନ୍ଦର

ସକଳ-ଜନ-ବନ୍ଦିତ ।

 

ହିଂସା ଭାବ ଭୁଲି ଏଣେ ତେଣେ ବୁଲି

ଭ୍ରମନ୍ତି ଶ୍ୱାପଦକୁଳ

ହର୍ଯ୍ୟକ୍ଷ ସଙ୍ଗରେ ବିବିଧ ରଙ୍ଗରେ

ଶଶକ କରୁଛି ଖେଳ ।

 

ହର ପ୍ରଭାବରେ ସେହି ନଗରରେ

ଏକତ୍ର ପ୍ରାଣୀଏ ବୁଲି

ଏକ ଜଳାଧାରେ ପିଅନ୍ତି ଶ୍ରଦ୍ଧାରେ

ବୈରଭାବ ସଦା ଭୁଲି ।

 

ମାର୍ଜ୍ଜାର ସହିତ ଇନ୍ଦୁରର ନୃତ୍ୟ

ବ୍ୟାଘ୍ର ସଙ୍ଗେ ଖେଳେ ଅଜା

ମହାନନ୍ଦେ ହସି ସିଂହ ପରେ ବସି

ଶଶକ ହୋଇଛି ରଜା ।

 

ରୁଦ୍ରଦେବ-ଧାମ ନେତ୍ର ଅଭିରାମ

ହୋଇଛି ସର୍ବ ପ୍ରକାରେ

ସର୍ବ ପ୍ରାଣିକୁଳ ନ ହୋଇ ଆକୁଳ

ଚରନ୍ତି ବିନା ଶଙ୍କାରେ ।

 

ହୋଇ ଯୋଡ଼ହସ୍ତ ମହର୍ଷି ସମସ୍ତ

କରୁଛନ୍ତି ବେଦଧ୍ୱନି

‘‘ହେ ଶିବ ଶଙ୍କର ମହତ ସୁନ୍ଦର’’

ମୁଖେ ଉଚ୍ଚାରନ୍ତି ମୁନି ।

 

ସ୍ୱର୍ଗୀୟ ମାଧୁରୀ ଦିବ୍ୟ ଶିରି ପୂରି

ରହିଛି ଶଇଳ ବରେ

ମର୍ତ୍ତ୍ୟ-ସ୍ୱର୍ଗଧାମ ନୟନାଭିରାମ

ହୋଇଛି ଧରା ଉପରେ ।

 

ସ୍ୱର୍ଗୀୟ ବିଭୂତି ଦିବ୍ୟ ଅନୁଭୂତି

ଜାଗିଲା ବ୍ରାହ୍ମଣମନେ

ଚିତ୍ତେ ବାରମ୍ବାର କରି ନମସ୍କାର

ଗଲେ ଶଙ୍କରସଦନେ ।

 

ପଥେ ପୁଚ୍ଛ ଟେକି ନାଚୁଥିଲେ କେକୀ

ଦେଖିଲେ ସେ ବିପ୍ରବର

ରତନ ଆକର ଶଇଳ ଶିଖର

ତେଜରେ ଯଥା ଭାସ୍କର ।

 

କାହିଁ ନଭଶ୍ଚୁମ୍ବୀ କୂଟ ଅବଲମ୍ବି

ଶୋଭୁଛି ବାରିଦମାଳା

କାହିଁ ବାରିଧାରା- ବକ୍ଷେ ନେତ୍ରକାରା

ଇନ୍ଦ୍ରଧନୁ କରେ ଖେଳା ।

 

କାହିଁ ସମୁନ୍ନତ ଶିଖର ଆନତ

ଅମ୍ବୁଧାରା ଅତି ସ୍ୱଚ୍ଛ

ସୁରାଙ୍ଗନା ଅଙ୍ଗ- ରାଗରେ ସୁରଙ୍ଗ

ଦିଶେ କାହିଁ ଅମ୍ବୁଉତ୍ସ ।

 

ନୟନରଞ୍ଜନ ବିଷାଦଭଞ୍ଜନ

କୈଳାସ ସୁଷମା ସୁଧା-

ପାନେ ଦ୍ୱିଜ-ମନ ହୋଇଲା ମଗନ

ଚିନ୍ତା ଦୃଶ୍ୟରାଜିମୁଗ୍‌ଧା ।

 

ଅତି ଅଦଭୁତ ଦୃଶ୍ୟେ ସ୍ତମ୍ଭୀଭୂତ

ଯେଣୁ ସେ ବିପ୍ରପ୍ରବର

ସୌନ୍ଦର୍ଯ୍ୟ ନିରେଖି ଆଖି ଗଲା ଲାଖି

ନ ହୋଇଲେ ଅଗ୍ରସର ।

 

ସୁଷମା ହିଲ୍ଲୋଳ ଭାବନା-କଲ୍ଲୋଳ

ନଚାଇଲା ସରାଗରେ

ଏ ସମୟେ ଶାନ୍ତି- ପ୍ରଦାୟିନୀ କାନ୍ତି

ରାଜିଲା ଆସି ଆଗରେ ।

 

ଅସ୍ତାଚଳେ ରବି ସୁଲୋହିତ ଛବି

ହେଲା ନୟନରଞ୍ଜିକା

ସତେ କି ବାରୁଣୀ ସୁନ୍ଦରୀ ତରୁଣୀ

ଲଲାଟେ ସିନ୍ଦୂର ଟୀକା ।

 

ବିଚିତ୍ରବସନ । ପ୍ରତିଚୀ-ଅଙ୍ଗନା

ସାଜି ଦିବ୍ୟ ବେଶ ଭୂଷା

ବିପ୍ର ନେତ୍ର ଆଗେ ମେଲିଲେ ସରାଗେ

ପ୍ରକୃତି ଶୋଭା-ମଞ୍ଜୁଷା ।

 

ହାରିଦ୍ର-ବସନା ସର୍ବ ଦିଗଙ୍ଗନା

ବାରୁଣୀ ସଙ୍ଗରେ ମିଳି

ସନ୍ଧ୍ୟାଦେବୀ ପଦେ ଭକ୍ତି ଗଦଗଦେ

କରୁଛନ୍ତି ନିଉଚ୍ଛାଳି ।

 

ଶୀକର ଶୀତଳ ଧରି ପରିମଳ

ମୃଦୁଳ ଅନିଳ ତୋଷେ

ସାୟନ୍ତନ ଦେବୀ ପାଦପଦ୍ମ ସେବି

ମନ ମୋହିଲେ ପ୍ରଦୋଷେ ।

 

ସୁମନ-ନୟନ କରି ଉନ୍ମୀଳନ

ତରୁ, ଲତା, ବନ, ଗିରି

ଅପାଙ୍ଗ ଖେଳାରେ ମଧୂପ ଡୋଳାରେ

ନିରେଖିଲେ ସାନ୍ଧ୍ୟ ଶିରି ।

 

ମଞ୍ଜୁକାକଳିରେ ଗୋଧୂଳି-ରାଣୀରେ

ଗାଇଲେ ସ୍ୱାଗତଗାନ

କନ୍ଦର ଦେବତା ହୋଇଣ ଉନ୍ମତ୍ତା

ପ୍ରତିନାଦେ ଦେଲା ତାନ ।

 

ବ୍ୟୋମ-ବିମାନରେ ପ୍ରଫୁଲ୍ଲ ମନରେ

ଶୋଭା ଦେବୀ ସୁକୁମାରୀ

ସନ୍ଧ୍ୟା ଶୁଭାଗମ ପାଇଁ ମନୋରମ

ବିତାନ ଦେଲେ ବିସ୍ତାରି ।

 

ତହିଁ କି ସୁନ୍ଦର ବିବିଧ ଉଙ୍ଗର

କୁସୁମ ହୋଇଛି ଖଞ୍ଜା

ରକ୍ତ, ପୀତ, ନୀଳ ମଞ୍ଜୁଳ ଛବିଳ

ଦର୍ଶକ ମାନସରଞ୍ଜା ।

 

ଜଳ, ସ୍ଥଳ, ନଭେ ବିପୁଳ ବିଭବେ

ଝଟକ ହାଟକ ବୋଳା

କିରଣ ଛଟକ ଦିଶି ଝକ ଝକ

ହୋଇଲା ମାନସଭୋଳା ।

 

ଦୂର ନୀଡ଼ ଆଶେ ଉତ୍ସୁକ ମାନସେ

ଢାଳେ ବିହଙ୍ଗ କାକଳି

ପ୍ରଦୋଷ-ସ୍ୱାଗତ- ଗାନେ କି ପ୍ରମତ୍ତ

କମ୍ୟ ଦିଗଙ୍ଗାନବଳି ।

 

ଉଡ଼ାଇଣ ଦାଣ୍ଡେ ଧୂଳିରାଶି ଚାଣ୍ଡେ

ହମ୍ବାରବେ ଗୋସମୂହ

ଗୋଧୂଳି-ରାଣୀଙ୍କି ସ୍ୱାଗତ ବାଣୀକି

ଶୁଣାଇ ଫେରିଲେ ଗୃହ ।

 

ମହାନନ୍ଦେ ସ୍ୱଚ୍ଛେ ଗୋରୁପଲ ପଛେ

ଗୋପାଳ ମୁରଲୀ ନାଦେ

ସନ୍ଧ୍ୟା ଆରାଧନା ସ୍ୱାଗତ ବନ୍ଦନା

ଗାନେ ମାତିଛି ଆହ୍ଳାଦେ ।

 

ଫିଟାଇ ପେଟିକା ଅସିତ ଶାଟିକ

ପିନ୍ଧିଲେ ରଜନୀରାଣୀ

ପ୍ରବେଶିଲେ ଧୀରେ କୈଳାସ ମହୀରେ

ଦେଖାଇ ସୁନ୍ଦର ଠାଣି ।

 

ତାରକା ଆବଳି- ମାଳ ଗଳେ ବାଳୀ

ହୋଇଯାନ୍ତେ ଉପସ୍ଥିତ

ସନ୍ଧ୍ୟା-ଅପସରୀ ଗଲେ ଅପସରି

ସାନ୍ଧ୍ୟ-ଶୋଭା ତିରୋହିତ ।

 

ଚକ୍ରବାକକୁଳ ବିପଦସଙ୍କୁଳ

ମଣିଲେ ପ୍ରିୟାସଙ୍ଗମ

ବିରହ-ବେଦନା ଦୁଃସହ ଯାତନା

ଆଣିଲା ନିଶା ଆଗମ ।

 

ପୂର୍ଣ୍ଣ ଶଶଧର ପରଭା ସୁନ୍ଦର

ରାଜିଲା ନଭୋମଣ୍ଡଳେ

ସତେ କି ତାରକ- ହାରେ ଜକ ଜକ

ପଦକ ରଜନୀ ଗଳେ ।

 

ନିର୍ମଳ ଚନ୍ଦ୍ରିକା- ବସନେ ରସିକା

ଶୋଭିଲା ଧରା ସୁନ୍ଦରୀ

ସ୍ନିଗ୍‌ଧ ଜ୍ୟୋତ୍ସ୍ନା-ସୁଧା- ପାନରେ ବସୁଧା

ନାଚିଲା ଆନନ୍ଦେ ଭରି ।

 

ଚକୋରକ ମନ ଜ୍ୟୋତ୍ସ୍ନା ଦରଶନ

କରି ଦେଲା ହର୍ଷଭରା

ସୁମନ ଫୁଟାଇ ବାସ ଚହଟାଇ

ପ୍ରକୃତି ଶୋଭାପସରା

 

ମେଲି ଦେଲେ, ଗିରି- ପରେ ଶୋଭାଶରି

ଖେଳିଗଲା ଏଣେ ତେଣେ

ବିପ୍ର ତୃଷ୍ଣା କ୍ଷୁଧା ପଥଶ୍ରାନ୍ତି ବାଧା

ଅପସରି ଗଲା କେଣେ ।

 

ଏପରି ବିବିଧ ଦୃଶ୍ୟ ଦେଖି ମୁଗ୍‌ଧ

ହୋଇ ମନେ ମନେ ବିପ୍ର

ହୋଇ ଦଣ୍ଡବତ ବିନୟାବନତ

ଶମ୍ଭୁପାଶେ ଗଲେ କ୍ଷିପ୍ର ।

 

ରୁଦ୍ର ଦ୍ୱାରଦେଶେ ରୁଦ୍ରସମ ବେଶେ

ଥିଲେ ନନ୍ଦୀ ଦ୍ୱାରପାଳ

ଦେଖି ଦ୍ୱିଜବର ଯୋଡ଼ି ବେନିକର

ଉଭାହେଲେ ତତକାଳ ।

 

ବୋଲେ ବିପ୍ରବର ‘‘ଶିବ-ଅନୁଚର

ଜଣାଅ ଛାମୁରେ ଯାଇ

ପଥ ବହୁଦୂରୁ ପ୍ରଜାପତିପୁରୁ

ଆଣିଛି ବାର୍ତ୍ତା ମୁଁ ଧାଇଁ ।’’

 

ଦ୍ୱିଜ ବାକ୍ୟେ ନନ୍ଦୀ ପଦଦ୍ୱନ୍ଦ୍ୱ ବନ୍ଦି

ଜଣାଇଲେ ଶ୍ରୀଛାମୁରେ

‘‘ଗୋବ୍ରାହ୍ମଣପ୍ରିୟ ପ୍ରଭୋ ମୃତ୍ୟୁଞ୍ଜୟ !

ଦ୍ୱିଜ ଏକ ଆସି ପୁରେ,

 

ବସିଛି ବାହାରେ ପୁର-ସିଂହଦ୍ୱାରେ

ଆଦେଶିଲେ ତାଙ୍କୁ ଆଣି

କରାଇବି ଭେଟ ତ୍ରିଦିବେଶଶ୍ରେଷ୍ଠ

ପ୍ରଭୋ ଶମ୍ଭୁ ଶୂଳପାଣି !’’

 

ଅମର-ପୁଙ୍ଗବ ବିଶ୍ୱବନ୍ଦ୍ୟ ଭବ

ହୋଇ ପ୍ରସନ୍ନ ବଦନ

ଶ୍ରୀମୁଖେ ଆଦେଶ ଦେଲେ ପରମେଶ

‘‘ଆଣ ଶୀଘ୍ର ଏ ସଦନ ।’’

 

ଶୁଣି ଶବଗିର ହୋଇ ନତଶିର

ନନ୍ଦୀ ଧରି ବିପ୍ରବର

ଛାମୁରେ ପ୍ରବେଶ କରାନ୍ତେ, ଦେବେଶ

ଉଠି ଉଭାହେଲେ ଖର ।

 

ହର-ପଦତଳେ ନୀରବେ ନିଶ୍ଚଳେ

ବିପ୍ର ସାଷ୍ଟାଙ୍ଗ ପ୍ରଣାମ

କରି ପୁନଃପୁନ ହୁଅନ୍ତେ ମଉନ

ଶିବ ସର୍ବଶୁଭଧାମ

 

ବସାଇଣ ପାଶେ ହାସ୍ୟବୋଳା ଆସ୍ୟେ

କହିଲେ ମଧୁର ବାଣୀ

‘‘ତୁମ୍ଭ ଆସିବାର ମଙ୍ଗଳ ଖବର

ପୂର୍ବରୁ ମୁଁ ଅଛି ଜାଣି ।

 

ମହା ଭାଗ୍ୟବତୀ ଦକ୍ଷସୁତା ସତୀ

ଆଣିବି ଅଚିରେ ମୁହିଁ

ମୋ ପ୍ରାଣବଲ୍ଲଭା ଅଟେ ଜଗଦମ୍ବା

ସୁଲୋଚନା ଚନ୍ଦ୍ରମୁହୀଁ ।

 

ସେ ମୋର ଶକତି ସମ୍ଭବି ଅଛନ୍ତି

ଦକ୍ଷଘରେ ମହାସତୀ

ସେ ମୋର ଜୀବନ ହୋଇବି ମୁଁ ଧନ୍ୟ

ତାଙ୍କୁ ଆଣି ମୋ ବସତି ।

 

ଅଟନ୍ତି ପ୍ରକୃତି ଧରି ନାରୀମୂର୍ତ୍ତି

ଦକ୍ଷାଳୟେ ଅବତୀର୍ଣ୍ଣ ।

ହେଲେହେଁ ପୁରୁଷ ମୋର ପଉରୁଷ

ନାହିଁଟି ତାଙ୍କର ବିନା ।

 

ସେହି ମୋର ବଳ ସେ ମୋର ମଙ୍ଗଳ

ସେହି ଶିବା ମୁହିଁ ଶବ

ଏହି ମୋର ଗାତ୍ର ଅପୂର୍ଣ୍ଣାଙ୍ଗ ମାତ୍ର

ତାଙ୍କ ବିନା ମୁଁ ନିର୍ଜୀବ ।

 

ମୁହିଁ ଅଟେ ଭବ ତାଙ୍କର ବଲ୍ଲଭ

ଭବାନୀ ସେ ପ୍ରାଣେଶ୍ୱରୀ

‘ଭବାନୀଶଙ୍କର’ ଯୁଗ୍ମ ନାମବର

ଜଗତେ ଖ୍ୟାତ ମୋହରି ।

 

ଯେବେ ସ୍ୱର୍ଣ୍ଣପ୍ରଭା ସ୍ୱୟମ୍ବରସଭା

କରିବେ ଶୁଭାଗମନ

ତାଙ୍କୁ ଧରି ଅଙ୍କେ ପଲକ ମାତ୍ରକେ

ଆସିବି ନିଜ ଭବନ ।

 

ଶ୍ମଶାନର ଭସ୍ମ ଆଣି ଆଶୁତୋଷ

ବିପ୍ରବସ୍ତ୍ରେ ଦେଲେ ବାନ୍ଧି

‘‘ହେଲେ କ୍ଷୁଧା ବ୍ୟଥା ନ ଚିନ୍ତି ଅନ୍ୟଥା

ଭୁଞ୍ଜିବ ଏହାକୁ ରାନ୍ଧି ।’’

 

ଶିବପଦଧୂଳି ନେଇ ଶିରେ ବୋଳି

ବାହୁଡ଼ିଲେ ବିପ୍ରବର

ଉଚ୍ଚାରି ଉଚ୍ଚରେ ହୃଦୟ-ସ୍ୱଚ୍ଛରେ

‘ଜୟ ଜୟ ଦେବ ହର ।’

 

ଫେରନ୍ତେ ମାର୍ଗରେ ହୃଦ ଉଦ୍‌ବେଗରେ

ପରଜାପତି-ପୁରୋଧା

ଫେଡ଼ିଲେ ବନ୍ଧନ ଭସ୍ମର ରନ୍ଧନ

କାର୍ଯ୍ୟରେ ବଳାଇ ଶ୍ରଦ୍ଧା ।

 

ଅବଗାହି ଗାତ୍ର ଧରି ଧୌତ ପାତ୍ର

ଭସ୍ମ ତହିଁ କଲେ ନ୍ୟସ୍ତ

ଅମୃତ ଭୋଜନ ସୁଦିବ୍ୟ ବ୍ୟଞ୍ଜନ

କାହୁଁ ଆସିଲା ସମସ୍ତ ।

 

ଭାତ ଡାଲି ଭଜା ଖାଇ ଦ୍ୱିଜ ମଜା

କଲେ ତରୁତଳେ ବସି

ପାନୀୟ ନିର୍ମଳ ସୁଶୀତଳ ଜଳ

ଆସିଲା ସ୍ୱର୍ଗରୁ ଖସି ।

 

‘‘କରୁଣାସାଗର ଜୟ ଦେବ ହର

ଧନ୍ୟ ତ ତବ ବିଭୂତି

ଧନ୍ୟ ମୋ ଜନମ ଧନ୍ୟ ମୋ କରମ

ଧନ୍ୟ ଅଦ୍ୟ ଅନୁଭୂତି ।’’

 

ଭାବି ଏହା ମନେ ତରୁତଳେ କ୍ଷଣେ

କରିଲେ ବିପ୍ର ବିଶ୍ରାମ

ଧ୍ୟାୟି ହୃଦଗତେ ପୂର୍ଣ୍ଣ ମନୋରଥେ

ଶିବ ଶାନ୍ତିସୁଖଧାମ ।

 

ଶ୍ରାନ୍ତି କରି ଦୂର ଗଲେ ଦକ୍ଷପୁର

ବିପ୍ରବର ହରଷରେ

ଆସିଗଲେ ଜେମା ଦୟା-ଶାନ୍ତି-କ୍ଷମା

ସ୍ମେର-ମିଶ୍ରିତ ଆସ୍ୟରେ ।

 

ପୁଛନ୍ତେ ମହିଷୀ ଦ୍ୱିଜବର ହସି

କହିଲେ ସକଳ କଥା

ମାତା ତନୁଜାର ଗୁରୁ ଚିନ୍ତାଭାର

ଦୂର ହେଲା ମନୋବ୍ୟଥା ।

 

ସତୀ ହୃଦଭାବ- ଅସ୍ଫୁଟ-କୈରବ

ଫୁଟାଇଲା ବାକ୍ୟ-ଇନ୍ଦୁ

ମାତା ମହୀୟସୀ ନେତ୍ରୁଁ ଗଲା ଖସି

ଆନନ୍ଦ-ଲୋତକବିନ୍ଦୁ ।

 

‘‘ତ୍ରିଦଶ-ପୁଙ୍ଗବ ମୋ ପ୍ରାଣବଲ୍ଲଭ

ଶିବ ଆସି ସ୍ୱୟମ୍ବରେ

ବୃଷଭ ଉପରେ ବସାଇ ଅଙ୍କରେ

ନେଇ ଯିବେ ମୋତେ ଘରେ ।

 

ନିଃଶଙ୍କେ ଅଙ୍କରେ ବସି ପଲଙ୍କରେ

ସେବିବି ଶିବଚରଣ

ପତିନିନ୍ଦା କଥା ଶୁଣିଲେ ସର୍ବଥା

ତୋଷେ ବରିବି ମରଣ ।

 

ଶଙ୍କର-ବଚନ ମିଥ୍ୟା କଦାଚନ

ନୋହିବ ଏ ଭବେ ପୁଣି’’

ଏହା ଭାବି ସତୀ ହୃଷ୍ଟ ଚିତ୍ତେ ଅତି

ମନ୍ଦିରେ ଗଲେ ତକ୍ଷଣି ।

 

ସତୀଙ୍କ ଜନନୀ ସତୀଶିରୋମଣି

ବିଚାରିଲେ ମୁହିଁ ଧନ୍ୟା

ଭବେ ଭାଗ୍ୟବତୀ ମଣୁଅଛି ଅତି

ଲଭି ସତୀ-ସମା କନ୍ୟା ।

 

ସର୍ବ ଗୁଣାକର ଯୋଗୀଶ ଶଙ୍କର

ହୋଇବେ ମୋର ଜାମାତା

ବିଶ୍ୱବନ୍ଦନୀୟା ହେବ ମୋ ତନୟା

ଧନ୍ୟ ମୋ ଜନମଦାତା ।

 

କରି ଏ ଭାବନା ଦକ୍ଷନାରୀ ଧନ୍ୟା

ଗଲେ ମନ୍ଦିର ଭିତର

ପୁରୋହିତ ଦ୍ୱିଜ ଶ୍ରୋତ୍ରିୟ ଋତ୍ୱିଜ

ଗଲେ ତହୁଁ ସ୍ଥାନାନ୍ତର ।

Image

 

Unknown

ଷଷ୍ଠ ସର୍ଗ

ସ୍ୱୟମ୍ବର

 

ପରିଷଦ ମଧ୍ୟେ ପ୍ରବେଶି ଆନନ୍ଦେ

ଭାଷିଲେ ଦକ୍ଷ ନୃପତି

‘‘ପାଣିର ଗ୍ରହଣ କାଳେ ପଦାର୍ପଣ

କଲେଣି ମୋ ସୁତା ସତୀ ।

 

ବିବାହ-ବୟସ ଆସିଲା ଅବଶ୍ୟ

କରି ସ୍ୱୟମ୍ବର ସଭା

ଯୋଗ୍ୟ ବରକରେ ଅର୍ପିବି ସାଦରେ

ମୋ ଦୁହିତା ବିଦ୍ୟୁତ୍‌ପ୍ରଭା ।’’

 

ସର୍ବେ ସଭାସଦ କଲେ ଅନୁମୋଦ

ଦକ୍ଷଙ୍କ ପ୍ରଶଂସା ଗାଇ

ହୋଇଲା ବିଚାର ଶୁଭ ଦିନ ବାର

ସ୍ୱୟମ୍ବର ସଭା ପାଇଁ ।

 

ଆସି ସ୍ୱର୍ଗପୁରୁ ତ୍ରିଦିବେଶଗୁରୁ

ଶୁଭଦିନ ଦେଲେ ବାଛି ।

ବିବିଧ ଗଣନା କରି ମହାମନା

ସତୀହିତ ହୃଦେ ପାଞ୍ଚି ।

 

ବିଶ୍ୱକର୍ମା ଆସି ମଙ୍ଗଳ ମନାସି

କରନ୍ତେ କାର୍ଯ୍ୟ ଆରମ୍ଭ

ହେଲା କମ୍ବୁଧ୍ୱନି କମ୍ପିଲା ଅବନୀ

ମାଗଧେ ଗାଇଲେ ସ୍ତବ ।

 

ବିଘ୍ନନିବାରଣ ପାଇଁ ବିପ୍ରଗଣ

କରିଲେ ଦକ୍ଷବରଣ

ଲଳନାଏ ମିଳି ଦେଲେ ହୁଳହୁଳି

ବନ୍ଦି ଦେବ ନାରାୟଣ ।

 

ଶିଳ୍ପୀମାନେ ସୁଖେ ମାନସ କୌତୁକେ

ପକାଇ ବେଦିକାବନ୍ଧ

ଆରମ୍ଭିଲେ କାମ ନୟନାଭିରାମ

ଦେଇ ଧୂପ-ପୁଷ୍ପ-ଗନ୍ଧ ।

 

ସେ ସଭା-ମଣ୍ଡପ ଶୋଭା ଦପଦପ

ଦର୍ଶକନେତ୍ର ହରିଲା

ସ୍ୱର୍ଣ୍ଣ ମୁକ୍ତାମାଳି- ମଣ୍ଡା ଶୋଭାଶାଳୀ

ସ୍ତମ୍ଭେ ମଣ୍ଡପ ପୂରିଲା ।

 

କନକ-ଗୁମ୍ବଜ ଦର୍ଶାଇ ସୁତେଜ

ଉଜ୍ଜ୍ଵଳିଲା ଗୃହୋପରି

କନକ-କଳସ ବେଢ଼ି ଚଉପାଶ

ଫୁଲମାଳାକରେ ପରି

 

ଗୁମ୍ବଜ-ଶିଖର ସୁଷମାନିକର

ବଢ଼ାଇଲେ ଶତବାର

କଳସ ଉପରେ ଉଡ଼ିଲା ଶିଖରେ

ବୈଜୟନ୍ତୀ ଶୋଭାଧାର ।

 

ସଯତ୍ନ ନିହିତ ରତନଖଚିତ

ମହାର୍ହ ବର ଆସନ

ବିଦ୍ୟୁତ୍‌ବର୍ତ୍ତିପ୍ରଭା- ପ୍ରତିବିମ୍ବେ ସଭା-

ମଣ୍ଡପ କଲା ଭୂଷଣ ।

 

ରମ୍ୟ ଯବନିକା- ବେଷ୍ଟିତ ବେଦିକା

ରହିଲା ମଣ୍ଡପ ମଧ୍ୟେ

ଯହିଁ ନିର୍ବାଧରେ ପ୍ରଫୁଲ୍ଲ ହୃଦରେ

ହେରିବେ ନାରୀ ଆନନ୍ଦେ ।

 

ଅପ୍ରାକୃତ ଉତ୍ସ ବିରଚନ୍ତେ ସ୍ୱଚ୍ଛ

ବାସୋଦକ ତହୁଁ ଝରି

ବିତରି ସୁଗନ୍ଧ ଜନ୍ମାଇ ଆନନ୍ଦ

ଜନମନ ନେଲା ହରି ।

 

ସୁନ୍ଦର ଉଦ୍ୟାନ ରଚିଲେ ବିଦ୍ୱାନ

ଶିଳ୍ପୀ ସଭା ଚଉପାଶେ

ମଳୟ ସମୀର ବହିଲା ସଧୀର

ଜନତୋଷି ମୃଦୁବାସେ ।

 

ଚାରୁ ଚନ୍ଦ୍ରାତପ- ମଣ୍ଡିତ ମଣ୍ଡପ

ହୋଇଲା ହୃଦୟଲୋଭା

ପଲ୍ଲବର ପ୍ରଭା ରମ୍ୟ ପୁଷ୍ପଗଭା

ବଢ଼ାଇଲା ସଭା-ଶୋଭା ।

 

ଅପୂର୍ବ ବରଣ ସରଣୀ ତୋରଣ

ବିପଣୀର ସାଜସଜ୍ଜା

ଦ୍ୱାରେ ପୂର୍ଣ୍ଣ କୁମ୍ଭ ରମ୍ଭାତରୁ ଶୁଭ

ମନ ମଜ୍ଜାଇଲା ଧଜା ।

 

କି ଧନୀ ନିର୍ଦ୍ଧନ ସକଳ ସଦନ

ଦଶାଇ ଦେଲା ସୁଷମା

ଦ୍ୱାରସ୍ଥ ଲତିକା ମଧୁର ଗୀତିକା

ହେଲା ଜନମନୋରମା ।

 

ଚାରୁ-ସୁବାସିନୀ କୋକିଳ ଭାଷିଣୀ

ଲଳନାଙ୍କ ହୁଳହୁଳି

ପଞ୍ଚମ ତାନରେ ମୋହନ ଗାନରେ

ପଥ ପଡ଼ିଲା ଉଛୁଳି ।

 

ପାଇଣ ସନ୍ଦେଶ ସକଳ ନରେଶ

ଦେବଋଷି ତପୋଧନ

ଆସିଲେ ଶ୍ରୋକ୍ରିୟ ବରେଣ୍ୟ କ୍ଷତ୍ରିୟ

ଦକ୍ଷନୃପତି ସଦନ

 

ପଦ୍ମଯୋନି ସଙ୍ଗେ ଆସିଗଲେ ରଙ୍ଗେ

ବ୍ରହ୍ମଲୋକ ଋଷିବୃନ୍ଦ

ଶଙ୍ଖଚକ୍ରଧର ଆସିଲେ ସତ୍ୱର

ମୋହି ଭକ୍ତଜନହୃଦ ।

 

କଶ୍ୟପକୁମରେ ମହା ହରଷରେ

ହୋଇଗଲେ ସମବେତ

ଦିଗପାଳଗଣ ଧରି ପରିଜନ

ମିଳିଲେ ଦକ୍ଷନିକେତ ।

 

ଆଶୁତୋଷ ଏକା ନାହିଁ ଦେଲେ ଦେଖା

ଯେଣୁ ଦକ୍ଷପ୍ରଜାପତି

ନ କଲେ ଆଦର ନ ଦେଲେ ଖବର

ଦେବଦେବ ଶିବକତି ।

 

ନାମମାତ୍ର ଶିବ ଭୂଷଣ ଅଶିବ

ଅଶିବ ସ୍ଥାନେ ବସତି

ଅଶିବରେ ପ୍ରିୟ ତେଣୁ ତାଙ୍କୁ ହେୟ

ମଣିଲେ ଦକ୍ଷ ନୃପତି ।

 

ନ ପାଇ ସନ୍ଦେଶ ପ୍ରଭୁ ପରମେଶ

ଜାଣି ଦାକ୍ଷାୟଣୀ ମନ

ଛାଡ଼ି କଇଳାସ ଗଲେ ଦକ୍ଷାବାସ

ରହିଲେ ଆଶ୍ରି ଗଗନ ।

 

ଆସନ୍ତେ ନୃପତି ଦକ୍ଷପ୍ରଜାପତି

କଲେ ଯଥାଗଉରବ

ଦିବ୍ୟ ଯୋଗ୍ୟ ସ୍ଥାନ ଦିବ୍ୟ ଭୋଜ୍ୟମାନ

ଯୋଗାଇ ଦେଲେ ସରବ ।

 

ଯଥାବିଧି ମାନ୍ୟ ଯଥାଯୋଗ୍ୟ ସ୍ଥାନ

ଲଭିଲେ ସର୍ବେ ସାଦରେ

ନାନା କୋଳାହଳ ଜନତା-ଗହଳ

ବିବିଧ ବାଦ୍ୟନାଦରେ,

 

ହେଲା ମୁଖରିତ ଅତିଥିପୂରିତ

ଦକ୍ଷନଗର ସୁନ୍ଦର

ସ୍ୱେଚ୍ଛାସେବା କାର୍ଯ୍ୟେ ଲାଗିଲେ ଅବ୍ୟାଜେ

ଦେବରାଜ ପୁରନ୍ଦର ।

 

ବିହଙ୍ଗ-କାକଳି- ଛଳେ ହୁଳହୁଳି

ଦେଲେ ସେ ପ୍ରକୃତିରାଣୀ

ଆନନ୍ଦ ଉଚ୍ଛ୍ୱାସେ ହାସ ପରିହାସେ

ମଜ୍ଜିଲେ ସକଳ ପ୍ରାଣୀ ।

 

ପୁଷ୍ପ ମକରନ୍ଦ- ଲିପ୍‌ସୁ ଷଟପଦ-

ଗୁଞ୍ଜନରେ ବନଲତା

କରିଲେ ପ୍ରକାଶ ହରଷ ଉଚ୍ଛ୍ୱାସ

ଅନୁଭୂତ ପ୍ରଫୁଲ୍ଲତା ।

 

ଭୂଧର ଦେବତା ଟେକି ଫୁଲଛତା

ପ୍ରକାଶକଲେ ଉନ୍ମାଦ

କରି ନିଉଛାଳି ଦେଲେ ହୁଳହୁଳି

ପ୍ରକଟାଇ ପିକନାଦ ।

 

ନଳିନୀ ନଳିନ କରି ଉନ୍ମୀଳନ

ବିକାଶିଲା ମହୋଲ୍ଲାସ

ସମୀର ହସ୍ତରେ ପ୍ରେରିଲା ସତ୍ୱରେ

ସତୀପାଶେ ଆଶୀର୍ବାସ ।

 

ଉଲ୍ଲସିତ ମନେ କଦମ୍ବ ସୁମନେ

ବିରାଜିଲେ ଦେବାଦେବୀ

ଲୁଚି ତରୁପତ୍ରେ ରୋମାଞ୍ଚିତ ଗାତ୍ରେ

ଅଇଲେ ସତୀଙ୍କୁ ସେବି ।

 

ଜାଈ-ଯୁଇ-ମଲ୍ଲୀ- ନୟନକୁ ମେଲି

ଦେଖିଲେ ବନଦେବତା

ଜଗଦମ୍ବା ସତୀ ହୋଇ ମୂର୍ତ୍ତିମତୀ

ବିରାଜୁଛନ୍ତି ସୁବ୍ରତା ।

 

ଶୋଭାରାଣୀ ଆଜି ନବ ସାଜ ସାଜି

ବସିଛି ଯେଠାରେ ସଭା

ସତୀର ବିବାହ- ଉତ୍ସାହେ ଉତ୍ସାହ

ବଢ଼ାଇଛି ଶୁଭ୍ର ପ୍ରଭା ।

 

ସଲିଳ-ଦେବତା ହୋଇଛି ଉନ୍ମତ୍ତା

ଦେଖିବାକୁ ସ୍ୱୟମ୍ବର

ଜଳଜ କୁସୁମ- ଶୋଭାରେ ସୁଷମ

କରି ନିଜ କଳେବର ।

 

ଗଗନେ ତପନ ତୋଷୁଛନ୍ତି ଜନ

କାନ୍ତ ଶୀତ ଉଷ୍ଣ କରେ

ସତୀଦେବୀ ମୁଖ ଉଜ୍ଜ୍ୱଳ ମୟୁଖ

ଦେଖୁଛନ୍ତି ପୁଲକରେ ।

 

କାହିଁ ମତ୍ତହସ୍ତୀ ହୟ ପନ୍ତିପନ୍ତି

ସଜ୍ଜିତରେ ହୋଇ ଛିଡ଼ା

ତୋଷୁଛନ୍ତି ନରେ ରାଜମାରଗରେ

ଦେଖାଇ ବିବିଧ କ୍ରୀଡ଼ା ।

 

କାହିଁ ଅପସରା ସୁଷମାପସରା

କରୁଛନ୍ତି ନୃତ୍ୟ ଗୀତ

ଜନ ମନ କିଣା ଶଙ୍ଖ, ଭେରୀ, ବୀଣା

ନିନାଦେ ସ୍ଥାନ ନାଦିତ ।

 

କାହିଁ ବେଦଧ୍ୱନି କମ୍ପାଏ ଅବନୀ

କାହିଁ ବା କୋବିଦସଭା

ବିଚିତ୍ର-ବସନା କାହିଁ ବରାଙ୍ଗନା

ମଣ୍ଡୁଛନ୍ତି ପୁଷ୍ପେ ଗଭା ।

 

କାହିଁ ବସ୍ତ୍ର ଅନ୍ନ- ଲାଗି ଦୁଃଖିଜନ

କରୁଛନ୍ତି କୋଳାହଳ

କାହିଁ ଗତାଗତେ ସୁସଂକୀର୍ଣ୍ଣ ପଥେ

ଲାଗିଛି ଲୋକଗହଳ ।

 

କେତେ କେତେ ରଙ୍ଗେ ଆନନ୍ଦ-ତରଙ୍ଗେ

ଉଛୁଳି ଆସନ୍ତି ଧାଇଁ

ସୁଲକ୍ଷଣା ରାଜ- ନନ୍ଦିନୀର ଆଜ

ବିବାହ ଦେଖିବା ପାଇଁ ।

 

ବୈନତେୟ-ଯାନ ପରେ ଭଗବାନ

ବିଷ୍ଣୁ, ବିଜେ ସଭାଗୃହେ

ସୁଚ୍ଛତ୍ର ଚାମର ଧରି ଅନୁଚର

ଧାଇଁଛନ୍ତି ମହାସ୍ପୃହେ ।

 

ମରାଳ ଉପରେ ବସି ଆନନ୍ଦରେ

ବିଜେ ବ୍ରହ୍ମା ଚତୁର୍ମୁଖ

ବ୍ରହ୍ମର୍ଷିଏ ଚାରି- ପାଶେ ଛନ୍ତି ଘେରି

ହୃଦେ ଭରି ମହାସୁଖ ।

 

ଐରାବତ ଗଜ ଚଢ଼ି ଦେବରାଜ

ବିଜେକଲେ ସଭାଘର

ଦେବର୍ଷି ନାରଦ କରି ବୀଣାନାଦ

ଆସି ମିଳିଲେ ସତ୍ୱର ।

 

ସପ୍ତାଶ୍ୱ-ସ୍ୟନ୍ଦନ କରି ଆରୋହଣ

ଆସିଲେ ଦେବ ତପନ

ଅପର ଆଦିତ୍ୟେ ଆସିଲେ ତୁରିତେ

ଆରୋହି ନିଜ ବାହନ ।

 

ମିଳିଗଲେ ସୋମ ରୂପଗୁଣେ ସୌମ୍ୟ

ସ୍ୟନ୍ଦନେ ମହା ଆଟୋପେ

ବାଜିଲା ବାଦିତ୍ର ଦଇତ ଆଦିତ୍ୟ

ଆସିଲେ ସକଳ ଭୂପେ ।

 

ଦିଗପାଳଗଣେ ଆସିଲେ ସଗଣେ

ପ୍ରବେଶିଲେ ବସୁବର୍ଗ

ବିଶ୍ୱଦେବମାନେ ଆସିଲେ ଆସ୍ଥାନେ

କମ୍ପାଇ ରାଜମାରଗ ।

 

ପିତୃଗଣ ସଙ୍ଗେ ନବଗ୍ରହେ ରଙ୍ଗେ

ଆସି ହେଲେ ସମବେତ

ମିଳିଲେ ବ୍ରହ୍ମର୍ଷି ରାଜର୍ଷି ମହର୍ଷି

ଦେବର୍ଷି ସଭା-ନିକେତ ।

 

କିନ୍ନର ଚାରଣ ବିଦ୍ୟାଧରଗଣ

ଭେଟିଲେ ସଭାମନ୍ଦିରେ

ଚିତ୍ରସେନ ସହ ଗନ୍ଧର୍ବସମୂହ

ମିଳିଲେ ଯଥାବିଧିରେ ।

 

ଦିବ୍ୟ ବସନରେ ସ୍ୱର୍ଣ୍ଣ ଆସନରେ

ହେଲେ ସର୍ବେ ସମାସୀନ

ଉଜ୍ଜ୍ୱଳିଲା ସଭା ପ୍ରଦର୍ଶାଇ ପ୍ରଭା

ଶୋଭିଲା କନକାସନ ।

 

ବାଜିଲା ଦୁନ୍ଦୁଭି କମ୍ପିଗଲା ଉର୍ବୀ

ଶୁଭିଲା ଶଙ୍ଖନିଃସ୍ୱନ

ନାରୀ ହୁଳହୁଳି ପଡ଼ିଲା ଉଛୁଳି

କମ୍ପାଇ ଦକ୍ଷସଦନ ।

 

ସଭାସ୍ଥଳେ ବସି ଚତୁରାସ୍ୟେ ହସି

ପଚାରିଲେ ପଦ୍ମାସନ

‘‘କିପାଁ ସ୍ୱୟମ୍ବର- ସଭାକୁ ତୁମ୍ଭର

ଆସି ନାହାନ୍ତି ଈଶାନ ?

 

ତାଙ୍କ ପାଖେ ଦୂତ ନ ପଠାଇ ସୁତ

କରିଛ କି ଅନାଦର ?

ଏ ସଭାମନ୍ଦିର ନ ଦିଶେ ସୁନ୍ଦର

ନ ଥିବାରୁ ଦେବ ହର ।

 

ଶଙ୍କରକିଙ୍କରେ ଏହି ସ୍ୱୟମ୍ବରେ

କେହି ଦେଲେ ନାହିଁ ଦେଖା

ଅଭିମାନ ଦମ୍ଭେ ଦେଖାଇଛ ତୁମ୍ଭେ

ଅବିମୃଷ୍ୟ ଭାବ ଏକା ।

 

ଧ୍ୟାନ ଯୋଗବଳେ ଜାଣିଛ ନିଶ୍ଚଳେ

ସ୍ୱୟମ୍ବରେ ଶିବସ୍ଥାନ

ତାଙ୍କୁ ଅନାଦର ଦେଖାଇ କୁମର

ସାଧିଛ ଭ୍ରମ ମହାନ

 

ଉତ୍ତରିଲେ ଦକ୍ଷ ‘‘ଶୁଣନ୍ତୁ ଜନକ !

ଶିବ ଅଶିବର ଦ୍ୱାର

ତେଣୁ ଏ ସଭାକୁ ନ ଡାକିଲି ତାଙ୍କୁ

କରି ଚିତ୍ତେ ସୁବିଚାର ।

 

ପନ୍ନଗମାଳାରେ ଶୋଭିତ ଗଳାରେ

ଥାନ୍ତି ସଦା-କାଳେ ରହି

ଶବଭସ୍ମ ବୋଳି- ଥାନ୍ତି ଚନ୍ଦମୌଳି

ମୁଣ୍ଡମାଳ କନ୍ଧେ ବହି ।

 

ନେତ୍ର ଢଳ ଢଳ ନିଶାରେ ବିହ୍ୱଳ

ବାସ ତାଙ୍କର ଶ୍ମଶାନ

ଶିରେ ଜଟାଜୂଟ ଯଥା ଅଦ୍ରିକୂଟ

ଆଚାରହୀନ ଈଶାନ ।

 

ପୁଣି ଦିଗମ୍ବର ଅଟନ୍ତି ଶଙ୍କର

ନ କରିବି କନ୍ୟାଦାନ

ଏ ମୋର କାମନା ଶୁଣ ମହାମନା

ପିତଃ କରୁଣାନିଧାନ ।

 

ଯଦି ମୋ ତନୁଜା ଶୋଭାଶୀଳେ ପୂଜ୍ୟା

ଶିବ ବରି ଲଭେ ସୁଖ

ଏ ମୋହର ପଣ ଶୁଣ ପଦ୍ମାସନ

ନ ଚାହିଁବି ତାର ମୁଖ ।’’

 

ଶୁଣି ଏ ବଚନ କମଳଲୋଚନ

ଦେବ କମ୍ବୁଚକ୍ରହସ୍ତ

ଶିବରେ ଅଭକ୍ତି ଦେଖିଣ ବିରକ୍ତି

ଲଭି ହୃଦେ ହେଲେ ବ୍ୟସ୍ତ ।

 

ବିହିଲେ ଉତ୍ତର ‘‘ଶୁଣ ନୃପବର

ଶିବନିନ୍ଦୁକର ମୁଖ

ଆଣଇ ଅଶାନ୍ତି ଲୋକେ ଅପଖ୍ୟାତି

ଉପୁଜାଏ ଘୋର ଦୁଃଖ ।

 

ବିଶ୍ୱ ପ୍ରାଣିବନ୍ଦ୍ୟ ସର୍ବଥା ଅନିନ୍ଦ୍ୟ

ମହେଶ ପ୍ରଭୁ ଶଙ୍କର

ଭବଭୟହର ସର୍ବ ଦେବବର

ପ୍ରାଣିଗଣ-କ୍ଷେମଙ୍କର ।

 

ତାଙ୍କ ନିନ୍ଦାବାଣୀ ତୁମ୍ଭେ ତୁଣ୍ଡେ ଆଣି

ଅର୍ଜ୍ଜୁଅଛ ମହାପାପ

ଏ ପାପ ଦୋଷରେ ଶଙ୍କରରୋଷରେ

ପାଇବ ଘୋର ସନ୍ତାପ ।

 

ମୋ ପ୍ରାଣ-ଦୋସର ପ୍ରଭୁ ଯୋଗୀଶ୍ୱର

ନ କର ତାଙ୍କ ନିନ୍ଦନ

ଶିବସ୍ତୁତିବାଣୀ ନିଶ୍ଚେ ଥାଅ ଜାଣି

ମୋ ତପ୍ତ-ହୃଦ-ଚନ୍ଦନ ।’’

 

ଶ୍ରୀହରି ଭକତି ଶୁଣି ପ୍ରଜାପତି

ହୋଇଲେ ତହିଁ ନୀରବ

ଶିବ ଉପାଲମ୍ଭ ତେଜି କାର୍ଯ୍ୟାରମ୍ଭ

କରିଲେ ନୃପପୁଙ୍ଗବ ।

 

ଆଦେଶିଲେ ନୃପ ‘‘ଆସି ସତୀ କ୍ଷିପ୍ର

ସଭାରେ ବରନ୍ତୁ ବର’’

ଶ୍ରବଣରୋଚନ ହେଲା ଏ ବଚନ

ସଭାସଦ ଜନଙ୍କର ।

 

ସୁଶାନ୍ତି-ଆସ୍ପଦ ସ୍ମରି ଶିବପଦ

ନିର୍ଗମିଲେ ଜଗଦମ୍ବା

ମେଦିନୀମଣ୍ଡଳ କଲା ସମୁଜ୍ଜ୍ୱଳ

ତାଙ୍କରି କନକପ୍ରଭା ।

 

ସତୀପଦ ଲାଗି ଉଲ୍ଲସିଲା ଜାଗି

ମହୀ ମହାଆନନ୍ଦରେ

ମହୀମଣ୍ଡନାଙ୍କ ଶ୍ରୀମୁଖ-ଶଶାଙ୍କ

ନିରୀକ୍ଷିଲା ପ୍ରମୋଦରେ ।

 

କୁସୁମ ଆସାର ନଭୁଁ ବାରମ୍ବାର

ଖସିଲା ସତୀମସ୍ତକେ

ଦେବାଙ୍ଗନା ମିଳି ଦେଲେ ହୁଳହୁଳି

ମୋଦରେ ତନୁପୁଲକେ ।

 

ମଳୟ ସମୀର ବହି ଧୀର ଧୀର

ସୌରଭ ଦେଲା ବିତରି

ସୁବାସିନୀ ଅଙ୍ଗ- ସୁବାସେ ଉଦ୍‌ବେଗ

ଲଭିଣ ଧାଇଁଲେ ଅଳି ।

 

ସତୀଗୁଣ ଗାଇ ଲାଜାବୃଷ୍ଟି ପାଇଁ

ଦିବ୍ୟ ପ୍ରସୂନ ନିକ୍ଷେପି

ବନଦେବୀବୃନ୍ଦ ପ୍ରକାଶିଲେ ନନ୍ଦ

ଦେବୀ ଶୁଭାଗମ ଦେଖି ।

 

ସତୀ ବିଜେ କାଳେ ଅଦ୍ଭୁତେ ଅକାଳେ

କୁସୁମିତ ହେଲେ ତରୁ

ସ୍ୱର୍ଗୁଁ ଅବତରି ସତ୍ୱରେ ଚତୁରୀ

ଗଙ୍ଗା ସ୍ରବିଲେ ତୀର୍ଥରୁ ।

 

କୋକିଳକାକଳି- ଛଳେ ଦେବଆଳୀ

ଦେଲେ ହର୍ଷେ ହୁଳହୁଳି

ଜଳଦେବୀ ରଙ୍ଗେ ସମୀରଣ ସଙ୍ଗେ

ପ୍ରେରିଲେ ପରାଗଧୂଳି ।

 

ଦେବୀ ଆଗମନେ ସୁମନବଦନେ

ଉଦ୍ୟାନ ବନଦେବତା

ପ୍ରକାଶିଲେ ହୃଦ- ଅନୁଭୂତ ମୋଦ

ହୃଦହରା ପ୍ରଫୁଲ୍ଲତା ।

 

ସତୀ ଦେବୀ ଶୋଭା ହିରଣ୍ମୟ ପ୍ରଭା

ସଭାକୁ କଲା ଉଜ୍ଜ୍ୱଳ

ସର୍ବଜନ ନେତ୍ର ହୋଇଲା ପବିତ୍ର

ଦେଖି ବଦନକମଳ ।

 

ଶ୍ରୀଅଙ୍ଗ ଲାବଣ୍ୟ ପୁଣ୍ୟ ଭାବଗଣ

ଜଗାଏ ଦର୍ଶକମନେ

ବଦନ ନଳିନ ଶୋଭାରେ ମଳିନ

ହେଲେ ଚମ୍ପକ ସୁମନେ ।

 

କନକର ମାଳା କରେ ଧରି ବାଳା

ସଖୀସମୂହ ମେଳରେ

ଅତି ଦିବ୍ୟ ତେଜେ ସଭା କଲେ ବିଜେ

ମହେନ୍ଦ୍ର ଯୋଗ ବେଳରେ ।

 

ରକ୍ତିମା ଅଧର ଦେଖିଣ ମନ୍ଦାର

ପାଦପୁଁ ପଡ଼ିଲା ଝଡ଼ି

ରଦନ ସୁଷମ ଦେଖନ୍ତେ ଦାଡ଼ିମ

ଫାଟିଗଲା ଲାଜେ ସଢ଼ି ।

 

ଶ୍ରୀମୁଖ-ସୁଷମା ଚାହିଁଣ ଚନ୍ଦ୍ରମା

ଲେପିଲା ଅଙ୍ଗ କଳଙ୍କେ

ଚାରୁ ଅଙ୍ଗବର୍ଣ୍ଣ ଦେଖନ୍ତେ ସୁବର୍ଣ୍ଣ

ଝାସି ପଡ଼ିଲା ପାବକେ

 

ସର୍ବ ଜନନେତ୍ର କରି ଝଲସିତ

ସଭାରେ ବିଜେ ସୁନ୍ଦରୀ

ଲୋଚନାଭିରାମ ହେମମୟ ଦାମ

କରକମଳରେ ଧରି ।

 

ପିତାମହ ପଦେ ଭକ୍ତି ଗଦଗଦେ

କରନ୍ତେ ଦେବୀ ପ୍ରଣାମ

ବୋଇଲେ ବଚନ ଦେବ ପଦ୍ମାସନ

‘‘ପୂର୍ଣ୍ଣ ହେଉ ମନସ୍କାମ ।’’

 

ତହୁଁ ଜେମାମଣି ଯୋଡ଼ି ବେନି ପାଣି

ବିଷ୍ଣୁଙ୍କୁ କଲେ ଜୁହାର

‘‘ପୂର୍ଣ୍ଣମନୋରଥା ହୁଅ ଗୋ ସର୍ବଥା’’

ଆଶିଷିଲେ ବିଶ୍ୱାଧାର ।

 

ପରେ ଦକ୍ଷକନ୍ୟା ସତୀ-ଅଗ୍ରଗଣ୍ୟା

ସଭାକୁ ନମିଲେ ଧୀରେ

ସର୍ବଜନ ସୁଖେ ଆଶିଷିଲେ ମୁଖେ

‘‘ବରେଣ୍ୟା ହୁଅ ମହୀରେ ।’’

 

ସଭାସଦଚିତ୍ତେ ଜାଗିଲା ତୁରିତେ

ଅଦଭୁତ ଭକ୍ତିଭାବ

ପାପଭାବ କାହିଁ ନ ପାଇଲା ତହିଁ

ଦର୍ଶକ ହୃଦରେ ଠାବ ।

 

ସୁରାସୁର ନରେ ସତୀର ପୟରେ

ହୃଦରେ କଲେ ଜୁହାର;

ଦେବୀ ନେତ୍ର ଦୁଇ ନ ଦେଖିଲା ତହିଁ

ଶିବ ଶାନ୍ତି-ସୁଧା-ଧାର ।

 

ମନରେ ବିଚାର କଲେ ରାମାବର

‘‘ଏକି ଅଦଭୁତ କଥା

ଆଶ୍ୱାସନା-ବାଣୀ କହି ଶୂଳପାଣୀ

ଆଚରିଲେ କି ଅନ୍ୟଥା !

 

କି ଅବା ପିଅର ନ ଦେଲେ ଖବର

ତେଣୁ ନ ଆସିଲେ ହର’’

ଗଲା ଚିତ୍ତଶୁଦ୍ଧି ହଜିଗଲା ବୁଦ୍ଧି

ନ ଦେଖି ଅଭୀଷ୍ଟ ବର ।

 

ଯୋଡ଼ି ବେନି ପାଣି ଶୋଭନା କଲ୍ୟାଣୀ

ଚାହିଁ ସୁନୀଳ ଗଗନ

ଚିତ୍ତଦୁଃଖେ ଅତି ପତି ଚିନ୍ତି ସତୀ

ହୋଇଲେ ଧ୍ୟାନମଗନ ।

 

‘‘ଆସ କାରୁଣିକ ମୋ ଗଳାମାଣିକ

ଦିଅ ପ୍ରଭୋ ବାରେ ଦେଖା

ଆସ ହେ କପାଳି ମୋର ଗଳାମାଳି

ଦାସୀ ନ କର ଉପେକ୍ଷା ।

 

ତୁମ୍ଭେ ମୋ ଜୀବନ ତୁମ୍ଭେ ପ୍ରାଣଧନ

ତୁମ୍ଭେ ଜପ, ତପ, ନିଧି

ନ ଦେଲେ ଦର୍ଶନ ତେଜିବି ଜୀବନ

ଆସ କରୁଣାବାରିଧି !

 

ନ କର ବିଳମ୍ବ ଆସ ପ୍ରାଣଧବ

ଦିଅ ଦାସୀରେ ଦଶନ

କ୍ଷମି ଦାସୀଦୋଷ ଆସ ଆଶୁତୋଷ

ଆହେ ବିଭୂତିଭୂଷଣ !

 

ଜଗତତାରଣ କମଳଚରଣ

ଦିଅ ଦାସୀ ଶିରେ ଥୋଇ

ହୁଏ ମୁଁ ପବିତ୍ର ହେ ଦେବ ତ୍ରିନେତ୍ର

ଚକ୍ଷୁନୀରେ ପାଦ ଧୋଇ ।

 

ଦିଅ ପଦରେଣୁ ଦେବଦେବ ସ୍ଥାଣୁ

ନ କର ବାରେ ନିରାଶ

ନୟନପିତୁଳା ନ କର ବାତୁଳା

ଛାଡ଼ି ଆସ କଇଳାସ ।

 

ହେ ଚନ୍ଦ୍ରଶେଖର ଚନ୍ଦ୍ରଆସ୍ୟବର

ଦେଖାଅ ଦାସୀକୁ ଥରେ

ହେ ଦେବ କପର୍ଦ୍ଦି ପଦ୍ମପଦ ବନ୍ଦି

ଦାସୀ ରହୁ ସୁପଥରେ ।

 

ତୁମ୍ଭେ ଅଳଙ୍କାର ଗଳାରତ୍ନ ମୋର

ତୁମ୍ଭେ ମୋ ମସ୍ତକମଣି

ତୁମ୍ଭେ ମୋର ଧ୍ୟାନ ତୁମ୍ଭେ ମୋର ଜ୍ଞାନ

ତୁମ୍ଭେ ମୋ ସମୃଦ୍ଧି ଖଣି ।

 

ମୋ ନେତ୍ରସଙ୍ଖାଳି ଆସ ଗଳାମାଳି

ନ ହୁଅ ବାରେ ନିର୍ଦ୍ଦୟ

ନନ୍ଦୀ ଧରି ସାଥ ଆସ ପ୍ରାଣନାଥ

ଭୂତନାଥ ଦୟାମୟ ।

 

ଏ ସଭାମନ୍ଦିର ଦିଶେ ଅସୁନ୍ଦର

ନ ଧରି ତୁମ୍ଭଙ୍କୁ ଅଙ୍କେ

ମୋ ଜୀବନତରୀ ଯାଏ ଥରି ଥରି

ନୈରାଶ୍ୟବାତେ ସଶଙ୍କେ ।

 

ଆସ କର୍ଣ୍ଣଧାର କର ହେ ଉଦ୍ଧାର

ନଇଲେ ବୁଡ଼ିଲା ତରୀ

ନାରୀହତ୍ୟା ଦୋଷ ଲାଗି ଆଶୁତୋଷ

ଲୋକନିନ୍ଦା ଯିବ ଭରି ।

 

ମୋ ନେତ୍ରଚକୋର ଶମୁ ତୃଷ୍ଣା ତୋର

ଶ୍ରୀ ମୁଖଚନ୍ଦ୍ରିକା ପାଇ

ନ କରି ବିଳମ୍ବ ଆସ ଜୀବଧବ

ଦିଅ ଶ୍ରୀକର ବଢ଼ାଇ ।

 

ତୃଷାର୍ତ୍ତରେ ଜଳ- ଦାନର ସୁଫଳ

ଲଭିବ ମୋ ରଙ୍କନିଧି

କ୍ଷୁଧାର୍ତ୍ତେ ଭୋଜନ ଦାନ ଜାତ ପୁଣ୍ୟ

ଆସ କରୁଣାବାରିଧି ।

 

ତୁମ୍ଭ ଗିରନୀର- ଶମୁ ଏ ଦାସୀର

ହୃଦବନ ଦାବାନଳ

ନ କରି ନିରାଶ ଆସ ଦାସୀ ପାଶ

ଦୁଃଖାଗ୍ନି ଜଳେ ପ୍ରବଳ ।

 

ନ ହୁଅ ଶିଶିର ପକ୍ଷେ ଏ ଦାସୀର

ଦେଖାଅ ମୁଖମିହିର

ମୋ ହୃଦନଳିନ ନ ଲଭୁ ମଳିନ

ଦୂରଦଶା ବିଶ୍ୱବୀର ।

 

କରୁଣା ବରୁଣା- ଳୟ କୃପା ଊଣା

କଲେ ମଲିଟି ଅଚିରେ

ତୁମ୍ଭ କୃପାଅମ୍ବୁ ଢାଳିଦିଅ ଶମ୍ଭୁ

ଏ ଦାସୀ ତପ୍ତ ଶରୀରେ ।

 

ଏପରି ବିନତି କରି ମହାସତୀ

ରହନ୍ତେ ହୋଇ ନିରାଶ

ଅଦଭୁତ ଜ୍ୟୋତି ଉଇଁଲା ଝଟତି

ଝଲସାଇ ଦଶଦିଶ ।

 

ସେ ଜ୍ୟୋତି ପ୍ରଭାରେ ସେ ମହାସଭାରେ

ହୋଇଲେ ସର୍ବେ ନିଷ୍ପ୍ରଭ

ରବି ସମ୍ମୁଖରେ ଖଦ୍ୟୋତ ପ୍ରକାରେ

ଦିଶିଲା ସଭାବିଭବ ।

 

ଡମ୍ବରୁ ବଜାଇ ମାନସ ରଞ୍ଜାଇ

ଆବିର୍ଭୂତ ହେଲେ ଶିବ

ହୁଅନ୍ତେ ତ୍ରିଶୂଳ- ତେଜ ଚକ୍ଷୁଶୂଳ

ଦକ୍ଷ ହେଲେ ନତଗ୍ରୀବ ।

 

ସଭାସଦ ଆଖି ଝଲସିଲା ଦେଖି

ଅପୂର୍ବ ତେଜସ୍ୱୀ ହର

ନୟନ ପଲକେ ନିମିଷ ମାତ୍ରକେ

ସତୀ ହୋଇଲେ ଅନ୍ତର ।

 

ସତେ କି ଚପଳା ଧଳା ମେଘେ ଖେଳା

କଲା ଗଗନେ ନିରୋଳେ

ତଥା ପଶୁପତି ଅଙ୍ଗେ ମହାସତୀ

ମିଶିଗଲେ ପ୍ରେମଭୋଳେ ।

ନୟନସମ୍ପତ୍ତି ସେ ଦିବ୍ୟ ଦମ୍ପତି

ସଭା କରି ଆଲୋକିତ

ଉଦୀଚୀ ଦିଗରେ ପ୍ରବେଶି ବେଗରେ

ହୋଇଗଲେ ତିରୋହିତ ।

ଲୋକ କୋଳାହଳେ ଜନତା ଗହଳେ

ଉପୁଜିଲା ବିଶୃଙ୍ଖଳା

‘‘ନେଲା’’ ‘‘ନେଲା’’ ଧ୍ୱନି କମ୍ପାଇ ଅବନୀ

ଦକ୍ଷମୁଖ କଲା କଳା ।

‘‘ତାକୁ ଧର ଧର ବେଗେ ମାର ମାର’’

ପ୍ରଚଣ୍ଡ ରବେ ହୁଙ୍କାରି

କମ୍ପାଇ ସ୍ୱତନୁ ଧରି ଚଣ୍ଡ ଧନୁ

ଦକ୍ଷ ଦେଲେକ ଟଙ୍କାରି ।

ଦେଖିଲେ ଉଦ୍‌ବେଗେ ଦଶଦିଗ ଭାଗେ

କେଉଁ ଲୋକସତ୍ତା ନାହିଁ

ହୃଦେ ଲଭି ସଂଜ୍ଞା କରିଲେ ପ୍ରତିଜ୍ଞା

ଶିର କିରୀଟ କମ୍ପାଇ ।

ନେବି ପ୍ରତିଶୋଧ ଦୁର୍ଦ୍ଦାନ୍ତ ନିର୍ବୋଧ

ଶିବ ପରେ ଦିନେ ମୁହିଁ

ଏ ମୋହର ପଣ ସତ୍ୟ କରି ମଣ

କହୁଛି ଧନୁକୁ ଛୁଇଁ ।

ଶୁଣି ଏହି ବାଣୀ ପ୍ରଭୁ ବେଦପାଣୀ

କହିଲେ ଦକ୍ଷେ ବୁଝାଇ

ଶଙ୍କର ଶକତି ଅଟନ୍ତି ତୋ ସଖୀ

ଏଥି ଦୋଷ କିଛି ନାହିଁ ।

କିପାଁ ମୂର୍ଖବାଣୀ ଧରୁ ତୁଣ୍ଡେ ଆଣି

ମହା ଶକ୍ତିଶାଳୀ ଭବ

ତାଙ୍କ ନିନ୍ଦା ଫଳେ ପାଇବୁ ଭୂତଳେ

ତୁହି ମହା ପରାଭବ ।

କମଳଲୋଚନ କୋମଳ ବଚନ

ଶୁଣି ଦକ୍ଷ ଗଲେ ଘର

ତେଜି ସ୍ଵୟମ୍ବର- ସଭା ଯେଝା ଘର

ଗଲେ ଦେବ-ନୃପବର ।

Image

 

ସପ୍ତମ ସର୍ଗ

ସତୀଙ୍କର ସେବା

 

ସ୍ୱାମୀଅଙ୍କେ ବସି ମନ୍ଦେ ମନ୍ଦେ ହସି

ଦକ୍ଷସୁତା ମହାସତୀ

ଗମିଲେ କୈଳାସେ ଶଙ୍କର ନିବାସେ

ଆସି ମିଳିଲେ ଝଟତି ।

 

ନଭଶ୍ଚୁମ୍ଭୀ ନଗ ଦୂରୁ ଦେଖି ବ୍ୟଗ୍ର

ହୁଅନ୍ତେ ବିଶ୍ୱବନ୍ଦିତା

‘‘ଏହି ଅଭ୍ରଙ୍କସ ଶୂଚିତା ନିକକ୍ଷ

ନଗେ ଦେବି ଅନିନ୍ଦିତା ।

 

ମୋ ବାସ ପାର୍ଶ୍ୱରେ ମାନସରୋବରେ

ଅବଗାହ ଅର୍ଥେ ପୁଣି

ପ୍ରତ୍ୟହ ପ୍ରତ୍ୟୁଷେ ହରଷେ ପ୍ରଦୋଷେ

ଆସନ୍ତି ସୁରତରୁଣୀ ।

 

ଏଥି ଅପସରା ସୁଷମାପସରା

ଆସନ୍ତି ଗୋ ମୋତେ ପୂଜି

ରତନ ଆକର ସର୍ବ ଶୋଭାଘର

ଏ ଶଇଳ ଥାଅ ବୁଝ ।

 

ଏ ଶଇଳଶୋଭା ମନନେତ୍ରଲୋଭା

ଶୁଣ ରେ ବରସୁନ୍ଦରି

ମହର୍ଷିସେବିତ ଅତି ସୁଶୋଭିତ

ହୋଇଛି ଏହାର ଦରୀ ।

 

ଫଳପୁଷ୍ପ ଭରା ଶୁଣ ନାରୀବରା

ସଦାକାଳେ ଏ ପର୍ବତ

ନାନା ଶୋଭାପୁଞ୍ଜ ଧରି ଲତାକୁଞ୍ଜ

ଘେରି ରହିଛି ସର୍ବତ୍ର ।

 

ଏହି ନଗମଣି ଶୁଭ୍ର ଶୋଭାଖଣି

ଅଟଇ ମହୀମଣ୍ଡନା

ଆର୍ଜବର ଘର ଅଟେ ଏ ଭୂଧର

ଏଥି ନାହିଁ ବିଡ଼ମ୍ବନା ।

 

ହିଂସ୍ର ଜନ୍ତୁରାଜି ହିଂସାଭାବ ତେଜି

ଥାନ୍ତି, ଏଥି ନାହିଁ ବ୍ରୀଡ଼ା ।

ଶୋଭନୀୟ ଗୁଣ ଶୋଭନୀୟେ ଶୁଣ

କରୁଥାଏ ଏଥି କ୍ରୀଡ଼ା ।

 

ସଦା ଶୁଭଧାମ ଅଟେ ନଗୋତ୍ତମ

ପାବନି ପ୍ରାଣବଲ୍ଲଭା

ନେତ୍ର ଅଭିରାମ ଏ ଶଇଳଧାମ

ମୁକତି ଏଥି ସୁଲଭା ।

 

ହୃଦ ବିନୋଦନ ନୟନ ନନ୍ଦନ

ଅଟେ ଏହି ଗରିବର

ଏ ଚାରୁ ଜୀମୂତ ସଦାକାଳେ ପୂତ

ବାରିଦମାଳାର ଘର ।

 

ହିରଣ୍ୟ-ବରଣା ଶରଚ୍ଚନ୍ଦ୍ରାନନା

ଘନକୁନ୍ତଳା ସୁନ୍ଦରି

ଏ ଶଇଳ ଶିଖେ ସଦା ମନସୁଖେ

ବିହର ଗୋ ବିମ୍ୱାଧରି !’’

 

କହି ଏ ବଚନ ଦେବ ତ୍ରିଲୋଚନ

ସ୍ପୃଶନ୍ତେ ସତୀଶରୀର

ହର୍ଷେ ପୁଲକିତ ପୁଣି ରୋମାଞ୍ଚିତ

ହେଲା ତନୁ ସୁନ୍ଦରୀର ।

 

ପକ୍ୱବିମ୍ୱାଧରୀ ସତୀକର ଧରି

ପ୍ରବେଶନ୍ତେ ସ୍ୱ ଆଗାର

ଭକ୍ତିପୂର୍ଣ୍ଣ ହୃଦେ ପାରିଷଦବୃନ୍ଦେ

ପ୍ରଣମିଲେ ବାରମ୍ୱାର ।

 

ଶଇବ ପ୍ରବର ଶ୍ରୀ ନନ୍ଦୀକେଶ୍ୱର

କଲେ ସାଷ୍ଟାଙ୍ଗ ପ୍ରଣାମ

ହୃଦୟ ଆନନ୍ଦେ ଶିବଶିବା ପଦେ

ଉଚ୍ଚାରି ବେନିଙ୍କ ନାମ ।

 

ବିମଳ ଆନନ୍ଦେ ଭକ୍ତି ଗଦଗଦେ

ଲୋଟିଲେ ଧରଣୀ ତଳ

ନନ୍ଦୀ ଭକ୍ତି ଦେଖି ସତୀ ପଦ୍ମଅକ୍ଷି

ପ୍ରେମେ ହେଲା ଛଳଛଳ ।

 

ସର୍ବ-କ୍ଷେମଙ୍କର ଭବାନୀ ଶଙ୍କର

ସୁଖେ ରହିଲେ ଆବାସେ

ଦିବସ ଯାମିନୀ ଯାପିଲେ କାମିନୀ

ପତି ସଙ୍ଗେ ପରିହାସେ ।

 

ଦେବୀ ଶୁଭାଗମେ ଶଙ୍କର ଆଶ୍ରମେ

ଖଟିଗଲେ ଋଦ୍ଧି ସିଦ୍ଧି

ଶଇଳଶିଖର ହେଲା ମନୋହର

ହୋଇ ସର୍ବଶୋଭାନିଧି ।

 

ଗିରି କଳେବର ଦିଶିଲା ସୁନ୍ଦର

ଅକାଳେ ପାଦପଲତା

ହୋଇ ମନୋହରା ଫଳଫୁଲଭରା

ଆଣିଦେଲେ ପ୍ରସନ୍ନତା ।

 

ଅକାଳେ ପ୍ରସୂନ- ମକରନ୍ଦେ ପୂର୍ଣ୍ଣ

ହୁଅନ୍ତେ ଭ୍ରମରଗଣ

ମାନସରଞ୍ଜନ ମଧୁର ଗୁଞ୍ଜନ-

ତାନେ ମୋହିଦେଲେ ମନ ।

 

ଜଗଦମ୍ୱା ସେବା- ଅର୍ଥେ ହୋଇ ଲୋଭା

ପୂତନୀରା ସୁରଧୁନୀ

ଦିବୁଁ ଅବତରି କଳନାଦେ ଝରି

ମୋହିଲେ ତପସ୍ୱୀ ମୁନି ।

 

ଚନ୍ଦନ ତରୁର ବାସେ ହରପୁର

ହୋଇଗଲା ସୁବାସିତ

ମୃଦୁଳ ମଳୟ ଅନିଳ ଅଥୟ

କଲା କାମିଜନ ଚିତ୍ତ ।

 

ରୋଗ ଶୋକ ଦୁଃଖ      ହୋଇଣ ବିମୁଖ

ଗଲେ ଅପସରି ଦୂରେ

ଦିବ୍ୟଭୋଗ ରାଶି ବିରାଜିଲା ଆସି

ସଦା ପୂତ ଶିବପୁରେ ।

 

ଶମନ ଗରିମା ସେ ଶଇଳ ସୀମା-

ମଧ୍ୟେ ହେଲା ପରାହତ

ଅଧିବାସିଗଣ କଲେ ବିଚରଣ

ନୋହି ଜରା-ପୀଡ଼ା-ଗ୍ରସ୍ତ ।

 

ଭୋଜ୍ୟ ଚୋଷ୍ୟ ଲେହ୍ୟ ଚର୍ବ୍ୟ ସୁଧାପେୟ

ଭରିଗଲା ପର୍ବତରେ

ସୁଖେ ସର୍ବ ପ୍ରାଣୀ କହି ସତ୍ୟ ବାଣୀ

ରହିଲେ ହୃଷ୍ଟ ଚିତ୍ତରେ ।

 

ହିଂସା, ମିଥ୍ୟା, ଗର୍ବ ପଳାଇଲେ ସର୍ବ

ନ ପାଇଣ ତହିଁ ସ୍ଥାନ

ସ୍ୱର୍ଗୀୟ ସମ୍ପଦ ରାଜନ୍ତେ ବିପଦ

ହୋଇଗଲା ହତମାନ ।

 

ତରୁଣ ଅବସ୍ଥା ଲଭିଲେ ସର୍ବଥା

ପ୍ରାଣୀ ପାଦପ ସରବେ

ସେ ଶଇଳମଣି ହୋଇ ସୁଖଖଣି

ପୂରିଲା ଦିବ୍ୟ ବିଭବେ ।

 

ଯଥାକାଳେ ବୃଷ୍ଟି ଜନ୍ମାଇଲା ତୁଷ୍ଟି

ଶୈଳ ହେଲା ଶସ୍ୟଭରା

ଗିରିପରେ ବସି ଶୋଭାରାଣୀ

ମେଲାଇଦେଲା ପସରା ।

 

ପ୍ରାଣିହୃଦଗତେ କାମନା ଜାଗନ୍ତେ

ପୂର୍ଣ୍ଣ ହୁଏ ମନୋରଥ

ଅଚିନ୍ତିତ ଶିରି- ପୂର୍ଣ୍ଣ ହେଲା ଗିରି

ଗିରିବର୍ତ୍ତ୍ମ ରାଜପଥ ।

 

ସାଧ୍ୱୀ ପତିବ୍ରତା ହୋଇଲେ ବନିତା

ପୁତ୍ରେ କଲେ ଗୁରୁସେବା

ସ୍ୱକାର୍ଯ୍ୟେ ତତ୍‌ପର ହେଲେ ଦ୍ୱିଜବର

ଯଜ୍ଞେ ପୂଜି ଦେବୀ ଦେବା ।

 

କଳହ ବିବାଦ ନିନ୍ଦା ଅପବାଦ

ଦୂରେ ପଳାଇଲା ଘୁଞ୍ଚି

କର୍ତ୍ତବ୍ୟ ସାଧନେ ରତ ହେଲେ ଜନେ

ହୃଦରୁ ବିକାର ମୁଞ୍ଚି ।

 

ଅପୂର୍ବ ବିଭବ ସୃଜିଲେ ସରବ

ଶିବଧାମେ ଶିବା ସତୀ

ଜୀବନସର୍ବସ୍ୱ ପୂଜ୍ୟ ଜୀବିତେଶ

ପାଦପଦ୍ମେ ରଖି ମତି ।

 

ସଦା ପତି ଧ୍ୟାନ ସଦା ପତି ଜ୍ଞାନ

ସଦା ପତି ଆରାଧନା

ପତିହିଁ କାମନା ପତିହିଁ ଭାବନା

କରନ୍ତି ହରଅଙ୍ଗନା ।

 

ପତି ବିନା ସାରା ସଂସାରକୁ କାରା

ମଣିଲେ ରମଣୀହୀରା

ପତି ବିନା ବିଶ୍ୱ ଭାବୁଥିଲେ ବିଷ

ପତିପ୍ରାଣା ନାରୀ ଧୀରା ।

 

ପତି ଶ୍ରୀ ଚରଣ ସେବି ଅନୁକ୍ଷଣ

ଆନନ୍ଦେ ନବ କାମିନୀ

ପଲକର ପରି ମଣିଲେ ସୁନ୍ଦରୀ

ସମସ୍ତ ଦିନ ଯାମିନୀ ।

 

ତିଳେହେଁ ଅନ୍ତର ନୋହି ସ୍ଥାନାନ୍ତର

କରୁ ନ ଥିଲେ ଗମନ

ଆବଶ୍ୟକ ବଳେ ଅନ୍ୟ ସ୍ଥାନ ଗଲେ

ପତିପଦେ ଥାଏ ମନ ।

 

କାନନୁ ସୁମନ ଆଣନ୍ତି ବହନ

କରି ପତିଙ୍କୁ ମଣ୍ଡନ

ଉତ୍‌ଫୁଲ୍ଲ ନୟନେ ମୁଖ ଦରଶନେ

କରନ୍ତି ତାପ ଖଣ୍ଡନ ।

 

ପତିଗଳେ ମାଳା ଲମ୍ୱାଇଣ ବାଳା

ଜଟାରେ କୁସୁମ ଖଞ୍ଜି

ସୁବାସ ସୁମନ କରି ବରଷଣ

ଦେଉଥାନ୍ତି ମନ ରଞ୍ଜି ।

 

ଅଗୁରୁ-ଚନ୍ଦନ କରନ୍ତି ମର୍ଦ୍ଦନ

ବଲ୍ଲଭଙ୍କ କଳେବରେ

ପଦ୍ମ ପଦଦ୍ୱନ୍ଦ୍ୱେ ନମନ୍ତି ଆନନ୍ଦେ

ସର୍ବଦା ଭକତିଭରେ ।

 

ନିଜେ ପାକକାର୍ଯ୍ୟ ସାଧି ଦେବୀ ଆର୍ଯ୍ୟ-

ପୁତ୍ରଙ୍କୁ ଦିଅନ୍ତି ଆଣି

ଭୋଜନ-ସମୟେ ଜନନୀ ପରାଏ

କହନ୍ତି କୋମଳ ବାଣୀ ।

 

ଆଣି ଶୀତ ଜଳ ଚରଣକମଳ

ବେନି ହସ୍ତେ ପ୍ରକ୍ଷାଳନ୍ତି

ପାଦଧୌତ ଜଳ ଧରି ଶିର ପର

ମଣନ୍ତି ସୌଭାଗ୍ୟବତୀ ।

 

ପତି ପଦଧୂଳି ସୀମନ୍ତରେ ବୋଳି

ଭାବନ୍ତି ନିଜକୁ ଧନ୍ୟା

ପତିଭୁକ୍ତ ଅନ୍ନ କରନ୍ତି ଭୋଜନ

ଆନନ୍ଦରେ ଦକ୍ଷକନ୍ୟା ।

 

କରି ଗୃହକାର୍ଯ୍ୟ ପୁଲକରେ ଆର୍ଯ୍ୟ

ପୁତ୍ର ପଦ ଥାନ୍ତି ସେବି

ପତି-କାର୍ଯ୍ୟମାନ ହୋଇ ସାବଧାନ

ସାଧୁଥାନ୍ତି ସାଧ୍ୱୀ ଦେବୀ ।

 

ପତି ଅଙ୍ଗଭୂଷା ଦେଖି ବରଯୋଷା

ତେଜିଲେ ରତ୍ନଭୂଷଣ

ରୁଦ୍ରାକ୍ଷର ମାଳା ଲମ୍ୱାଇଲେ ବାଳା

କରେ ରୁଦ୍ରାକ୍ଷ କଙ୍କଣ ।

 

କୌଷେୟ ବସନ କରି ବିସର୍ଜନ

ଗୈରିକ ଅମ୍ୱରେ ତନୁ

ମଣ୍ଡିଲେ ମୋଦରେ ପତି ଭକ୍ତିଭରେ

ସୁବ୍ରତା ସତୀ ସୁତନୁ ।

 

ସ୍ୱାମୀ ସ୍ନେହ ହେଜି ଅଙ୍ଗରାଗ ତେଜି

ଭସ୍ମ ଲେପିଲେ ଶରୀରେ

ଯୋଗିନୀର ପରି ଦିଶିଲେ ସୁନ୍ଦରୀ

ଯୋଗୀଶ ପାଶେ ବିଧିରେ ।

 

ଭସ୍ମବିଲେପିତ ଭୂଷଣବଞ୍ଚିତ

ଗୈରିକ ବସନେ ଗାତ୍ର

ଝଟକ ହାଟକ- ବରଣ ଛଟକ

ଯୋଗୁଁ ହେଲା ଶୋଭାପାତ୍ର ।

 

ସ୍ୱାମୀଙ୍କ ଶୁଶ୍ରୂଷା କରି ସାଧ୍ୱୀ ଯୋଷା

କହନ୍ତି ମୃଦୁ ବଚନ

ସେବାରେ କାହାର ନାହିଁ ଅଧିକାର

ମୋର ବିନା କଦାଚନ ।

 

କ୍ଷଣେ ପାଶୁଁ ଦୂର ହୋଇଲେ ତ୍ରିପୁର-

ଅନ୍ତକ ପ୍ରଭୁ ପିନାକୀ

ପାଗଳିନୀ ପରି ଖୋଜନ୍ତି ସୁନ୍ଦରୀ

ପ୍ରାଣଧନ ବୋଲି ଡାକି ।

 

ଅନ୍ନପୂର୍ଣ୍ଣା-ପ୍ରେମ ହେଲା ଅନୁପମ

ସମସ୍ତ ପ୍ରାଣିଜଗତେ

ପତିପଦ ଧ୍ୟାନ ପତିସେବା ଜ୍ଞାନ

ଜାଗୁଥିଲା ହୃଦଗତେ ।

 

ଶଙ୍କର ଅନିନ୍ଦ୍ୟ ନୟନାରବିନ୍ଦ

ନାଚେ ପ୍ରେମେ ଢଳ ଢଳ

ଦେବୀଙ୍କ କାଞ୍ଚନ ଲଲାଟେ ରଚନ

ଦେଖି ସିନ୍ଦୂର ମଣ୍ଡଳ ।

 

ରଞ୍ଜିତ ବରଣ କନକକିରଣ

ପ୍ରକଟି ପୂର୍ବାଶେ ଛବି

ପଦ୍ମ ପ୍ରମୋଦିତ କରି କି ଉଦିତ

ଆରକ୍ତକ ବାଳରବି ?

 

ଅତି ବିଚକ୍ଷଣ ଅପାଙ୍ଗ ଈକ୍ଷଣ

ଦେଖି ଏଣୀନୟନାର

ହୁଏ ଉଲ୍ଲସିତ ଚନ୍ଦ୍ରଚୂଡ଼ ଚିତ୍ତ

ସର୍ବଦା ଶାନ୍ତି ଭଣ୍ଡାର ।

 

ଶଶାଙ୍କଶେଖର ନୟନଚକୋର

ଚନ୍ଦ୍ରାନନା ସ୍ନିଗ୍‌ଧ ଆସ୍ୟ-

ଚନ୍ଦ୍ରିକାରେ ଲୁବ୍‌ଧ ସୁଷମାରେ ମୁଗ୍‌ଧ

ହୋଇ ଲଭିଲା ଉଲ୍ଲାସ ।

 

ଏକଦା ପ୍ରେୟସୀ ପତିପାଶେ ବସି

ଭାଷିଲେ ଗିର ମଧୁର

ବିନୀତ ବଚନ ‘‘ଶୁଣ ତ୍ରିଲୋଚନ

ଅନ୍ତର କଥା ବଧୂର ।

 

ଜନ୍ମେ ଜନ୍ମେ ତୁମ୍ଭ ପାଦପଦ୍ମ ଶୁଭ

ଆରାଧୁଥିବ ଏ ଦାସୀ

ଦିଅ ଏହି ବର ଦେବଦେବ ହର

ନିତ୍ୟ ସତ୍ୟ ଅବିନାଶୀ ।

 

ଶୟନେ ସ୍ୱପନେ କିବା ଜାଗରଣେ

ପଦ୍ମପାଦେ ଥିବ ଧ୍ୟାନ ।

ହୋଇ ଅର୍ଦ୍ଧାଙ୍ଗିନୀ ପୂର୍ଣ୍ଣ ସୌଭାଗିନୀ

ଲଭେଁ ମୁଁ ସଦା ସମ୍ମାନ ।

 

ମୋ ଶ୍ରୁତିପଥରେ ନ ଆସିବ ଥରେ

ତୁମ୍ଭ ନିନ୍ଦୁକର କଥା

ଯଦି ଆସେ ଥରେ ମରିବି ସତ୍ୱରେ

ଏ ପଣ ନୋହୁ ଅନ୍ୟଥା ।’’

 

ପ୍ରେୟସୀ ପତ୍ନୀର ଶୁଣି ମଧୁଗିର

ମନରେ ଭରି ସନ୍ତୋଷ

‘‘ଏବମସ୍ତୁ’’ ବାଣୀ କହି ସେହିକ୍ଷଣି

ନୀରବିଲେ ଆଶୁତୋଷ ।

 

ଦେବୀସ୍ତବେ ଅତି ତୋଷେ ପଶୁପତି

ନ ଛାଡ଼ିଲେ ଦେବୀପାଶ

ପତିପଦେ ପ୍ରାଣ କରି ସମର୍ପଣ

ସତୀ ଲଭିଲେ ଉଲ୍ଲାସ

 

ପରସ୍ପର ପ୍ରେମ ହେଲା ନିରୁପମ

କେହି କାହାଠାରୁ ତିଳେ

ନ ହୋଇ ଅନ୍ତର ଅର୍ଦ୍ଧନାରୀଶ୍ୱର

ହେଲେ ପ୍ରେମ ଅନାବିଳେ ।

 

ଶିବଦାସ ନନ୍ଦୀ ପାଦପଦ୍ମ ବନ୍ଦି

ଗମିବାକୁ ଅବସର

ନ ପାଇ ବିମନା ହେଲେ ମହାମନା

ସଦା ଶର୍ବରୀ ବାସର ।

 

ସତୀ ସହବାସ ବିନୁ ଅବକାଶ

ନ ପାଇଲେ କ୍ଷଣେ ନନ୍ଦୀ

ଶ୍ରୀ ମୁଖଦର୍ଶନ ଶ୍ରୀ ପଦଅର୍ଚ୍ଚନ

ନ କରି ହୋଇଲେ ଧନ୍ଦି ।

 

ଭାବିଲେ ମନରେ କେଉଁ ବିଧାନରେ

କରିବି ମୁଁ ଆରାଧନା

ଗଉରୀ ଈଶାନ ଦେବେ ଦରଶନ

ସାଧିଲେ କେଉଁ ସାଧନା ।

 

ହୃଦେ ପଦ ବନ୍ଦି ମହାନନ୍ଦେ ନନ୍ଦୀ

ମାନସ-ପୂଜାରେ ମନ-

ନିବେଶି ଭୂମିରେ ବସିଗଲେ ଧୀରେ

ସ୍ମରି ଶିବ ସନାତନ ।

Image

 

ଅଷ୍ଟମ ସର୍ଗ

ନନ୍ଦୀକେଶ୍ୱରଙ୍କ ମାନସିକ ଆରାଧନା

 

(ଧ୍ୟାନ)

 

‘‘ରୌପ୍ୟ ଗିରିସମ ଶୁଭ୍ରାଙ୍ଗ ସୁଷମ

ଚାରୁଚନ୍ଦ୍ର ଅବତଂସ

ଉଜ୍ଜ୍ୱଳ ରତନ- ଭୂଷିତାପଘନ

ଯୋଗୀଶ ପରମହଂସ,

 

ଶୂଳ-ମୃଗ-ଧର ବରାଭୟକର

ଶାନ୍ତ ପ୍ରସନ୍ନ ବଦନ

ଚାରୁ ପଦ୍ମାସନ ନିତ୍ୟ ଉଦାସୀନ

ସର୍ବଥା ଶୁଭସଦନ,

 

ସର୍ବ ଦେବବନ୍ଦ୍ୟ ଅନାଦି ଅନିନ୍ଦ୍ୟ

ସଂସାର ଭୟହାରକ

ଚିତ୍ର-ଚର୍ମାମ୍ୱର ପଞ୍ଚବକ୍ତ୍ରଧର

ନିଖିଳ ବିଶ୍ୱପାଳକ

 

ଦେବ ତ୍ରିଲୋଚନ ବିପଦମୋଚନ

ଆସ ଭକତବତ୍ସଳ

ଦିବ୍ୟ ସୁଖଧାମ ମୋହୃଦେ ବିଶ୍ରାମ

କର ଦୁର୍ବଳର ବଳ ।

 

ମୁଖ-ବାଳରବି ସମୁଜ୍ଜ୍ୱଳ ଛବି

ଦେଖି ମୋ ହୃଦକମଳ

କୃପା-କରବାର ପାଇ ବାରମ୍ୱାର

ପ୍ରେମେ ନାଚୁ ଢଳ ଢଳ ।

 

ମୋ ହୃଦ ଉତ୍ପଳ ତୁମ୍ଭ ବାସସ୍ଥଳ

ହେଉ ପ୍ରଭୁ ଅବିରତ

ଶ୍ରୀରୂପ ମାଧୁରୀ ମୋର ଚିତ୍ତେ ପୂରି

ରହିଣ ଥାଉ ନିରତ ।

 

ଆସ ମା ଶଙ୍କରି ସଦା କ୍ଷେମଙ୍କରି

ସୁମୁଖି ଚାରୁହାସିନି,

ସର୍ବ ସୁଲକ୍ଷଣା କମଳ-ଈକ୍ଷଣା

ସାଧ୍ୱୀ ମଧୁରଭାଷିଣୀ,

 

କାଞ୍ଚନବରଣା ରାଜୀବଚରଣା

ତ୍ରିନୟନା ମହାସତୀ

ଅର୍ଦ୍ଧେନ୍ଦୁଶେଖରା ହରମନୋହରା

ଚାରୁଶୀଳା ରୂପବତୀ ।

 

ସର୍ବକାମପ୍ରଦେ ଆସ ଗୋ ବରଦେ

ବସ ମୋ ଚିତ୍ତଉତ୍ପଳେ

ହିରଣ୍ୟ ମୁକୁତା- ହାର ସୁଶୋଭିତା

ଶରଣ୍ୟେ ଭକ୍ତବତ୍ସଳେ ।

 

ବ୍ୟୋମକେଶ ଅଙ୍କେ ବସ ମା ପୁଲକେ

ପତିପତ୍ନୀ ଛବି ଦେଖି

ଅନ୍ତର-ନୟନ ହୋଇଯାଉ ଧନ୍ୟ

ବାହ୍ୟ ବାସନା ଉପେକ୍ଷି ।

 

ନୟନସମ୍ପତ୍ତି ଯୁଗଳମୂରତି

ଢାଳ ଅଂଶୁ ସୁନିର୍ମଳ

ମୋଦେ ଢଳ ଢଳ ନାଚୁ ଅବିରଳ

ମନ-ଅମଳକମଳ ।

 

(ଆବାହନ)

 

ଆସ ଗୌରୀଈଶ ପିନାକୀ ଯୋଗୀଶ

ଚନ୍ଦ୍ରଚୂଡ଼ ବୃଷଧ୍ୱଜ

ଦେବଅଧିଦେବ ନିତ୍ୟ ସର୍ବସେବ୍ୟ

ନିଖିଳ-ଜଗତ-ପୂଜ୍ୟ ।

 

ପ୍ରଭୁ ଭଗବାନ କପର୍ଦ୍ଦୀ ଈଶାନ

ହୃଦପଦ୍ମେ ବସ ହର

ନମୁଛି ଶ୍ରୀପଦେ ଭକ୍ତି ଗଦଗଦେ

ମୋ ପୂଜା ଗ୍ରହଣ କର ।

 

ଶ୍ୟାମାଙ୍ଗି ଶାଶ୍ୱତି ହରବଧୂ ସତି

ରକ୍ତାମ୍ୱୁରୁହଧାରିଣି

କଳସ-ଅଭୟ- ବର କରେ ଜୟ

ଜୟ ସଂକଟତାରିଣି !

 

ଶୁଭଦା ବରଦା ଜନନୀ ଶାରଦା

ଗୌରି ମୋ ହୃଦପଙ୍କଜେ

ଘେନ ଆରାଧନା ଶଙ୍କରଲଳନା

ବସି ଶିବାଙ୍କେ ଦକ୍ଷଜେ !

 

(ଆସନ)

 

ରମ୍ୟ ସୁଶୋଭନ କନକ-ଆସନ

ସର୍ବସୁଖକର ଶୁଭ

ଆସନ ନିମିତ୍ତ ଅର୍ପୁଅଛି ଚିତ୍ତ

ସତୀଧବ ସତ୍ୟ ଧ୍ରୁବ !

ହୋଇ ସୁପ୍ରସନ୍ନ ମୋ ମନ-ପ୍ରସୂନ

ପରେ ବିରାଜ ଈଶାନ

ମୋ ହୃଦକମଳ ହେଉ ସୁନିର୍ମଳ

ତୁମ୍ଭ ଯୋଗ୍ୟ ସିଂହାସନ ।

ବାମାଙ୍କେ ଜନନୀ ସତୀଶିରୋମଣି

ଧରି ପିତଃ ସରାଗରେ

ବିରାଜ ହେ ଆସି ନିତ୍ୟ ଅବିନାଶି

ଶମ୍ଭୁ ମୋ ହୃଦଭାଗରେ ।

(ପାଦ୍ୟ)

‘‘ଉଷୁମ ନିର୍ମଳ ସୁବାସିତ ଜଳ

ପାଦ ପ୍ରକ୍ଷାଳନ ପାଇଁ

ଆଣିଅଛି ଶମ୍ଭୁ ଦୟାନିଧି ପ୍ରଭୁ

ନିଖିଳ ବ୍ରହ୍ମାଣ୍ଡସାଇଁ ।

 

ଜଗତ-ଜନନି ପତିତପାବନି

ସୁବାସ ନିର୍ମଳ ଜଳ

ଆଣିଅଛି ଦାସ କୃପା ପରକାଶ

ଦେଖାଅ ପଦକମଳ ।

 

ଜଗତଆରାଧ୍ୟ ଶିବଗୌରୀ ପାଦ

ପ୍ରକ୍ଷାଳି ମୁଁ ହୁଏ ଧନ୍ୟ

କୃପାଦୃଷ୍ଟି ଥରେ ଏ ଦାସ ଉପରେ

ପଡ଼ୁ ଦେବ ଅଗ୍ରଗଣ୍ୟ ।

 

ପାଦଧୌତ ଅମ୍ୱୁ ପାନକରି ଶମ୍ଭୁ

ଧରୁଛି ମସ୍ତକପରେ

ଆଜ ହେଲି ଧନ୍ୟ ଲଭି ସର୍ବ ପୁଣ୍ୟ

ପାଦପୂତ ଉଦକରେ ।’’

(ଅର୍ଘ୍ୟ)

‘ଆହେ ଅଘନାଶି ଅର୍ଘ୍ୟ ଘେନ ଆସି

ଗନ୍ଧପୁଷ୍ପାକ୍ଷତ ସହ

ମୋଠାରେ କରୁଣା ନ କର ହେ ଊଣା

ସକଳ ଦୁରିତାପହ ।

 

ସଦା ଦୟାବତି ଜଗଦମ୍ୱା ସତି

କର ମୋ ଅର୍ଘ୍ୟ ଗ୍ରହଣ

ଦେଇ ଆର୍ଘ୍ୟୋଦକ ଜନନୀ ଜନକ

ବନ୍ଦୁଛି ତୁମ୍ଭ ଚରଣ ।’

(ଆଚମନୀୟ)

‘ଅତି ସୁନିର୍ମଳ ସର୍ବ ତୀର୍ଥଜଳ

ରଖିଛି ସମ୍ମୁଖେ ମୁହିଁ

କର ଆଚମନ ଦେବ ତ୍ରିଲୋଚନ

ହରପ୍ରିୟା ଚନ୍ଦ୍ରମୁହିଁ ।

 

ଦେଇ ଆଚମନ କରୁଛି ବନ୍ଦନ

ଜନକ ଜନନୀ ପଦ

କରୁଣାପୀୟୁଷ ଢାଳି ମୋ କଳୁଷ

ଖଣ୍ଡ ସକଳ ବିପଦ ।’

 

(ସ୍ନାନ)

ସିନ୍ଧୁ ସରସ୍ୱତୀ ରେବା ସ୍ରୋତସ୍ୱତୀ

ସରଯୁ କୃଷ୍ଣା ନର୍ମଦା

ଯମୁନା କାବେରୀ ଗଙ୍ଗା ଗୋଦାବରୀ

ନିର୍ମଳ ଜଳେ ସର୍ବଦା ।

 

ଭରିଣ କଳସ ରଖିଅଛି ଦାସ

ତୁମ୍ଭ ଅବଗାହ ପାଇଁ

କର ଦେବ ସ୍ନାନ କପର୍ଦ୍ଦି ଈଶାନ

ସୁଶାନ୍ତି ଦିଅ ଗୋସାଇଁ ।

 

ମାତଃ ଭଗବତି ହରପ୍ରିୟେ ସତି

ଅବଗାହ ଆନନ୍ଦରେ

ଦାସରେ କରୁଣା ନ କର ଗୋ ଊଣା

ହୃଦ ରହୁ ଶ୍ରୀପଦରେ ।

 

ପୟୋଦଧି ଘୃତ- ଖଣ୍ଡ ମଧୁଯୁତ

ପଞ୍ଚାମୃତ ସ୍ନାନବିଧି

କର ସମ୍ପାଦନ ଜଗତ ବନ୍ଦନ

ଅପାର କୃପାବାରିଧି ।

 

ପଞ୍ଚାମୃତ ସ୍ନାନ ସାରି ପଞ୍ଚାନନ

ସ୍ୱଚ୍ଛ ତୋୟ-କଳସରେ

ସ୍ନାନ ଆଚମନ କର ତ୍ରିଲୋଚନ

ସତୀ ସଙ୍ଗେ ହରଷରେ ।

 

ମଳୟ ଭୂଧର- ସମ୍ଭୁତ ସୁନ୍ଦର

ଅଗୁରୁ ଚନ୍ଦନଗୋଳା

ନୀର ନିଅ କରେ ହୃଦ ପୁଲକରେ

ସ୍ନାନ ପାଇଁ ଶମ୍ଭୁ ଭୋଳା ।

 

ଗନ୍ଧ ସ୍ନାନ ସାରି ନିଅ ଶୁଦ୍ଧ ବାରି

କର ସ୍ୱଗାତ୍ର ମାର୍ଜନ

ଗଉରୀଙ୍କୁ ଧରି ଅନ୍ଧକର ଅରି

ହୁଅ ମୋ ନେତ୍ରରଞ୍ଜନ ।

 

ସୁଗନ୍ଧ ଦରବ ଦେଉଛି ସରବ

ଗୋଳି ରଜନୀ ଚନ୍ଦନ

ଉଦ୍‌ବର୍ତ୍ତନ ସ୍ନାନ ଲାଗି ଭଗବାନ

ନିଅ ତ୍ରିପୁର ମର୍ଦ୍ଦନ ।

 

ଉଦ୍‌ବର୍ତ୍ତନ-ସ୍ନାନ ଅନ୍ତରେ ଈଶାନ

ଶୁଦ୍ଧଜଳେ ଅବଗାହ

ସୁଶାନ୍ତି ବିଧାନ କରୁଣା ନିଧାନ

କର ମୋରେ ଅହରହ ।

 

ସ୍ୱଚ୍ଛ ଶାନ୍ତିନୀରେ ସକଳ ବିଧିରେ

ଅବଗାହି ଦିବ୍ୟ ଶାନ୍ତି

ଦିଅ ଦେବ ଦାସେ ହୃଦୟ ଉଲ୍ଲାସେ

ତୁଟୁ ମୋର ମନଭ୍ରାନ୍ତି ।

 

ଦେବୀ ସଙ୍ଗେ ଧରି ସ୍ନାନବିଧି ସାରି

କର ଦେବ ଆଚମନ

ନିଅ ସ୍ୱଚ୍ଛ ବାରି ପ୍ରଭୁ ତ୍ରିପୁରାରି

କର କରପ୍ରକ୍ଷାଳନ ।

(ବସ୍ତ୍ର)

ଜଗତକାରଣ ଲଜ୍ଜାନିବାରଣ

ପାଇଁ ରମ୍ୟ ଚର୍ମବାସ

କର ପରିଧାନ କରୁଣାନିଧାନ

ସକଳ ଶୁଭ ଆବାସ ।

 

ଆରକ୍ତ ସୁନ୍ଦର କୌଶେୟ ଅମ୍ୱର

ନେତ୍ରରଞ୍ଜନ କୋମଳ

ଭକ୍ତି-ବିନୟରେ ଅର୍ପୁଛି ପୟରେ

ମାତ ଦୁର୍ବଳର ବଳ

 

ପରିଧାନ କରି ତ୍ରିପୁରସୁନ୍ଦରି

ବସ ମୋ ହୃଦପଲଙ୍କେ

ପ୍ରସନ୍ନ ବଦନେ ଚାରୁଚନ୍ଦ୍ରାନନେ

ଚନ୍ଦ୍ରଚୂଡ଼ ରମ୍ୟ ଅଙ୍କେ ।

(ଉତ୍ତରୀୟ, ଉପବୀତ)

ଦେବମୟ ପୂତ ନବ ତନ୍ତୁ-ଯୁତ

ତ୍ରିଗୁଣିତ ଉପବୀତ

ଉତ୍ତରୀୟ ସଙ୍ଗେ ଲମ୍ୱାଉଛି ଅଙ୍ଗେ

ଶୋଭୁ ସୁତନୁ ପବିତ୍ର ।

 

ରମ୍ୟ ଉତ୍ତରୀୟ ମୋର କରୁ ନିଅ

ଜଗଜ୍ଜନନି ଅମ୍ୱିକା

ଲମ୍ୱାଅ ସ୍ୱବକ୍ଷେ କରୁଣା-କଟାକ୍ଷେ

ହୁଅ ମା ଶାନ୍ତିସାଧିକା ।

(ଆଭରଣ)

ଶୋଭୁ ଜଟାଜୂଟ ହାଟକ ମୁକୁଟ

ନେତ୍ରରଞ୍ଜନ କାନ୍ତିରେ

କନକ ପନ୍ନଗ ଟେକି ଫଣାଅଗ୍ର

ବସୁ ମସ୍ତକେ ଶାନ୍ତିରେ ।

 

ଭାଲେ ଚନ୍ଦ୍ରକଳା ଅତି ସମୁଜ୍ଜ୍ୱଳା

ବଢ଼ାଉ ଆନନ ଶୋଭା

ଶାନ୍ତିନିକେତନ ପ୍ରସନ୍ନ ବଦନ

ଦର୍ଶନେ ମୁଁ ହୁଏ ଲୋଭା ।

 

ଶ୍ରବଣଯୁଗଳ କନକକୁଣ୍ଡଳ

ଶୋଭାରେ ହେଉ ଶୋଭିତ

ସ୍ୱର୍ଣ୍ଣମୟ ସର୍ପ ଶୋଭି ଦପ ଦପ

ଗଳାରେ ହେଉ ଜଡ଼ିତ ।

 

ବକ୍ଷ ଶୋଭାକର ମୁକ୍ତା ମନୋହର

ମଣିହୀରକଖଚିତ

ଦାମେ ଶୋଭୁ ବକ୍ଷ ହେ କମଳଅକ୍ଷ

ଭସ୍ମଚନ୍ଦନଚର୍ଚ୍ଚିତ ।

 

ହେଉ ମୋ ଲୋଚନ ରୂପ ଦେଖି ଧନ୍ୟ

ପ୍ରଭୋ ଗୀର୍ବାଣବନ୍ଦିତ

ଶ୍ରୀକର ଭୂଷଣ ଅଙ୍ଗଦ କଙ୍କଣ

ଦର୍ଶନେ ନେତ୍ର ନନ୍ଦିତ ।

 

ଦେବୀଙ୍କ ମସ୍ତକ ଦିଶୁ ଝକ ଝକ

କାଞ୍ଚନ କିରୀଟବରେ

କନକ-ଅଳକା କୁସୁମ-କଳିକା

ରାଜୁ ଦେବୀ ସୀମନ୍ତରେ ।

 

ହିରଣ୍ୟକୁଣ୍ଡଳ ଚାରୁ ଗଣ୍ଡସ୍ଥଳ

ଶୋଭା କରୁ ଉଦ୍ଦୀପନ

ସ୍ୱର୍ଣ୍ଣ ଅବତଂସ ମନ୍ଦମନ୍ଦ ହସ

ଶୋଭନ କରୁ ଲପନ

 

କଣ୍ଠେ ମୁକ୍ତାବଳି ଗଳେ ରମ୍ୟ ମାଳି

ହିରଣ୍ୟ ହୀରକମୟ

ବାହୁରେ ହାଟକ- ନିର୍ମିତ ତାଟକ

କରେ କନକ-ବଳୟ ।

 

କାଞ୍ଚନ କଙ୍କଣ ଅଙ୍ଗୁରୀୟଗଣ

ବଢ଼ାଉ କର-ସୁଷମା

ସୁବର୍ଣ୍ଣ ମେଖଳା ସ୍ୱର୍ଣ୍ଣ ଚୁଡ଼ୀ ବଳା

ଧରୁ ଶୋଭା ଅନୁପମା ।

 

ମଞ୍ଜୁଳ ମଞ୍ଜିର ଚରଣ ରୁଚିର

ସୌନ୍ଦର୍ଯ୍ୟ ଦେଉ ପ୍ରକଟି

ଶିବ ଶିବା ପଦ ବନ୍ଦନେ ମୋ ହୃଦ

ଅବସାଦ ଯାଉ ହଟି ।

 

ଆଦର୍ଶ-ଉଜ୍ଜ୍ୱଳ ବ୍ୟଜନଯୁଗଳ

ସୁଛତ୍ର ଚାମର ଆଣି

ଅର୍ପୁଛି ଆଗରେ ଘେନ ସରାଗରେ

ଡମ୍ୱରୁ-ତ୍ରିଶୂଳ-ପାଣି ।

 

ସକଳ ଭୂଷଣ ଅର୍ଥରେ ପ୍ରସୂନ

ଅର୍ପୁଛି ପ୍ରଭୁପୟରେ

ସାଷ୍ଟାଙ୍ଗ ପ୍ରଣାମ କରେ ଅବିରାମ

ଶ୍ରଦ୍ଧାଭକ୍ତି ବିନୟରେ ।

 

(ଗନ୍ଧ)

ମାନସ-ନନ୍ଦନ ଶ୍ରୀଖଣ୍ଡ ଚନ୍ଦନ

ଗନ୍ଧମୟ ମନୋହର

ଅର୍ପେ ଭକ୍ତିଭରେ ପ୍ରଫୁଲ୍ଲ ଚିତ୍ତରେ

ବିଲେପନ ପ୍ରଭୋ ହର ।

 

କସ୍ତୁରୀ କର୍ପୂର ଗୋଳିଛି ତ୍ରିପୁର

ମାରଣ ଏ ବିଲେପନେ

ନାନାବିଧ ରଙ୍ଗେ ବୋଳିବି ଶ୍ରୀଅଙ୍ଗେ

ଅପଘନେ ଶ୍ରୀଲପନେ ।

 

ପୂତ ଭସ୍ମଧୂଳି ଅଙ୍ଗେ ଦେବି ଚାଳି

ଦେଖାଅ ପ୍ରଭୋ ତୋ ଅଙ୍ଗ

ଦିଅ ଏହି ବର ଜଗତ ଈଶ୍ୱର

ଲଭି ତୁମ୍ଭ ଭକ୍ତି ସଙ୍ଗ ।

 

ସଦା ସୁଖଧାମ ଶିବଗୌରୀ ନାମ

ଜପି ଯାଉ ମୋ ସମୟ

ନାଶ ଅପରାଧ ହୃଦ ଅବସାଦ

ଶଙ୍କର ମଙ୍ଗଳମୟ

 

ଭାଲପଟ୍ଟେ ଟୀକା ପାଇଁ ଗୋ ଅମ୍ୱିକା

ଘେନ ଏ ସିନ୍ଦୂରବିନ୍ଦୁ

ନୟନ ରଞ୍ଜନ ଲାଗ ଏ ଅଞ୍ଜନ

ନିଅ ମା କରୁଣାସିନ୍ଧୁ ।

 

ସୁଗନ୍ଧ ଦଳିତ କୁଙ୍କୁମ ଲଳିତ

ଧର ମା କମଳ କରେ

ହେଉ ମନୋହର ପାବନ ପୟର

ଆରକ୍ତ ଅଲକ୍ତକରେ ।

(ଅକ୍ଷତ)

କୁଙ୍କୁମ ରଞ୍ଜିତ ଅତି ସୁଶୋଭିତ

ଅକ୍ଷତ ଭକତିଭରେ

ନିବେଦନ କରେ କୃତାଞ୍ଜଳି କରେ

ଗ୍ରହଣ କର ଶ୍ରୀକରେ ।

 

(ପୁଷ୍ପ)

ନେତ୍ର ଅଭିରାମ ନାନା ପୁଷ୍ପଦାମ

ସୁରଭି ସୁମନୋହର

ଧୁସ୍ତୁର ସେବତୀ ମନ୍ଦାର ମାଳତୀ

ଅପରାଜିତା ଟଗର,

 

ଜାଈ ଯୁଇ ମଲ୍ଲୀ ନିଆଳି ଚାମେଲି

ଗୋଲାପ ପାରିଜାତକ

ବକୁଳ ପାଟଳ ଚମ୍ପକ କମଳ

ମାଧବୀ ନେତ୍ରରୋଚକ,

 

କରବୀର ଆଦି ସୁମନେ ସମ୍ପାଦି

ରଖିଛି ପ୍ରଭୁ ଆଗରେ

ଶ୍ରୀଅଙ୍ଗ ମଣ୍ଡନ କର ପଞ୍ଚାନନ

କୁସୁମେ ଅନୁରାଗରେ ।

 

ସତୀ ଦେବୀ ବେଶ ଘନ ନୀଳକେଶ

ସାଜି ଦିଅ ଫୁଲହାରେ

ଏ ଅଧମ ପ୍ରତି ହୋଇ ତୁଷ୍ଟମତି

ଦିଅ ଦରଶନ ବାରେ ।

 

ତ୍ରିଗୁଣ ଆକାର ତ୍ରିଶୂଳ ପ୍ରକାର

ତ୍ରିନେତ୍ର ସୂଚୀ ତ୍ରିଦଳ

ଛିଦ୍ରହୀନ ବିଲ୍ୱ- ପଲ୍ଲବ ଅମୂଲ୍ୟ

ଘେନ ଭକତବତ୍ସଳ ।

(ଧୂପ)

ବନସ୍ପତି ରସ- ସମ୍ଭୂତ ମାନସ-

ତୋଷକ ଧୂପ ଉତ୍ତମ

ସୁବାସ ଆଘ୍ରେୟ ଘେନି କର ଶ୍ରେୟ

ତୁମ୍ଭ ପଦେ ନମୋନମ ।

(ଦୀପ)

ଅଗ୍ନି ସଂଯୋଜିତ ପଞ୍ଚବତ୍ତି ଯୁତ

ଆଜ୍ୟପୂର୍ଣ୍ଣ ଦୀପ ଆଗେ

ଧରି ବାରମ୍ୱାର କରେ ନମସ୍କାର

ଦେଖ ପ୍ରଭୋ ଅନୁରାଗେ ।

 

ଚିତ୍ତ-ମଳିନତା ଅଜ୍ଞାନ ଜଡ଼ତା

ଅପସରୁ ଅହରହ

ମୋ ହୃଦମନ୍ଦିର ଘୁଞ୍ଚାଅ ତିମିର

ତ୍ରୈଲୋକ୍ୟ-ତିମିରାପହ ।

(ନୈବେଦ୍ୟ)

ପୟୋଦଧି-ଘୃତ- ସର୍କରା-ସଂଯୁତ

ବିବିଧ ସ୍ୱାଦୁ ମୋଦକ

ଲେହ୍ୟ ପେୟ ଚର୍ବ୍ୟ ଚୋଷ୍ୟ ଭୋଜ୍ୟ ସର୍ବ

ରସନା ତୃପ୍ତିସାଧକ ।

 

ମଧୁର ପାୟସ ସୁପକ୍ୱ ପଣସ

ରମ୍ଭା ଚୂତ ଆଦି ଫଳ

ରୁଚିକର ଅନ୍ନ ସୁସ୍ୱାଦୁ ବ୍ୟଞ୍ଜନ

ଘେନ ଦୁର୍ବଳସମ୍ୱଳ ।

 

ପୁଲକିତ ଗାତ୍ରେ ହିରଣ୍ମୟ ପାତ୍ରେ

ନିହି ଦରବ ସକଳ

ଲବଙ୍ଗ ଉଶୀର ସୁବାସ କର୍ପୂର-

ବାସିତ ପାନୀୟ ଜଳ ।

 

ଭୋଜନ ପ୍ରାଶନ ହସ୍ତ ପ୍ରକ୍ଷାଳନ

ଅର୍ଥେ ଅର୍ପେଁ ଯୋଡ଼ି କର

ଦେବ ଅଧିଦେବ ସର୍ବଭୂତସେବ୍ୟ

ନୈବେଦ୍ୟ ଘେନ ମୋହର ।

 

ଶିବୋଚ୍ଛିଷ୍ଟ ଦ୍ରବ୍ୟ ନିବେଦୁଛି ସର୍ବ

ବିନୟାନତ ଚିତ୍ତରେ

ଶଙ୍କର ବଲ୍ଲଭା ବିଶ୍ୱେଶ୍ୱରୀ ଅମ୍ୱା

ଗ୍ରହଣକର ସତ୍ୱରେ ।

(ତାମ୍ବୂଳ)

ନାଗବଲ୍ଲୀଦଳ ଦିବ୍ୟ ପୂଗଫଳ

ଏଳାଚୂର୍ଣ୍ଣାଦିସଂଯୁତ

ନିଅ ପ୍ରଭୁ କରେ ଭବାନୀ ସଙ୍ଗରେ

ମୁଖବାସ ସୁଧାପ୍ଳୁତ ।

(ଫଳ)

ହେ ଦାସବତ୍ସଳ ସୁମଧୁର ଫଳ

ପାତ୍ରେ ରଖିଛି ସଜାଡ଼ି

ସଫଳ କାମନା କର ମହାମନା

କୃପାମ୍ୱୁ ଦିଅ ଅଜାଡ଼ି

 

ଅଧମ ବାଳକ ଜନନୀ ଜନକ

ପାଶେ ରହୁ ସେବି ପଦ

ଅପରାଧ କ୍ଷାନ୍ତି କରି ଦିଅ ଶାନ୍ତି

ଶିବ ସର୍ବ ଶୁଭାସ୍ପଦ ।

(ଦକ୍ଷିଣା)

ଅର୍ପୁଛି କୁସୁମ ସୁରଭି ସୁଷମ

ହିରଣ୍ୟ ଦକ୍ଷିଣା ଅର୍ଥେ

ଶାନ୍ତିବାରି ବୋଳି ଦିଅ ଚନ୍ଦ୍ରମୌଳି

ଦାସଶରେ ଅବିରତେ ।

(କର୍ପୂର ଆରତି)

ରମ୍ଭାଗର୍ଭାନୀତ- କର୍ପୂର ପ୍ରଦୀପ୍ତ

ଦୀପେ କରୁଛି ଆରତି

ଆରତି ଲୋକନ କର ତ୍ରିଲୋଚନ

ପ୍ରସନ୍ନ ଚିତ୍ତରେ ଅତି ।

 

ବିଘ୍ନବିନାଶିନି କୈଳାସବାସିନି

ବାଞ୍ଛାକଳ୍ପତରୁ ଅମ୍ୱ

ଗଉରି ବରଦେ ପୂରାଅ ଶାରଦେ

ମନୋରଥ ଅବିଳମ୍ୱ ।

(ପ୍ରଦକ୍ଷିଣ)

କରେଁ ପ୍ରଦକ୍ଷିଣ ଶରଣ ରକ୍ଷଣ

କର ଯୋଡ଼ି ଚଉପାଶେ

ଜନ୍ମଜନ୍ମାନ୍ତର, ପାତକ ମୋହର

ଅପସରି ଯିବା ଆଶେ ।

(ପୁଷ୍ପାଞ୍ଜଳି ଓ ନମସ୍କାର)

କୁସୁମ ମଞ୍ଜରୀ ଅଞ୍ଜଳିରେ ଭରି

ଅର୍ପୁଛି ପ୍ରଭୁ ପୟରେ

ପୁଣି ଶତବାର କରେ ନମସ୍କାର

ଭକ୍ତିପୂର୍ଣ୍ଣ ହୃଦୟରେ ।

 

ହେ ଗୌରୀଶଙ୍କର ମୃତ୍ୟୁଞ୍ଜୟ ହର

ଶ୍ରୀଚରଣ ରଖ ଶିରେ

ପାଦପୂତ ଧୂଳି ମସ୍ତକରେ ବୋଳି

ପବିତ୍ର ହୁଏ ମହୀରେ ।

 

ରଖ ରଖ ଶମ୍ଭୋ ମହାଦେବ ପ୍ରଭୋ

ରଖ ତ୍ରୈଲୋକ୍ୟବିଧାତା

ଏ ସଫଳ ଅର୍ଘ୍ୟ ଘେନି ସୁଖ ସ୍ୱର୍ଗ୍ୟ

ଦିଅ ହେ ଅଭୟଦାତା ।

 

ବିଭୂତି ଲେପନ- ଭୂଷିତ ଲପନ

ଅଗ୍ନିଶିଖୋଦ୍‌ଗାରୀ ଅକ୍ଷ

ପନ୍ନଗ-ପ୍ରସୂନ- ଦାମେ ସୁଶୋଭନ

ନୀଳକଣ୍ଠ ଶ୍ୱେତବକ୍ଷ ।

 

ଗଙ୍ଗାଜଳପ୍ଳୁତ ଫୁଲମାଳା ଯୁତ

ତାମ୍ରଜଟ ପଞ୍ଚମୁଖ

ଅନ୍ତର-ନୟନ ସର୍ବଦା ଦର୍ଶନ

କରି ଲଭୁ ସ୍ୱର୍ଗ୍ୟ ସୁଖ ।

 

ସୌଭାଗ୍ୟଦାୟିନି ଶଙ୍କରମୋହିନି

ଦୁରିତସଙ୍ଘହାରିଣି

ଶରଣ୍ୟେ ମା ଧନି ଦାନବମର୍ଦ୍ଦିନି

ରଖ ସଂକଟତାରିଣି ।

 

ଦକ୍ଷିଣେ ଧବଳ ଶ୍ରୀମୁଖମଣ୍ଡଳ

ଜଟିଳ ଶିରେ ଜାହ୍ନବୀ

ଦିବ୍ୟ ଭାଲପଟେ ବାଳେନ୍ଦୁ ପ୍ରକଟେ

ଦୀପ୍ତ ଆସ୍ୟ ଶାନ୍ତ ଛବି ।

 

ବାମେ ନୀଳକେଶ ସ୍ୱର୍ଣ୍ଣ ଅବତଂସ-

ଶୋଭିତ ଶିରୋମଣ୍ଡଳ

କନକବରଣ ପ୍ରସନ୍ନବଦନ

ଶ୍ରବଣେ ସ୍ୱର୍ଣ୍ଣକୁଣ୍ଡଳ ।

 

ହିରଣ୍ୟମଣ୍ଡପ- ମଧ୍ୟେ ଦପ ଦପ

ଅର୍ଦ୍ଧନାରୀଶ୍ୱର ଛବି

ମୋ ହୃଦନିକେତ କରୁ ଆଲୋକିତ

ଯଥା ଉଦ୍ଦୀପିତ ରବି

 

ଦକ୍ଷିଣରେ ନାଗ- ଭୂଷା ଗଳାଭାଗ

ବାମେ ମୁକୁତା ଶୋଭିତ

ଦକ୍ଷିଣେ ରୁଦ୍ରାକ୍ଷ- ମାଳାଯୁତ ବକ୍ଷ

ବାମରେ ରତ୍ନମଣ୍ଡିତ ।

 

ଦକ୍ଷେ ଚିତ୍ରକୃତ୍ତି- ବସନ ବିଭୂତି-

ଭୂଷିତ ଶ୍ରୀ କଳେବର

ବାମରେ କୌଶେୟ ବସ୍ତ୍ରାବୃତ ଦେହ

କୁଙ୍କୁମ ଲେପେ ସୁନ୍ଦର ।

 

ଦକ୍ଷିଣେ ଶ୍ରୀପଦ- ତଳେ ବଳୀବର୍ଦ୍ଦ

ବାମ ପଦତଳେ ହରି

ଦକ୍ଷେ ବେନି କର ନେତ୍ର ମନୋହର

ଡମ୍ବରୁ ତ୍ରିଶୂଳ ଧରି ।

 

ବାମେ ବେନିକର ଅତି କ୍ଷେମଙ୍କର

ବରଦ-ଅଭୟ-ଦର୍ଶୀ

ତହିଁ ରକ୍ତୋତ୍ପଳ ଦିଶେ ଢଳ ଢଳ

ମାନବମାନସ-ସ୍ପର୍ଶୀ

 

ନୟନ-ସମ୍ପତ୍ତି ଏ ଦିବ୍ୟ ଦମ୍ପତି

ପାଦପଦ୍ମେ ବାରମ୍ବାର

ପ୍ରେମ-ଭକ୍ତିଭରେ ପ୍ରଫୁଲ୍ଲ ଚିତ୍ତରେ

କରୁଅଛି ନମସ୍କାର ।

 

ଏହିପରି ନନ୍ଦୀ ହରଗୌରୀ ବନ୍ଦି

ମାନସିକ ଆରାଧନା

କଲେ ଭକ୍ତିଭରେ ବେନିଙ୍କ ପୟରେ

ନିବେଶି ଦୃଢ଼ ଭାବନା ।

 

ଅନାବିଳ ଭକ୍ତି- ଯୁକ୍ତ ଚିତ୍ତେ ଅତି

ମଗ୍ନ ହେଲେ ଶୈବବର

ଲୋଚନ ମେଲାଇ ଦିଅନ୍ତେ ସେ ଚାହିଁ

ଦେଖିଲେ ଗଉରୀହର ।

 

ଧ୍ୟାନ ପରକାରେ ଭୂଷଣ ଆକାରେ

ହୋଇଛନ୍ତି ଅଗ୍ରେ ଉଭା

ଦିଗଦିଗନ୍ତର- ବ୍ୟାପୀ ତେଜସ୍କର

ଜ୍ୟୋତି ବିସ୍ତାରିଛି ବିଭା ।

 

ଆନନ୍ଦେ ଅଥୟ ଭକ୍ତିରେ ତନ୍ମୟ

ହୋଇ ସାଷ୍ଟାଙ୍ଗ ପ୍ରଣାମ

କଲେ ଭକ୍ତବର ଯୋଡ଼ି ବେନି କର

ଦେଖି ମୂର୍ତ୍ତି ଅଭିରାମ ।

 

ଆରାର୍ତ୍ତିକ୍ୟ କରେ ଗଦ୍‌ଗଦ ହୃଦରେ

ବନ୍ଦିଲେ ଶିବଶଙ୍କରୀ

ଜୟ ଜୟ ହର ସର୍ବଦୁଃଖହର

ଜୟ ଅମ୍ବା ଶୁଭଙ୍କରି ।

 

ଗୌରୀପ୍ରୀତିଧର ଶିବକ୍ଷେମଙ୍କର

ଭୁଜଙ୍ଗାବଳିମଣ୍ଡନ

ଦୁର୍ବଳସମ୍ବଳ ଧୃତଗଙ୍ଗାଜଳ

ସକଳ ପାପଖଣ୍ଡନ ।

 

ଶରଣରକ୍ଷଣ ପଙ୍କଜ-ଈକ୍ଷଣ

ଶ୍ରୀପଦେ କୋଟି ପ୍ରଣାମ

ଦିଅ ଦିବ୍ୟ ଭକ୍ତି ପଦେ ଅନୁରକ୍ତି

ପୂର୍ଣ୍ଣକର ମନସ୍କାମ ।

 

ପୂର୍ଣ୍ଣେନ୍ଦୁ ବଦନେ କୁନ୍ଦାଭରଦନେ

ଚଣ୍ଡଦାନବମର୍ଦ୍ଦନେ

କମଳ-ନୟନେ ପ୍ରପନ୍ନପାଳନେ

ସଙ୍କଟବନଦହନେ ।

 

ଚରଣକମଳେ ଜନନି ମଙ୍ଗଳେ

କୃପାଳୁ ଶରଣ୍ୟେ ଅମ୍ବ

ଦିଅ ଶୁଦ୍ଧଭକ୍ତି ଶୁଭ୍ର ପ୍ରେମ-ମତି

ପଦ୍ମପଦେ ଅବିଳମ୍ବ ।

 

ଆରାର୍ତ୍ତିକ୍ୟ ଅନ୍ତେ କୃତାଞ୍ଜଳିହସ୍ତେ

ଭୂମିରେ ଅବଲୁଣ୍ଠିତ

ହୋଇ ବାରମ୍ବାର କଲେ ନମସ୍କାର

ମୂର୍ତ୍ତି ହେଲେ ତିରୋହିତ ।

 

ଶ୍ରୀଚରଣ ବନ୍ଦି ଉଠି ଭକ୍ତ ନନ୍ଦୀ

ଦେଖନ୍ତେ ମେଲି ନୟନ

ବିଶାଳ ତେଜସ୍ୱୀ ଶ୍ରୀ ଭୃଗୁ ତପସ୍ୱୀ

ବିଜେ ଶିବନିକେତନ ।

 

ବିପ୍ରବର ଛିଡ଼ା ଦେଖି ନନ୍ଦୀ ବ୍ରୀଡ଼ା-

ଭର ମୁଖେ ନିରୁତ୍ତର

ହୁଅନ୍ତେ, ଭୂସୁର ବୋଇଲେ, ‘‘ଉଛୁର

ଶିବସେବକ ନ କର ।

 

ଅଛି ଅନିବାର୍ଯ୍ୟ ମୋର ମହାକାର୍ଯ୍ୟ

ଆସିଛି ପୂର୍ଣ୍ଣ ଆଶରେ

ନ କରି ଅପେକ୍ଷା ଶୀଘ୍ର ମୋର ଦେଖା

କରାଅ ହର ପାଶରେ ।’’

Image

 

ନବମ ସର୍ଗ

ପ୍ରାଧାନ୍ୟ ନିରୂପଣ

 

ନୈମିଷ ଅରଣ୍ୟ ତୀର୍ଥ ଅଗ୍ରଗଣ୍ୟ

ଦ୍ୱିଜଋଷି ଅଧ୍ୟୁଷିତ

ଶୁଚି ଅଭିନବ ଭାବର ଉଦ୍ଭବ

ମାନସ କରେ ହର୍ଷିତ ।

 

ଦେବ ଦ୍ୱିଜ ଋଷି ବସି ହସି ରସି

କରୁଥାନ୍ତି ଆଲୋଚନା

ଯହିଁ ନାହିଁ ଦୁଃଖ ଚିନ୍ତା ଭୟ ଶୋକ

ନାହିଁ ବିଷୟ ଶୋଚନା ।

 

ସେ ସ୍ଥାନେ ଆର୍ଜବ ଦେଖାଇ ବିଭବ

ସଦା ଶାନ୍ତି ଦିଏ ଆଣି

ନାହିଁ ମଦ ମୋହ ମାତ୍ସର୍ଯ୍ୟ କଳହ

ନାହିଁ ନିନ୍ଦା ମୃଷ୍ଣା ବାଣୀ ।

 

ଅସୂୟା ସେ ସ୍ଥାନେ ମହା ଅପମାନେ

ପୋତି ଦେଇ ମଥା ଦୁଃଖେ

ପଳାଇଲା ଦୂରେ ନ ରହି ସେ ପୁରେ

ସର୍ବଥା ମନ ବିମୁଖେ ।

 

ଷଡ଼ରିପୁବୃନ୍ଦ ନ ପାଇ ସୁହୃଦ

ଜଣେ ହେଲେ ସେହି ସ୍ଥାନେ

ପଳାଇଲେ ଦୂରେ ଦୁଃଖେ ଅନ୍ୟ ପୁରେ

ଅନାଦରେ ଅପମାନେ ।

 

ସତ୍ୟ ହିତ ଉକ୍ତି ଗୁରୁଜନେ ଭକ୍ତି

ସେ ସ୍ଥାନେ କରଇ କ୍ରୀଡ଼ା

ରାଗ ହିଂସା ଦ୍ୱେଷ ନିନ୍ଦା ମନକ୍ଳେଶ

ପାଇଲା ସେଠାରେ ବ୍ରୀଡ଼ା ।

 

ଅହିଂସା ଗରିମା ବିସ୍ତାରି ମହିମା

ଶାସଇ ସେ ଦିବ୍ୟ ପୁର

କୂଟ ପ୍ରବଞ୍ଚନା ପାଇଣ ଲାଞ୍ଛନା

ପଳାଇ ଯାଇଛି ଦୂର ।

 

ପୂତ ମନୋରମ ତାପସ ଆଶ୍ରମ

ରାଜୁଛି କି ଶୋଭା ବହି

ଶୋଭା-ସରିତରେ ଶୂଚିତା-ସ୍ରୋତରେ

ଆନନ୍ଦେ ଭାସୁଛି ମହୀ ।

 

ହିଂସା ଦୂରେ ତେଜି ସଖାଭାବ ହେଜି

ତହିଁ ହିଂସ୍ର ପ୍ରାଣିଗଣ

ଭ୍ରମନ୍ତି ଆନନ୍ଦେ ଧରାପରେ ମନ୍ଦେ

ନ ଦେଖାଇ ବୈରପଣ ।

 

ନାହିଁ ଶୀତ ଭୀଷ୍ମ ନାହିଁ ଚଣ୍ଡ ଗ୍ରୀଷ୍ମ

ସଦା ମଳୟ ସେବିତ

ନାହିଁ ମନ୍ଦ ଦଶା ଇନ୍ଦ୍ରିୟ ଲାଳସା

ସଦା ସେ ସ୍ଥାନ ପବିତ୍ର ।

 

ନୈମିଷେୟ ସର୍ବେ ବିପୁଳ ବିଭବେ

ଦିନେ ହେଲେ ସମ୍ମିଳିତ

ବେଦ ଗବେଷଣା ଶାସ୍ତ୍ରଆଲୋଚନା

ବିଷୟେ ବଳାଇ ଚିତ୍ତ ।

 

ବୁଦ୍ଧିର ପ୍ରଭାବ ଦେଖାଇ ପ୍ରସ୍ତାବ

ଆଣନ୍ତେ ଏକ ତପସ୍ୱୀ

ତାର ସମାଧାନ କରନ୍ତି ଅନ୍ୟାନ୍ୟ

ଋଷିପ୍ରବର ଯଶସ୍ୱୀ ।

 

ତିନି ଦେବବର ବ୍ରହ୍ମା ବିଷ୍ଣୁ ହର

ମଧ୍ୟରେ କେ ସର୍ବସାର

କଲେ ଉତ୍‌ଥାପନ ଭୃଗୁ ତପୋଧନ

ମୀମାଂସା ପାଇଁ ଏହାର ।

 

ଯଦି ନାରାୟଣ ବ୍ରହ୍ମ ସନାତନ

ତିନି ରୂପେ ଆବିର୍ଭୂତ

କେଉଁ ରୂପେ ସର୍ବ ଐଶ୍ୱର୍ଯ୍ୟ ବିଭବ

ହୋଇଅଛି ଏକୀଭୂତ ?

 

ବଳ ତେଜ ବୀର୍ଯ୍ୟ ଅସୀମ ଧଇର୍ଯ୍ୟ

ଗୁଣେ ଅଗ୍ରଗଣନୀୟ

ସଭା ଯଜ୍ଞ ସ୍ଥଳେ କେଉଁ ରୂପବଳେ

ହରି ହେବେ ବରଣୀୟ ?

 

ଜଟିଳ ସମସ୍ୟା ସାଧନରେ ଭାଷା

ପ୍ରଜ୍ଞା ବୁଦ୍ଧି ଗଲା ହଟି

ଏକୁ ଆରେ ଚାହିଁ ସର୍ବେ ସ୍ଥିରେ ରହ

ମଉନ ଦେଲେ ପ୍ରକଟି ।

 

ସକଳ ସମ୍ମତି ଅନୁକ୍ରମେ ଯତି

ଭୃଗୁ ହୋଇଲେ ନିଯୁକ୍ତ

ମହତ୍ତ୍ୱ କଳନେ ପରୀକ୍ଷା କରଣେ

ଧୈର୍ଯ୍ୟେ କେ ସମୁପଯୁକ୍ତ ।

 

ଗୁରୁ ସମସ୍ୟାର ବହି ଶିରେ ଭାର

ଭୃଗୁ ଗମିଲେ ସଭୟେ

ବ୍ରହ୍ମଲୋକେ ଯାଇ ମିଳିଲେ ଗୋସାଇଁ

ଚତୁର୍ବଦନ ନିଳୟେ ।

 

ଭୃଗୁ ମହାଯଶା ଆସିଣ ସହସା

ମିଳିଲେ ବ୍ରହ୍ମାସଦନ

ଦେଖି ବେଦବର ନ ଯୋଡ଼ିଲେ କର

ନ କଲେ ଅଭିବାଦନ ।

 

ସୁତ ଅନାଦର ଦେଖି ବେଦବର

ହେଲେ କୋପାନ୍ୱିତଚିତ୍ତ

ଚତୁର୍ମୁଖ ଆସ୍ୟ- ମଣ୍ଡଳରେ ହାସ୍ୟ

ନାହିଁ ରକ୍ତିମାରଞ୍ଜିତ ।

 

ଭୃଗୁ ତପୋଧନ ବୁଝିଲେ ବହନ

ବେଦଗର୍ଭ ହୃଦକଥା

ଭୋ ଦେବ ଆରାଧ୍ୟ କ୍ଷମ ଅପରାଧ

ବୋଲି ନମ୍ର କଲେ ମଥା ।

 

ଭୃଗୁ ତପଚାରୀ ସେ ସ୍ଥାନୁ ବାହାରି

ପ୍ରବେଶି କୈଳାସ ଧାମ

ଦେଖିଲେ ଶଙ୍କର- ଦାସ ଶୈବବର

ନନ୍ଦୀ କରନ୍ତି ପ୍ରଣାମ ।

 

ପଡ଼ି ଭୂମି ପରେ ଗଡ଼େ ଭକ୍ତିଭରେ

ଭୃଗୁ ହେଲେ ଆଚମ୍ବିତ

ଉଠି ଭକ୍ତବର ଶ୍ରୀନନ୍ଦୀକେଶ୍ୱର

ଚକ୍ଷୁ କଲେ ଉନ୍ମୀଳିତ ।

 

ଦେଖିଲେ ତେଜସ୍ୱୀ ଶ୍ରୀଭୃଗୁ ତପସ୍ୱୀ

ହୋଇଛନ୍ତି ବିଦ୍ୟମାନ

ତାହାଙ୍କ ଆରାଧ୍ୟ ମହା-ପୂଜ୍ୟପାଦ

ନାହାନ୍ତି ସତୀଈଶାନ

 

ଲଜ୍ଜିତ ମୁଖରେ ରହନ୍ତେ ଦୁଃଖରେ

ନନ୍ଦୀକେଶ୍ୱର ନୀରବେ

ବାହାରିଲେ ବିପ୍ର ଅନ୍ତଃପୁରେ କ୍ଷିପ୍ର

ପ୍ରବେଶିବାକୁ ଗରବେ ।

 

ତହୁଁ ଭକ୍ତବର ଯୋଡ଼ି ବେନିକର

ବୋଇଲେ ହେ ଦ୍ୱିଜବର

ଅନୁଚିତ କଥା ଅଟଇ ସର୍ବଥା

ଅଗ୍ରେ ନ ଦେଇ ଖବର ।

 

ନ ପାଇ ଆଦେଶ ଭିତରେ ପ୍ରବେଶ

ଅଟଇ ଯୁକ୍ତିବିରୁଦ୍ଧ

ତେଣୁ ଋଷିବର ପ୍ରଥମେ ଖବର

ପ୍ରେରନ୍ତୁ ନ ହୋଇ କ୍ରୁଦ୍ଧ ।

 

ନନ୍ଦୀ ଅନୁନୟ ନ ଶୁଣି ବିନୟ

ଭୃଗୁ ପଶିଲେ ଆବାସେ

ଦେଖିଦେଲେ ହର ହୋଇ ଦିଗମ୍ବର

ବସିଛନ୍ତି ସତୀପାଶେ ।

 

ଦେଖି ଭୃଗୁ ମୁନି ହୋଇଗଲେ ତୁନି

ଲାଜେ ପୋତିଦେଲେ ଶିର

ରାଗେ ଥରହର ହୋଇଣ ଶଙ୍କର

ବୋଇଲେ ଗମ୍ଭୀର ଗିର ।

 

‘‘କିପାଁ ଦ୍ୱିଜବର ନ ଦେଇ ଖବର

ଆସିଅଛ ମଧ୍ୟଭାଗ

ତ୍ରିଶୂଳ ପ୍ରହାରେ ପଡ଼ିବ ଧରାରେ

ତୁମ୍ଭ ଦେହୁ ଉତ୍ତମାଙ୍ଗ ।’’

 

ତହୁଁ ଦ୍ୱିଜମଣି ଯୋଡ଼ି ବେନି ପାଣି

ପ୍ରଣମିଲେ ଭକ୍ତିଭରେ

‘‘କ୍ଷମ ମୋର ଦୋଷ ପ୍ରଭୁ ଆଶୁତୋଷ

ଲିଙ୍ଗରୂପେ ପୃଥ୍ୱୀପରେ ।

 

ତୁମ୍ଭ ଆରାଧନ କରି ଭକ୍ତଜନ

ଲଭନ୍ତୁ ଭବୁ ଉଦ୍ଧାର

କର କୋପ ଶାନ୍ତି ଅନ୍ଧକ ଅରାତି

ପ୍ରଣମୁଛି ବାରମ୍ବାର ।’’

 

ହର କୋପ ଶାନ୍ତି କରାଇଲେ ସତୀ

ଅନୁନୟ ବଚନରେ

ଭୃଗୁ ମହାଯଶା ସେଠାରୁ ସହସା

ପଳାଇଲେ ସ୍ଥାନାନ୍ତରେ ।

 

ପ୍ରଭୁ ଚତୁରାସ୍ୟ ଶିବ କୃତ୍ତିବାସ

କ୍ରୋଧାନ୍ଧ ଦେଖି ଈକ୍ଷଣେ

ଚଳିଲେ ଭୂସୁର ବଇକୁଣ୍ଠ ପୁର

ବିଷ୍ଣୁ ଧୈର୍ଯ୍ୟ ପରୀକ୍ଷଣେ ।

 

ସଦା ମନୋରମ ବଇକୁଣ୍ଠ ଧାମ

ଅଣିମାଦି ଅଷ୍ଟନିଧି

ଖଟୁଛନ୍ତି ଯହିଁ ସନ୍ତତରେ ରହି

ସଙ୍ଗେ ଧରି ଋଦ୍ଧ ସିଦ୍ଧି ।

 

ସେହି ଦିବ୍ୟ ସ୍ଥାନ ସୁଷମାନିଧାନ

ନାହିଁ ତାର ପଟାନ୍ତର

ପବିତ୍ରତା ଦେବୀ ତହିଁ ପଦ ସେବି

ଖଟୁଛନ୍ତି ନିରନ୍ତର ।

 

ଶୁକ ସନକାଦି ସାଧନ୍ତି ସମାଧି

ସେହି ସ୍ଥାନେ ମୌନେ ବସି

ଦେବର୍ଷି ନାରଦ କରି ବୀଣାନାଦ

ନାମ ଗାଉଛନ୍ତି ରସି ।

 

ଯୋଗାସନେ ବସି ସକଳ ବ୍ରହ୍ମର୍ଷି

ତହିଁ ଛନ୍ତି ଧ୍ୟାନମଗ୍ନ

ନାହିଁ କ୍ଷୁଧାବାଧା ବାହ୍ୟ ଦ୍ରବ୍ୟେ ଶ୍ରଦ୍ଧା

ଚିତ୍ତ ବ୍ରହ୍ମପଦେ ଲଗ୍ନ ।

 

ଅଜର ଅମର ସଦା ନାରୀ ନର

ନାହିଁ ବିଷାଦ କାଳିମା

ସ୍ଥାନ ଅଦଭୁତ ସଦା ପରାଭୂତ

ତହିଁ ରୋଗର ଗାରିମା ।

 

ମଳୟ ଅନିଳ ଧରି ପରିମଳ

ତହିଁ କରି କ୍ରୀଡ଼ାଘର

ସୌରଭ ବିତରି ଜନମନ ହରି

ଯାଉନାହିଁ ସ୍ଥାନାନ୍ତର ।

 

ବାହ୍ୟ ଅଭ୍ୟନ୍ତରେ ପବିତ୍ର ସ୍ରୋତରେ

ଶୁଚି ଢାଳି ସୁଧାଧାର

ପୁରବାସି-ଆସ୍ୟ- ଅବ୍‌ଜବରେ ହାସ୍ୟ

ପ୍ରକାଶୁଛି ବାରମ୍ବାର ।

 

ଲୋକେ ଅନିନ୍ଦିତ ବିଶ୍ୱରେ ବନ୍ଦିତ

ଋତ ଋଜୁ ଧାମବରେ

ପୁଲକିତ ଦେହେ ପରିପ୍ଳୁତ ସ୍ନେହେ

ମିଳିଲେ ମୁନି ସତ୍ୱରେ ।

 

ମଙ୍ଗଳ ଆଧାର ପୁଣ୍ୟର ଆଗାର

ପାବନ ସୁମନୋହର

ଶ୍ରବଣ ଲୋଚନ- ପୀୟୂଷ ଭବନ

ସକଳ ଶୋଭା-ଆକର;

 

ଶାନ୍ତି-ସୁଧାଧାର ଅବାରିତ ଦ୍ୱାର

ବିଷ୍ଣୁପୁରେ ବିପ୍ରବର

ପ୍ରବେଶି ନିଃଶଙ୍କେ ଦେଖିଲେ ପଲଙ୍କେ

ଦିବ୍ୟ କାନ୍ତ ଶଯ୍ୟାପର ।

 

କୋମଳ ପିଧାନ ରମ୍ୟ ଉପାଧାନ

ମଣ୍ଡିତ କୋମଳ ଶେଯେ

ମୁଦ୍ରିତ ନୟନେ ପ୍ରଗାଢ଼ ଶୟନେ

ଅଭିଭୂତ ଦିବ୍ୟ ତେଜେ ।

 

ସ୍ୱର୍ଗ୍ୟ-ଶୋଭାପାତ୍ର ସୁଶ୍ୟାମଳ ଗାତ୍ର

ଶୋଭୁଛି ପୀତ ଅମ୍ବରେ

ସତେ କି ଚପଳା ସ୍ଥିରେ କରେ ଲୀଳା

ଘନକୋଳେ ଗଗନରେ ।

 

ଶିର ରଖି ପଦେ ହୃଦୟ ଆନନ୍ଦେ

ପ୍ରଣମିଲେ ବାରମ୍ବାର

ନିଜକୁ ସୁଧନ୍ୟ ମଣି ତପୋଧନ

ମନରେ କଲେ ବିଚାର ।

 

କୀଦୃଶ ସହିଷ୍ଣୁ ଭଗବାନ ବିଷ୍ଣୁ

ଦେଖିବି ପରୀକ୍ଷାବଳେ

କଲେ ବଜ୍ରପାତ ପରି ପଦାଘାତ

ଚାରୁ ପୀନ ବକ୍ଷସ୍ଥଳେ ।

 

ନିଦ୍ରା ତେଜି ହରି କର ଯୋଡ଼ି କରି

ବିପ୍ରଙ୍କୁ କଲେ ପ୍ରଣାମ

ଶ୍ରୀକରେ ଦ୍ୱିଜର ଧରିଲେ ପୟର

ନିଖିଳ-ମଙ୍ଗଳ-ଧାମ ।

 

ମୃଦୁ କରସ୍ପର୍ଶେ ଭକ୍ତିଭରେ ହର୍ଷେ

କହିଲେ କମଳାବର

କଠିନ ପାଷାଣ ମୋର ବକ୍ଷ ଜାଣ

କୋମଳ ପଦ ତୁମ୍ଭର ।

 

କୁଳୀଶ ବକ୍ଷରେ ଆଘାତ ପକ୍ଷରେ

କୋମଳ କମଳ ପଦେ

ଘଟାଇଲି କଷ୍ଟ ମୁଁ ଅଧମ ନଷ୍ଟ

ରଖ ଋଷି ଏ ବିପଦେ ।

 

ମହାଦୋଷୀ ଯେଣୁ ଦିଅ ପଦରେଣୁ

କ୍ଷମ ଦ୍ୱିଜ ମୋର ଦୋଷ

ମୋ ହୃଦରୁ ଭିନ୍ନ ନୋହୁ ପଦଚିହ୍ନ

ଦାସରେ ନ କର ରୋଷ ।

 

କହି ଏ ବଚନ କମଳଲୋଚନ

ଦ୍ୱିଜପଦ ରଖି ବକ୍ଷେ

ମୃଦୁ କରର୍ସ୍ପଶେ ଆମର୍ଷି ହରଷେ

ବସାଇଲେ ହର୍ମ୍ୟକକ୍ଷେ ।

 

ଅଚିନ୍ତ୍ୟ ଧୀରତା ମହାଉଦାରତା

ବିଷ୍ଣୁ ତହିଁ ଦେଖି ବିପ୍ର

ପ୍ରେମ ଗଦଗଦେ ନମି ପଦ୍ମପାଦେ

ବାହୁଡ଼ିଲେ ତହୁଁ କ୍ଷିପ୍ର ।

 

ତପସ୍ୱୀ ଭୂସୁର ମଧ୍ୟେ ଋଷିବର

ବର୍ଣ୍ଣିଲେ ସର୍ବ ବୃତ୍ତାନ୍ତ

ଅପୂର୍ବ ସହିଷ୍ଣୁ ଗୁଣାନ୍ୱିତ ବିଷ୍ଣୁ

ବରେଣ୍ୟ ହେଲା ସିଦ୍ଧାନ୍ତ ।

 

ବଳରେ ଅଧିକ ହେବ କାର ଟେକ

ଦେଖିବାକୁ କୁତୁହଳେ

ଉପାୟ ନିର୍ଣ୍ଣୟ କଲେ ଋଷିଚୟ

ସଭାରେ ବସି ସକଳେ ।

 

ବିଶ୍ୱକର୍ମା କରେ ନିର୍ମାଇ ସତ୍ୱରେ

ବେନି ଚଣ୍ଡ ଶରାସନ

ହରିହର ହସ୍ତେ ଅର୍ପିଲେ ସମସ୍ତେ

କହି ବିନୟ ବଚନ ।

 

ବେନି କାର୍ମୁକର ମଧ୍ୟେ ବଳୀୟାର

ଅଟେ କେଉଁ ଚାପବର

କିଏ ଗୁରୁତର ଦେଖାଅ ସତ୍ୱର

ସୁରଶ୍ରେଷ୍ଠ ହରିହର ।

 

ବେନି କାର୍ମୁକର ଆକାର ପ୍ରକାର

ଉଗ୍ରତାରେ ସମତୁଳ

ସମାନ ଶକତି ଥିବାରୁ ଦୀପତି

ଥିଲେ ବେନି ଅପ୍ରତୁଳ ।

 

ଦେବ ଋଷିବାଣୀ ହରିହର ଶୁଣି

ଧରି ଏକ ଏକ ଧନୁ

ସ୍ୱପ୍ରଭାବଭରେ ଟଂକାରିଲେ କରେ

ଦେବ ଶ୍ୟମସିତତନୁ ।

 

ମହାଯୋଗୀଶ୍ୱର ତ୍ରିଦଶ-ଈଶ୍ୱର

ମନରେ କଲେ ବିଚାର

ଜୀବନ ଦୋସର କମଳା-ଈଶର

ଉତ୍କର୍ଷ ହେଉ ପ୍ରଚାର ।

 

ବୈଷ୍ଣବ କୋଦଣ୍ଡ ଅତି ପରଚଣ୍ଡ

ତେଜରେ ହିଁ ବଳୀୟାର

ବୋଇଲେ ବଚନ ଦେବ ତ୍ରିଲୋଚନ

ହେଉ ଏ ନିଷ୍ପତ୍ତି ସାର ।

 

ତୁମ୍ଭ ଧନୁବର ତେଜ ଖରତର

ମୋର ଧନୁ ସମକକ୍ଷ

ନୋହୁଛି ଶକ୍ତିରେ ଗରିମା ଦୀପ୍ତିରେ

ଶୁଣ ଅମର ଅଧ୍ୟକ୍ଷ ।

 

ଏହି ଧନୁବର ଆଉ ଚକ୍ରଧର

ନ ଧରିବି ମୋର ପଣ

ତୁମ୍ଭ ହସ୍ତେ ଚଣ୍ଡ କୋଦଣ୍ଡ ଦ୍ୱିଖଣ୍ଡ

ହୋଇବ ରମାରମଣ !

 

ନରତନୁ ଧରି ମର୍ତ୍ତ୍ୟେ ଅବତରି

ଗୋବ୍ରାହ୍ମଣ ହିତ ପାଇଁ

ବିଦେହ ନଗରେ ଏ ଚାପ ସଙ୍ଗରେ

ସାକ୍ଷାତ ହେବ ଗୋସାଇଁ ।

 

ତୁମ୍ଭର ଶ୍ରୀକର ସ୍ପର୍ଶେ ଧନୁବର

ହରାଇବ ଜ୍ୟୋତି ଚଣ୍ଡ

ହୋଇ ଧନୁଷ୍ପାଣି ଗୁଣ ଦେଲେ ଟାଣି

ଚାପ ହେବ ବେନି ଖଣ୍ଡ ।

 

ଏହି ମୋର ଧନୁ ଯୋଗେ ଶ୍ୟାମତନୁ

ହେବ ଶୁଭ ପରିଣୟ

ବୈଷ୍ଣବ ଚାପରେ ଗୁଣ ଦେଇ କରେ

କରିବ ଭାର୍ଗବ ଜୟ ।

 

ମର୍ତ୍ତ୍ୟ ଲୋକେ ତୁମ୍ଭ ନାମ ଅତି ଶୁଭ

ହେବ ସଦା ମୋକ୍ଷଧାମ

ମୁଁ କାଶୀ ନଗରେ ମୁମୂର୍ଷୁ କର୍ଣ୍ଣରେ

ଶୁଣାଉଥିବି ସେ ନାମ ।

 

ଅତି ପୁଣ୍ୟ ଧାମ ତୁମ୍ଭର ସେ ନାମ

ହେବ ମୋ ଶ୍ରୁତିପୀୟୂଷ

ଶ୍ରୀରାମ ନାମରେ ଏ ଭବ ଧାମରେ

ପଳାଇ ଯିବ କଳୁଷ ।

 

ହେଉ ରାକାରାତ୍ରି ସମ ତୁମ୍ଭ ଭକ୍ତି

ଭକ୍ତ ହୃଦ ବ୍ୟୋମ ସରି

ଅନ୍ୟ ନାମ ତୁମ୍ଭ ଉଡ଼ୁଗଣ ଶୁଭ୍ର

ହୋଇଣ ରାଜନ୍ତୁ ହରି ।

 

ଶ୍ରୁତି ଅଭିରାମ ପୂତ ରାମନାମ

ସେ ଅମ୍ବରେ ପୂର୍ଣ୍ଣ ଇନ୍ଦୁ-

ସଦୃଶ ପ୍ରକାଶି ପାପତମ ନାଶି

ଫୁଲାଉ ଆନନ୍ଦ-ସିନ୍ଧୁ ।

 

କହି ଏହି ବାଣୀ ପ୍ରଭୁ ଶୂଳପାଣି

ବିଦେହ-ନଗରେ ତେଜି

ଚଣ୍ଡ ଶରାସନ ଗମିଲେ ସଦନ

ରାମ ନାମ ହୃଦେ ହେଜି ।

Image

 

Unknown

ଦଶମ ସର୍ଗ

(ଭୃଗୁ ଯଜ୍ଞ)

 

ଅତି ମନୋରମ ଭୃଗୁଙ୍କ ଆଶ୍ରମ

ହୋଇଛି ଉଲ୍ଲାସଭରା

ପ୍ରକୃତି ମହିଷୀ ମନ୍ଦେ ମନ୍ଦେ ହସି

ମେଲିଛି ଶୋଭାପସରା ।

 

ପୌରନ୍ଦରୀ ଆଶା ପିନ୍ଧି ରକ୍ତଭୂଷା

ପାଛୋଟୁଛି ଦେବୀ ଉଷା

ସର୍ବାଙ୍ଗମଣ୍ଡନା ସର୍ବ ଦିଗଙ୍ଗନା

ଖୋଲି ସୁଷମା-ମଞ୍ଜୁଷା ।

 

ମୋହୁଛନ୍ତି ମନ ତପସ୍ୱୀ ସଦନ

ଶୋଭାରାଣୀ ଖେଳଘର

ହୋଇଛି ଆଶ୍ରମ ଜନ ମନୋରମ

ପ୍ରୀତି ମୈତ୍ରୀର ଆକର ।

 

ଉଷା ଆଗମରେ ଅତି ତରତରେ

ରଜନୀ ଯାଉଛି ଘୁଞ୍ଚି

ସୁନୀଳ ଅମ୍ବର- ଶଯ୍ୟାର ଉପର

ତାରା କେତେଗୋଟି ମୁଞ୍ଚି ।

 

ଉଷା ଆଗମନେ ପ୍ରଫୁଲ୍ଲିତ ମନେ

ବନ ଦେବୀ କିଶଳୟ-

ନୟନେ ଶିଶିର- ଲୋତକ ରୁଚିର

ମୁଞ୍ଚିଲେ ହୋଇ ଅଥୟ

 

ଜନ-ନେତ୍ରକାରା ସେ ଲୋତକ-ଧାରା

ତପନ ଆନନ୍ଦ ଭରେ

ପୋଛି ଆରକ୍ତକ ନୟନ-ରଞ୍ଜକ

ଅବିର ଢାଳିଲେ କରେ ।

 

ଜନ ମନୋଲୋଭା ଆରକ୍ତକ ଶୋଭା-

ଅମ୍ବରେ ଧରଣୀ ରାଣୀ

ହସ ହସ ଆସ୍ୟେ ପିକ ସ୍ୱନ ଭାଷେ

ଭାଷିଲେ ସ୍ୱାଗତ ବାଣୀ ।

 

ଜାଣି ଶୁଭଦିନ ଦେବତା ତପନ

କୁଜ୍‌ଝଟୀ-ଅବଗୁଣ୍ଠନ

ପ୍ରାଚୀ ଶିରୁ ମୁଞ୍ଚି ଢାଳି କର ଶୁଚି

ମଣ୍ଡିଦେଲେ ଅପଘନ ।

 

ଶୁଭ ପ୍ରଭାତରେ ଶୋଭନ ଗାତ୍ରରେ

ନଗେ ବନଦେବୀଗଣ

କୁସୁମ ଭୂଷଣେ ଶ୍ୟାମଳ ବସନେ

ରଞ୍ଜି ଚାରୁ ଅପଘନ ।

 

ବିହଙ୍ଗ କାକଳୀ- ଛଳେ ହୁଳହୁଳି

ଦେଲେ ଉତ୍‌ଫୁଲ୍ଲ ମନରେ

ଭୃଗୁ ତପୋବନ ହରଷେ ନର୍ତ୍ତନ

କରୁଛି ଶୁଭ ଦିନରେ ।

 

ଭୃଗୁ ଦ୍ୱିଜବର ବୈଷ୍ଣବ ତେଜର

ଆଧିକ୍ୟରେ ମୁଗ୍‌ଧ ହୋଇ

ଆରମ୍ଭିଲେ ଯଜ୍ଞ ତପିବର ପ୍ରାଜ୍ଞ

ଅଗ୍ରେ ବିଷ୍ଣୁପୂଜା ଦେଇ ।

 

ପୂଜା ଉପଚାର ଯଜ୍ଞର ସମ୍ଭାର

ଆଶ୍ରମ ସୁଷମା ତୋରା ।

ଚାରୁ ଚନ୍ଦ୍ରାତପେ ମଣ୍ଡିତ ମଣ୍ଡପେ

ଲମ୍ବମାନ ଫୁଲଝରା ।

 

କୁଶାସନାସୀନ ଦ୍ୱିଜ ଋଷିଗଣ

କୃଷ୍ଣସାର ଦଳ ଦଳ

ମୃଣାଳମାଳିନୀ ଆଶ୍ରମନଳିନୀ

କୋଳେ ଅମଳ କମଳ ।

 

ବିପ୍ର ବେଦଗାନ ଯଜ୍ଞ ପୀଠ ସ୍ଥାନ

ପୂତ ନୀର ପ୍ରସବଣ

ପାବନ ଅନିଳ ଜଳିଣ ପ୍ରବଳ

ମୁଗ୍‌ଧ କରେ ଜନମନ ।

 

ଯଜ୍ଞ ଆସ୍ଥାନରେ ଦିବ୍ୟ ଆସନରେ

ବିଜେ ବ୍ରହ୍ମା ପଦ୍ମାସନ

ପ୍ରସନ୍ନ ବଦନେ କନକ ଆସନେ

ଆସୀନ ପୀତ-ବସନ ।

 

ଚିତ୍ରକୃତ୍ତିବାସ ପ୍ରଭୁ ପଞ୍ଚଆସ୍ୟ

ବ୍ୟାଘ୍ରଚର୍ମାସନେ ବସି

ସଦା ଉଦାସୀନ କୁଶାସନାସୀନ

ଋଷିଗଣ ସଙ୍ଗେ ହସି ।

 

ଆଳାପ ବଚନେ ରତ ହୃଷ୍ଟମନେ

ଯଜ୍ଞ ମଣ୍ଡପର ପରେ

ମହା ଅନୁଷ୍ଠାନ ଯୋଗେ ଯଜ୍ଞସ୍ଥାନ

ଶୋଭୁଛି ଆଶ୍ରମ ବରେ ।

 

ଛନ୍ତି ବସୁଗଣ ବିଶ୍ୱଦେବ ପୁଣ

ଅଛନ୍ତି ଯକ୍ଷ କିନ୍ନର

ତ୍ରିଦଶରାଜନ ସଙ୍ଗେ ଦେବଗଣ

ତହିଁ ପୁଣି ବିଦ୍ୟାଧର ।

 

ଅଛନ୍ତି ପନ୍ନଗ ନରପଶୁଖଗ

ଦିଗପାଳ ଗ୍ରହଗଣ

ଅଛନ୍ତି ତପସ୍ୱୀ ପଣ୍ଡିତ ଯଶସ୍ୱୀ

ଗହଣେ ସିଦ୍ଧ ଚାରଣ ।

 

ଲଳିତ ସ୍ୱନରେ ବେଦଗାୟନରେ

ଭୂସୁରେ ଅଛନ୍ତି ମାତି

ବାଦ୍ୟ ଯନ୍ତ୍ରତାନେ ଗନ୍ଧର୍ବଙ୍କ ଗାନେ

ଉଲ୍ଲସି ଉଠୁଛି ଛାତି ।

 

ଋଷି ତପୋବଳେ ଆଶ୍ରମ-ମଣ୍ଡଳେ

ଖଟୁଛନ୍ତି ଋଦ୍ଧି ସିଦ୍ଧି

ଯୋଗ୍ୟ ବାସସ୍ଥାନ ପେୟ ଭୋଜ୍ୟମାନ

ଯୋଗାଇଣ ଯଥାବିଧି ।

 

ସୁଷମା-ପସରା ସୌମ୍ୟା ଅପସରା

ପଞ୍ଚମ ସ୍ୱରରେ ଗୀତ

ଗାଇ ନାନା ରସେ ସରସେ ହରଷେ

ରଞ୍ଜୁଛନ୍ତି ସର୍ବ ଚିତ୍ତ ।

 

ମୁଗ୍‌ଧା ମନୋରମା କୁମାରୀ ଉତ୍ତମା

ଋଷିକନ୍ୟା ଯଶସ୍ୱିନୀ

ଦେଖୁଛନ୍ତି ଯୋଗ ବହି ଅନୁରାଗ

ଅନସୂୟା ମନସ୍ୱିନୀ ।

 

ପୂର୍ଣ୍ଣେନ୍ଦୁବଦନା ସଦ୍‌ଗୁଣସଦନା

ପତିପ୍ରାଣା ଋଷିଜାୟା

ଦେଖୁଛନ୍ତି ଯୋଷା ମଣ୍ଡି ପୁଷ୍ପଭୂଷା

ଗୈରିକ ଅମ୍ବରେ କାୟା ।

 

ପ୍ରଜାଙ୍କ ଅଧ୍ୟକ୍ଷ ପ୍ରଜାପତି ଦକ୍ଷ

ସେ ସ୍ଥାନରେ ଉପସ୍ଥିତ

ହୁଅନ୍ତେ ସକଳ ସେ ସଭାମଣ୍ଡଳ

ହୋଇଗଲା ଆଲୋକିତ ।

 

ସଭାସଦଗଣ ଦକ୍ଷ ବଡ଼ପଣ

ଜ୍ଞାନେ ହୋଇଗଲେ ଉଭା

ଦକ୍ଷ ଦିବ୍ୟ ଜ୍ୟୋତି ପ୍ରତାପ ଶକତି

ମଣ୍ଡାଇଲା ସଭାଶୋଭା ।

 

ନ ତେଜି ଆସନ ଦେବ ପଞ୍ଚାନନ

ନ କଲେ ଯଥା ଆଦର

ଗରବ ଗରିଷ୍ଠ ହେଲେ କୋପାବିଷ୍ଟ

ତହିଁ ଦକ୍ଷ ନୃପବର ।

 

କର୍କଶ କୁବାକ୍ୟ ପ୍ରୟୋଗିଲେ ଦକ୍ଷ

ସଭାରେ ଶିବଙ୍କ ପ୍ରତି

ରେ ମୁଢ଼ ପାମର ଅଶିବର ଘର

ଗୁରୁଜନେ ନାହିଁ ଭକ୍ତି ।

 

ତୋର ପିତୃସମ ମୁହିଁ ପୂଜ୍ୟତମ

କରୁଛୁ ରେ ଅନାଦର

ହୋଇଣ ନିଃଶଙ୍କ ରେ କୁଳକଳଙ୍କ

ବସିଛୁ ସଭାମଧ୍ୟର ।

 

ନେବି ପ୍ରତିଶୋଧ ଅଚିରେ ନିର୍ବୋଧ

କରି ତୋରେ ଅପମାନ

ଯଜ୍ଞେକ କରିବି ବିଜ୍ଞରେ ବରିବି

ତୋତେ ନ ଦେବି ରେ ସ୍ଥାନ ।

 

ଶିବଙ୍କ ନିନ୍ଦନ ହୃଦୟଚନ୍ଦନ

ସମ ଭୃଗୁ ମୁନିବର

ମଣିଲେ ଚିତ୍ତରେ କୈଳାସ କ୍ଷେତ୍ରରେ

ସ୍ମରି ଶିବ ଅନାଦର ।

 

ଉତ୍ତରିଲେ ଯତି ଶୁଣ ପ୍ରଜାପତି

ତୁମ୍ଭ ଯଜ୍ଞେ ହେବି ହୋତା

ସେହୁ ମହାଯୋଗ ଲାଗି ମହାଭାଗ

ଅଚିରେ ହୁଅ ଉଦ୍‌ଯୋକ୍ତା ।

 

ଦିନେ କଇଳାସ ଏହାଙ୍କ ଆବାସ

ଗଲି କାର୍ଯ୍ୟ ଅନୁରୋଧେ

କୋପ କଟାକ୍ଷରେ ତ୍ରିଶୂଳ ଶିଖରେ

ମୋତେ ବଧିବାକୁ କ୍ରୋଧେ

 

ହୁଅନ୍ତେ ଉଦ୍ୟତ ଏ ଦେବ ଉଦ୍ଧତ

ରକ୍ଷାକଲେ ଦେବୀ ସତୀ

ଏବେ ଦେଖ ଯାଗେ ଗୁରୁ ମହାଭାଗେ

ଦେଖାନ୍ତି ନାହିଁ ଭକତି ।

 

ଦଧୀଚି ମହର୍ଷି ସଭାମଧ୍ୟେ ବସି

କହିଦେଲେ ଉଚ୍ଚସ୍ୱରେ

ଶିବହୀନ ଯଜ୍ଞ ଅଟେ ମହାବିଘ୍ନ-

କାରଣ ଏହି ବିଶ୍ୱରେ ।

 

ନ ରହିଲେ ଶିବ ସବୁଟି ଅଶିବ

ଜାଣିଥାଅ ମହାମୁନି

ଶିବ ନିନ୍ଦାକଥା ଅଯଥା ସର୍ବଥା

ଏହା କହି ହେଲେ ତୁନି ।

 

ଦକ୍ଷ-ରୁକ୍ଷବାଣୀ ମହାଦୁଃଖେ ଶୁଣି

ବ୍ରହ୍ମା ଲଭିଲେ ଅଶାନ୍ତି

ସଭାରେ ସକଳ କଲେ କୋଳାହଳ

ନିନ୍ଦା ଆଣିବାରୁ ଭ୍ରାନ୍ତି ।

 

ଯୋଗୀଶ ଶଙ୍କର ଚିତ୍ତେ ଭାବାନ୍ତର

ନ ଆସିଲା ନିନ୍ଦା ଶୁଣି

ଗଲେ କପିଳାସ ପ୍ରଭୁ ଦିଗବାସ

ପ୍ରସନ୍ନ ମନରେ ପୁଣି ।

 

ଶିବ ମୁଖୁଁ ଦକ୍ଷ ତିରସ୍କାର ବାକ୍ୟ

ଶୁଣି ଦକ୍ଷସୁତା ସତୀ

ବର୍ଷି ଅଶ୍ରୁନୀର ତିନ୍ତାଇ ଶରୀର

ହୋଇଲେ ବିକଳମତି ।

 

ଭାବିଲେ ମନରେ ଜନ୍ମି ଦକ୍ଷଘରେ

ଶିବ-ନିନ୍ଦାର କାରଣ

ହୋଇଛି ମୁଁ ସିନା ସଉଭାଗ୍ୟହୀନା

ବରଂ ବରିବି ମରଣ ।

 

ବଦନଚନ୍ଦ୍ରମା ଲଭିଲା କାଳିମା

ପତିନିନ୍ଦା-ରାହୁ ଗ୍ରାସେ

ଭାବିଲେ ସୁନ୍ଦରୀ ସୌମ୍ୟା କୃଶୋଦରୀ

ଗମିବେ ଜନକ ପାଶେ ।

 

ଚରଣେ ଜୁହାର କରି ବାରମ୍ବାର

ବିହି ବହୁ ଅନୁନୟ

ଶମିବେ ଜନକ ବିରାଗ-ପାବକ

କହି ବଚନ ବିନୟ ।

 

ଶେଷ ଅନୁନୟ କରିବେ ନିର୍ଣ୍ଣୟ

ଯଦି ପତିଙ୍କ ନିନ୍ଦନ

କରିବେ ଜନକ ସେ ମହା ପାତକ

ଦୋଷେ ଛାଡ଼ିବେ ଜୀବନ ।

 

ସଦା କ୍ଷେମଙ୍କର ପ୍ରଭୁ ଶ୍ରୀ ଶଙ୍କର

ଜାଣି ସତୀ ମନୋବ୍ୟଥା

କହି ମୃଦୁ ବାଣୀ ସତୀ-ଶିରୋମଣି

ଶୋକ ଶମିଲେ ସର୍ବଥା ।

 

ପତିପଦେ ମତି ରଖି ମହାସତୀ

ହେଲେ ସଦା ଅନୁଗତା

ଯାପିଲେ ଯାମିନୀ- ଦିବସ ଭାମିନୀ

ପତି ସେବାରେ ସୁବ୍ରତା ।

Image

 

ଏକାଦଶ ସର୍ଗ

(ଦକ୍ଷଯଜ୍ଞ)

 

ଗର୍ବଚିତ୍ତେ ଅତି ଦକ୍ଷ ପ୍ରଜାପତି

ଭୃଗୁପୁରେ ବିଶୃଙ୍ଖଳା

ସୃଜି କ୍ରୋଧଭରେ ଫେରିଲେ ନଗରେ

ଧରି ଅଶାନ୍ତି ପ୍ରବଳା ।

 

ସଦା କଲେ ଧ୍ୟାନ ଶିବ ଅପମାନ

କିପରି କରି ସାଧନ

ମହାସଭା ମଧ୍ୟେ ଅତି ତପ୍ତହୃଦେ

ବୋଳିବେ ଶୀତ ଚନ୍ଦନ ।

 

ଯଜ୍ଞ ଅନୁଷ୍ଠାନ କରିଣ ବିଧାନ

ଶିବଙ୍କୁ ନ ଦେବେ ଭାଗ

ଭାବି ବ୍ରହ୍ମାସୁତ ଆରମ୍ଭିଲେ ଦ୍ରୁତ

ଶୀବହୀନ ମହାଯୋଗ ।

 

ତପସ୍ୱୀ ବ୍ରାହ୍ମଣ କଲେ ନିମନ୍ତ୍ରଣ

ଦୂତ ପେଷି ସର୍ବସ୍ଥାନେ

ଭୃଗୁ ଦ୍ୱିଜବର ପୁରୋଧା ପ୍ରବର

ହେଲେ ଯଜ୍ଞ ଅନୁଷ୍ଠାନେ ।

 

ନିମନ୍ତ୍ରିଲେ ରାଜା ସକଳ ପରଜା

ଦୈତ୍ୟ ଆଦିତ୍ୟ ସହିତେ

ବିବିଧ ସମ୍ଭାର ଧରି ଉପହାର

ସର୍ବେ ଆସିଲେ ତୁରିତେ ।

 

ବସୁ ଯେ ପର୍ଜନ୍ୟ ବ୍ରହ୍ମା ପଦ୍ମାସନ

ବରୁଣ ଅନିଳ ଯମ

ହରି ସୂର୍ଯ୍ୟ ଚନ୍ଦ୍ର ମୃତ୍ୟୁ ଅଗ୍ନି ଇନ୍ଦ୍ର

ସର୍ବେ କଲେ ଶୁଭାଗମ ।

 

ଅଶ୍ୱିନୀ ମରୁତ ଆସିଲେ ନୈରୁତ

ପାଇବାକୁ ହବିର୍ଭାଗ

ବାସୁକି ଅନନ୍ତ ମିଳିଲେ ସମସ୍ତ

ଦେଖିବାକୁ ମହାଯାଗ ।

 

କେବଳ ଶଙ୍କର ଛାଡ଼ି ଦୂତବର

କଲା ସକଳେ ଆହ୍ୱାନ

ନାରଦ ଦେବର୍ଷି ମୁଖେ ହସି ହସି

ମିଳିଲେ ଶଙ୍କର ସ୍ଥାନ ।

 

ପୁଚ୍ଛନ୍ତେ ଈଶ୍ୱର ପୂଜ୍ୟ ଋଷିବର

କହିଲେ ସତୀ ସମ୍ମୁଖେ

ଦକ୍ଷଯଜ୍ଞେ ମୁହିଁ ଯୋଗଦେବା ପାଇଁ

ଯାଉଅଛି ମନସୁଖେ ।

 

ସକଳେ ନିମନ୍ତ୍ରି- ଛନ୍ତି ପ୍ରଜାପତି

ତୁମ୍ଭଙ୍କୁ ହିଁ ହତାଦର

କରିଛନ୍ତି ଦକ୍ଷ ହୋଇଣ ବିମୁଖ

ଏ ମହାଯଜ୍ଞେ ଶଙ୍କର !

 

ହେବ ମହାଯାଗ ସର୍ବେ ହବିର୍ଭାଗ

ପାଇବେ ଯଥାସମ୍ମାନେ

କରି ମହାକୋପ ତୁମ୍ଭ ଭାଗ ଲୋପ

ଦକ୍ଷ କଲେ ଅନୁଷ୍ଠାନେ ।

 

ଶିବହୀନ ଯାଗ ହେବ ମହାଭାଗ

ଶୁଣିଛି ତଥ୍ୟ ଖବର

ଯଜ୍ଞେ ଯୋଗଦାନ ଦେବାକୁ ଈଶାନ

ଯାଉଛି ମୁହିଁ ସତ୍ୱର ।

 

ଶୁଣି ଏ ସମ୍ବାଦ ଶିବ-ନିନ୍ଦାବାଦ

ସତୀ ହେଲେ ମର୍ମାହତ

ସତେ କି ହାଟକ- ପ୍ରତିମା ଝଟକ

ହୋଇଲା ବାତେ ଆହତ ।

 

ପତି ଅପମାନ ଅଶନି ସମାନ

କୋମଳ ହୃଦ ବିଦାରି

ଦେବାରୁ ଭବାନୀ ପଡ଼ିଲେ ଅବନୀ

ପରେ ଜ୍ଞାନସଂଜ୍ଞା ହାରି ।

 

ଲଭିଣ ଚେତନ ରମଣୀ-ରତନ

ଭାବିଲେ ଘୋର ସନ୍ତାପେ

ପିତୃ ଦୋଷେ ଜାଣ ତେଜିବେ ପରାଣ

ପତିନିନ୍ଦା ମହାପାପେ ।

 

ହୃଦେ ଏହି ଦୃଢ଼ ସଙ୍କଳ୍ପ ନିଗୂଢ଼

କରି ସତୀଶିରୋମଣି

କହିଲେ କୋମଳ ବଚନ ସରଳ

ସକଳ ସଦ୍‌ଗୁଣଖଣି ।

 

ବଲ୍ଲଭ ପୟରେ ନମି ଭକ୍ତିଭରେ

‘ଦେବ ଦିଅ ଅନୁମତି

କରୁଣା-ନିଳୟ ପେଷ ପିତ୍ରାଳୟ

ମୋ ପୂଜ୍ୟା ଜନନୀ କତି ।

 

ଦେଖିବି ଅଧ୍ୱର ପ୍ରଭୋ ପ୍ରାଣେଶ୍ୱର

ଭେଟିବି ଭଗିନୀବୃନ୍ଦ

ଆସିବି ସତ୍ୱର ସେବିବି ପୟର

ତୋଷି ମୋ ସନ୍ତପ୍ତ ହୃଦ ।’

 

ଦେବୀ ମୃଦୁ ବାଣୀ ଶୁଣି ଶୂଳପାଣି

ଆକର୍ଷି ଧରିଲେ କୋଳେ

ଆଉଁଷି ସୀମନ୍ତ ଗଣ୍ଡେ ରଖି ହସ୍ତ

ଉତ୍ତରିଲେ ସ୍ନେହ ଭୋଳେ ।

 

ନିମନ୍ତ୍ରଣ ବିନା ଅପମାନ ସିନା

ଲଭିବୁ ସୁମୁଖି ତୁହି

ହେଉଛି ଏ ଯାଗ ଯହିଁ ମୋର ଭାଗ

ନାହିଁ ଗୋ ଚନ୍ଦ୍ରମାମୁହିଁ !

 

ମୋଠାରେ ପ୍ରକୋପ- ଭରେ ଦକ୍ଷ ଲୋପ

କରିଛନ୍ତି ମୋର ଭାଗ

ସେଠାକୁ ଯିବାର ନୁହେ ମୋ ବିଚାର

ଯେଣୁ ଶିବହୀନ ଯାଗ ।

 

ଶୁଣି ଦାକ୍ଷାୟଣୀ ଶଙ୍କର ଘରଣୀ

କହିଲେ ଏ ମୃଦୁ ଗିର

ଅଶ୍ରୁସିକ୍ତ ନେତ୍ରେ ଅଶ୍ରୁସିକ୍ତ ଗାତ୍ରେ

ପତିପଦେ ରଖି ଶିର ।

 

‘କିପାଁ ମୋ ଜନକ ପ୍ରଜାପତି ଦକ୍ଷ

ହୋଇଛନ୍ତି ଅବିବେକ

ସଭାର ଭିତରେ ପଚାରିବି ଥରେ

କେବଳ ପ୍ରଶ୍ନ ଏତେକ ।’

 

ଦେବ ମୃତ୍ୟୁଞ୍ଜୟ କହିଲେ, ‘ନିଶ୍ଚୟ

ଏଥୁ ଗୋ ଜାତ ଅନର୍ଥ

ଅମଙ୍ଗଳ ବାତ୍ୟା- ଆଘାତେ ଅଗତ୍ୟା

ମନୋରଥ ହେବ ବ୍ୟର୍ଥ ।

 

ଜନକ ଧିକ୍‌କାର କଟୁ ତିରସ୍କାର

ମରମ-ହଣା ଲାଞ୍ଛନା

ଜନତା ନିନ୍ଦନ ମହା ଅପମାନ

ଜନ୍ମାଇ ଦେବ ଶୋଚନା ।

 

ମୋ ବାମ ଲୋଚନ ଥରି ଘନ ଘନ

ସୂଚି ଦେଉଛି ଭୀଷଣ

ବିପଦ ଆଗମେ ପ୍ରାଣ ପ୍ରୀୟତମେ

ନିଶ୍ଚେ ପାଇବୁ କଷଣ ।

 

ସହଜେ ଅବଳା ଅଟୁ ଚାରୁଶୀଳା

ପଥ ତ ବିପଦଭରା

କୁଳ-କଳଙ୍କିନୀ ହେବୁ ଏକାକିନୀ

ହୋଇଗଲେ ତୁହି ତ୍ୱରା ।’

 

ଶିବ ଭୟବାଣୀ ଶୁଣିଣ ରୁଦ୍ରାଣୀ

ବୋଇଲେ, ‘ଶୁଣ ବଲ୍ଲଭ !

ନୁହେଁ ଆନ ନାରୀ ଶୁଣ ତ୍ରିପୁରାରି

ମୁଁ ଭବାନୀ ତୁମେ ଭବ ।

 

ମୁହିଁ ଅଟେ କାଳୀ ପତି ମୋ କପାଳୀ

ନ ମଣ ମୋତେ ଅବଳା

ମୁଣ୍ଡମାଳ ଗଳେ ଗ୍ରାସେ ମୁଁ ସକଳେ

ମୋହର ଶକ୍ତି ପ୍ରବଳା ।

 

ଦେଖିବାକୁ ଯଦି ଇଚ୍ଛ ହେ କପର୍ଦ୍ଦି

ଦଶ ମହାବିଦ୍ୟା-ରୂପ

ନ ହୋଇ କାତର ଦେଖ ରୂପାନ୍ତର

ନିଖିଳ ବ୍ରହ୍ମାଣ୍ଡ ଭୂପ !’

 

ପ୍ରଥମରେ ସତୀ ଦର୍ଶାଇଲେ ଅତି

ଭୀଷଣ କାଳିକା ଅଙ୍ଗ

ବରାଭୟକରା ନରମୁଣ୍ଡଧରା

ଏକ ହସ୍ତେ ପୁଣି ଖଡ଼୍‌ଗ ।

 

ମୁଣ୍ଡମାଳ-ଗଳା ଭୀମା ଦିଗମ୍ବରା

ଶବାରୂଢ଼ା ବୃହନ୍ମୁଖୀ

ଭୀମଦଂଷ୍ଟ୍ର-ପଂକ୍ତି ଲୋକଜିହ୍ୱା ଅତି

ଶ୍ମଶାନ ନିବାସେ ସୁଖୀ ।

 

ତଥି ପରେ ସତୀ ତାରା ରୂପବତୀ

ହୋଇ ଗଲେକ ତକ୍ଷଣ

ଖଡ଼୍‌ଗ-ଇନ୍ଦୀବର- ଭୁଜଙ୍ଗ-ଖର୍ପର-

କରା କପାଳେ ଈକ୍ଷଣ ।

 

କୃଷ୍ଣ ରୁକ୍ଷକେଶା ପିଙ୍ଗ ଜଟାଭୂଷା

ଆଶୀବିଷ ବିଭୂଷିତା

ଅଟ୍ଟହାସ-କର୍ତ୍ତୀ ଖର୍ବକାୟା ହନ୍ତ୍ରୀ

ଶିବବକ୍ଷେ ପଦାର୍ପିତା ।

 

ତଦନ୍ତେ ରୂପସୀ ହୋଇଲେ ଷୋଡ଼ଶୀ

ବାଳାରୁଣକାନ୍ତିଜିଣା

ପାଶାଙ୍କୁଶ-ଶର- ଚାପେ ଶୋଭେ କର

ଶୁଚିବାସା ତ୍ରିଲୋଚନା ।

 

ଭୁବନ ଈଶ୍ୱରୀ ରୂପେ ବିମ୍ବାଧରୀ

ପୁଣି ଦେଲେକ ଦର୍ଶନ

ବାଳେନ୍ଦୁ କିରୀଟ- ଶୋଭି ଭାଲପଟ୍ଟ

ଜ୍ୟୋତିରେ ଜିଣେ ସୁବର୍ଣ୍ଣ ।

 

ତ୍ରିନୟନ ଯୁତା ଉରସ୍ଥଳୋନ୍ନତା

ସ୍ମେରମୁଖୀ ବରାଙ୍ଗନା

ପାଶାଙ୍କୁଶ-ଧରା ବରାଭୟ-କରା

ସଦା ପ୍ରସନ୍ନବଦନା ।

 

ତଦନ୍ତେ ଭୈରବୀ ବେଶେ ସମୁଦ୍ଭବି

ମୋହିଲେ ଶଙ୍କର ଚିତ୍ତ

ସହସ୍ର ମୟୁଖ- ପ୍ରଭା ଜିଣି ମୁଖ

ହେଉଅଛି ଉଦ୍ଭାସିତ ।

 

ଆରକ୍ତ କୌଶେୟ ବସ୍ତ୍ରାବୃତ ଦେହ

ଶିରୋମାଳଶୋଭୀ ଗଳା

ବିଦ୍ୟାଭୟବର- ଦାନେ କ୍ଷମ କର

ପୁଣି ରାଜେ ଯପମାଳା ।

 

ଲୋହିତାକ୍ତ-ସ୍ତନା ଉଜ୍ଜ୍ୱଳ-ବସନା

ରକ୍ତାରବିନ୍ଦନୟନା

ଅର୍ଦ୍ଧେନ୍ଦୁ-ମୁକୁଟ ଶୋଭେ ଝଟ ଝଟ

ସୁମଧୁର ସ୍ମିତାନନା ।

 

ପୁଣି ଛିନ୍ନମସ୍ତା ଭୀମା ଦିଗବସ୍ତ୍ରା

କ୍ଷଣ ପରେ ଆବିର୍ଭୂତ

ପ୍ରତ୍ୟାଲୀତପଦା ଛିନ୍ନଶିର ସଦା

ଶ୍ରୀକରେ ହୋଇଛି ଧୃତ ।

 

ସ୍କନ୍ଧରକ୍ତଧାରା- ପାନେ ରକ୍ତାଧରା

ଲୋଲୁପା ଖର୍ପରକରା

ଉତ୍ପଳାଳଙ୍କୃତା ରତ୍ୟାସକ୍ତ ଚିତ୍ତା

ତ୍ରିନୟନା ପରାତ୍ପରା ।

 

ଦକ୍ଷିଣାଙ୍ଗେ ଧଳା ବାମେ ଅତି କଳା

ଉଗ୍ରଚଣ୍ଡା ଦାକ୍ଷାୟଣୀ

ବିମୁକ୍ତଚିକୁରା କବନ୍ଧ-ଆକାରା

ନାଗାବଦ୍ଧ-ଶିରୋମଣି ।

 

ବାମହସ୍ତେ ଖଣ୍ଡା ଡାକିନୀ ପ୍ରଚଣ୍ଡା

ବିଶ୍ୱ ଧ୍ୱଂସନେ ତତ୍ପରା

ରୂପ ଦରଶାଇ ଚିତ୍ତ ଉଲ୍ଲସାଇ

ଉଭାହେଲେ ଦେବୀ ବରା ।

 

ପୁଣି ଧୂମାବତୀ ରୂପେ ଭଗବତୀ

ହୋଇଗଲେ ଆସି ଉଭା

ମଳିନ-ଅଞ୍ଚଳା ବିମୁକ୍ତ-କୁନ୍ତଳା

କଦାକାର ଦିଶେ ଶୋଭା ।

 

ବିରଳ-ଦଶନା ବିଧବା ବିବର୍ଣ୍ଣା

ପ୍ରଲମ୍ୱିତ ପୟୋଧରା

ପ୍ରସାରିତ-ଘୋଣା କୁଟିଳ ଈକ୍ଷଣା

ସୂର୍ପ ବରାନ୍ୱିତ କରା ।

 

କାଳଧ୍ୱଜ ରଥ ଆରୋହି ଅଗ୍ରତ

କ୍ଷୁଧା-ତୃଷା-ଆକୁଳିତା

ଚକ୍ଷୁ ସମ୍ମୁଖରେ ଆସିଗଲେ ଖରେ

ନିନ୍ଦାକଳିଦ୍ୱନ୍ଦ୍ୱ-ପ୍ରୀତା ।

 

ରତନ-ମଣ୍ଡପ ମଧ୍ୟେ ଦପ ଦପ

ସ୍ୱର୍ଣ୍ଣ ସିଂହାସନୋପରି

ପ୍ରୀତ କଳେବରା ହାରିଦ୍ର-ଅମ୍ୱରା

ବଗଳାମୁଖୀ ସୁନ୍ଦରୀ ।

 

ମାଲ୍ୟ ଆଭରଣ ଶ୍ରୀଅଙ୍ଗେ ଧାରଣ

କରି ଦେବୀ ଦକ୍ଷକରେ

ଗଦାଘାତେ ଅରି ଗର୍ବ ଖର୍ବ କରି

ବାମେ ଜିହ୍ୱା ଟାଣି ଖରେ ।

 

ସୁଧା ସିନ୍ଧୁ ମଧ୍ୟେ ସିଂହାସନେ ନନ୍ଦେ

ବସିଣ ମନୋହାରିଣୀ

ଦ୍ୱିଭୁଜା ସୁନ୍ଦରୀ ସୌମ୍ୟା କୃଶୋଦରୀ

ଅରାତିବଶକାରିଣୀ ।

 

ପୀତବସ୍ତ୍ରାବୃତା ରତ୍ନ-ଅଳଙ୍କୃତା

ହେମକାନ୍ତି କଳେବରେ

ନେତ୍ର ଝଳସାଇ ଚିତ୍ତ ଉଲ୍ଲସାଇ

ଉଭାଇ ଗଲେ ସତ୍ୱରେ ।

 

ଆସିଲେ ମାତଙ୍ଗୀ ଉଜ୍ଜ୍ୱଳ ଶ୍ୟାମାଙ୍ଗୀ

ଶଶିଶେଖରୀ ସୁନ୍ଦରୀ

ମଙ୍ଗଳା ତ୍ରିନେତ୍ରୀ ତ୍ରିଭୁବନଧାତ୍ରୀ

ବସି ସିଂହାସନୋପରି ।

 

କମଳ ଆନନା ପଦ୍ମପାଦା ଧନ୍ୟା

ନାନାରତ୍ନ ବିଭୂଷିତା

ଖେଟଙ୍କ ଅଙ୍କୁଶ କରେ ଅସି ପାଶ

ସ୍ଫୁରନ୍ନେତ୍ରୀ ପ୍ରଶଂସିତା ।

 

ସୁବର୍ଣ୍ଣ ବରଣା ଅରବିନ୍ଦାସନା

କନକ-କମଳକରା

ଶିରୀ ବିତରଣ ଅଶୁଭ ବାରଣ

କରି କୌଶେୟଅମ୍ୱରା ।

 

ଅଭୟ ବରଦ- କରକୋକନଦ

ଦେଖାଇ ଦିବ୍ୟ ଶୋଭନା

କିରୀଟ ଉଜ୍ଜ୍ୱଳା ଆସିଲେ ନିର୍ମଳା

ଲକ୍ଷ୍ମୀ-ଦେବୀ ଚନ୍ଦ୍ରାନନା ।

 

ହିମଗିରିନିଭ ବେନି ପାଶେ ଇଭ

ଶୁଣ୍ଡେ ଟେକି ସ୍ୱର୍ଣ୍ଣଘଟ

ମହାନନ୍ଦେ ରସି ସୁଧାଧାରା ବର୍ଷି

ଆହ୍ଲାଦ କଲେ ପ୍ରକଟ ।

 

ଦେଖି ଏ ମଧୁର ରୂପ ମନୋହର

ହୋଇଲେ ବିହ୍ୱଳ ହର

ଡାକିଲେ ମୋ ସତି ଆସ ପ୍ରିୟବତି

ଅସ୍ଥିର ମୋତେ ନ କର ।

 

ଶିବ ବାକ୍ୟେ ସତୀ ଆସିଲେ ଝଟତି

ପାଶେ ଆସି ହେଲେ ଉଭା

ଉଜ୍ଜ୍ୱଳ କାନ୍ତିରେ ଶ୍ରୀମୁଖ-ଦୀପ୍ତିରେ

ଚୌଦିଗେ ବିସ୍ତାରି ଶୋଭା ।

 

ବୋଇଲେ ଶଙ୍କର ଜାଣିଲି ଏଥର

ତୁମ୍ଭ ଗତି ଅବାରିତ

ଯାଅ ଗୋ ବରଦେ ଶରଣ୍ୟେ ଶୁଭଦେ

ପିତୃଭବନେ ତ୍ୱରିତ ।

 

ସରବ ମଙ୍ଗଳ- ମାଙ୍ଗଲ୍ୟେ ତୁମ୍ଭର

ହେଉ ଗୋ ଅଶୁଭ ଦୂର

ତୁମ୍ଭ ଯଶୋରବି ପ୍ରକଟି ସୁଛବି

ଉଜ୍ଜ୍ୱଳୁ ଜନକ ପୁର ।

 

ଏହି ସମୟରେ ଗଗନମାର୍ଗରେ

ଦେଖିଲେ ଦେବୀ ସ୍ୟନ୍ଦନେ

ସ୍ୱାମୀ ଅଙ୍କେ ବସି ଭଗିନୀଏ ହସି

ଗମନ୍ତି ପିତୃସଦନେ ।

 

ବସିଣ ବିମାନେ ସୁଲଳିତ ଗାନେ

ମୋହୁଛନ୍ତି ବ୍ୟୋମମାର୍ଗ

ସତୀ ଦେବୀ ମନ ହୋଇଲା ଉଚ୍ଛନ୍ନ

ଦେଖିବାରେ ପିତୃଯାଗ ।

 

ଯୋଡ଼ି ବେନି ପାଣି ମାଗିଣ ମେଲାଣି

ହେଲେ ବୃଷଭେ ଆସୀନ

ପତିସେବା ତେଜି ଯିବା କଥା ହେଜି

ମନ ହେଲା ଉଦାସୀନ ।

 

ଶିରେ ବେନି କର ରଖି ରାମାବର

ବୋଇଲେ, ‘ଶୁଣ ବଲ୍ଲଭ !

ତୁମ୍ଭ ପଦେ ମତି ଅଚଳା ଭକତି

ହୋଇବ ମୋତେ ସୁଲଭ ।

 

ଜନ୍ମେ ଜନ୍ମେ ଦାସୀ କରି ଅବିନାଶି

ରଖିବ ପଦ୍ମଚରଣେ

ମମତା କରୁଣା ନ କରିବ ଊଣା

ଦାସୀ ପ୍ରତି ଅକାରଣେ ।’

 

ନେଇ ପଦଧୂଳି ମସ୍ତକରେ ବୋଳି

ନନ୍ଦୀ ଧରି ସଙ୍ଗତରେ

ବୃଷଭ ଉପରେ ଚଳିଲେ ସତ୍ୱରେ

ପତିଙ୍କୁ ଚିନ୍ତି ଚିତ୍ତରେ ।

 

ଦକ୍ଷପୁର ଶୋଭା ଜନମନୋଲୋଭା

ହୋଇଛି ସାଜସଜ୍ଜାରେ

ଦେଖି ଶୋଭାରାଜି ମଥା ପୋତେ ଆଜି

ଅମରାବତୀ ଲଜ୍ଜାରେ ।

 

ଶୃଙ୍ଗାଟକେ ଦିବ୍ୟ ତୋରଣ-ବିଭବ

ହୋଇଛି ନେତ୍ର ରଞ୍ଜନ

ବିବିଧ ଚିରାଳ ଉଡ଼ି ମାଳମାଳ

ଦର୍ଶାଏ ଦର୍ପଗଞ୍ଜନ ।

 

ଦକ୍ଷଙ୍କର ଟେକ ଶୋଭୁଛି ଅନେକ

ପଲ୍ଲବ-ପ୍ରସୂନ ହାର

ଭୂଷଣେ ଭୂଷିତ ବିବିଧ ଚିତ୍ରିତ

ପ୍ରତି ଆବାସର ଦ୍ୱାର ।

 

ରମ୍ଭା ମହୀରୁହ କଳସ ସମୂହ

ନାରିକେଳ ଧାଡ଼ି ଧାଡ଼ି

ଶୋଭା ବିମଣ୍ଡନ ହୋଇଛି ପତ୍ତନ

ଅଶୁଭ ଯାଇଛି ଛାଡ଼ି ।

 

ବିବିଧ ବାଦିତ୍ର- ନାଦେ ନିନାଦିତ

ହୋଇଛି ଦକ୍ଷପତ୍ତନ

ଅଳିନ୍ଦେ ଗବାକ୍ଷେ ଉଚ୍ଚ ହର୍ମ୍ୟକକ୍ଷେ

ସମବେତ ପୁରଜନ ।

 

ଦେଖିବେ ଅଧ୍ୱର ପବିତ୍ର ସୁନ୍ଦର

ଦେଖିବେ ସଭା-ମଣ୍ଡଳ

ଦେଖିବେ ତ୍ରିଦଶ- ସଭାର ସଦସ୍ୟ

ହରି ବ୍ରହ୍ମା ଆଖଣ୍ଡଳ ।

 

ଶଙ୍ଖ ହୁଳହୁଳି ପଡ଼ୁଛି ଉଛୁଳି

ବାଜୁଛି ବିବିଧ ବାଜା

ସଭା ମଣ୍ଡପରେ ମହା ଆଟୋପରେ

ବର୍ଷୁଛି ସୁମନ ଲାଜା ।

 

ଦକ୍ଷଙ୍କ ଦୟିତା ଜାମାତା ଦୁହିତା-

ଗଣରେ ପାଛୋଟି ହର୍ଷେ

ନେଉଛନ୍ତି ଗୃହେ ମହାନନ୍ଦେ ସ୍ପୃହେ

ନଭୋଦେଶୁ ପୁଷ୍ପ ବର୍ଷେ

 

ସତୀ ସତୀବର ପ୍ରତି ଅନାଦର

ଦେଖାଇ ଥିବାରୁ ପତି

ସାଧ୍ୱୀ ଦକ୍ଷନାରୀ ହୃଦେ ଦୁଃଖ ଭାରି

ଅତି ବିହ୍ୱଳିତ ମତି ।

 

ସତୀ ରୂପ ଗୁଣ ସ୍ମରି ପୁଣ ପୁଣ

ଲୋଚନୁ ଲୋତକଧାର

ବୁହାଇଲେ ନାରୀ ଝରି ଅଶ୍ରୁବାରି

ତିନ୍ତାଇଲା ଗଳାହାର ।

 

ହୃଦ ବିନୋଦିନୀ କନିଷ୍ଠ ନନ୍ଦିନୀ

ଆସି ନାହାନ୍ତି ସଦନ

ତେଣୁ ଅଶ୍ରୁବାରି ମୁଞ୍ଚି ଦକ୍ଷନାରୀ

ଶୁଖାଇଛନ୍ତି ବଦନ ।

 

ତନୟା ସକଳ ଜନନୀ ବିକଳ

ଦେଖି ପ୍ରବୋଧନ୍ତି ଧୀରେ

ନ ହୁଅ କାତର ପ୍ରସୂତି ଆମ୍ଭର

ସତୀ ଧନ୍ୟା ଏ ମହୀରେ ।

 

ବାହାରୁ ଶବଦ ଶୁଭି କଳା ସ୍ତବ୍‌ଧ

ଆସୁଛନ୍ତି ସତୀ ଧନ୍ୟା

ବୃଷଭ ଉପରେ ବିରସ ମୁଖରେ

ନନ୍ଦୀ ସଙ୍ଗେ ଦକ୍ଷକନ୍ୟା ।

 

ଏ ମଧୁର ବାଣୀ ଶୁଣି ମହାରାଣୀ

ଉଠିଲେ ଅତି ଉଦ୍‌ବେଗେ

ପାଛୋଟିବା ପାଇଁ ଅର୍ଘ୍ୟ କରେ ଧାଇଁ

ଗଲେ ଦେବୀ ବେଗେ ବେଗେ ।

 

ଜନନୀଙ୍କୁ ଦେଖି ବୃଷଭ ଉପେକ୍ଷି

ନମନ୍ତେ ଚନ୍ଦ୍ରମାମୁହୀଁ

ସାଧ୍ୱୀ ପତିବ୍ରତା ହୁଅ ଗୋ ସୁବ୍ରତା

ସତୀଲଲାମ ମା ତୁହି ।

 

ତନୁଜାର ଭୂଷା ଦେଖି ଦକ୍ଷଯୋଷା

ନେତ୍ରରୁ ଲୋତକ ସ୍ରାବି

ବୋଇଲେ ଗୋ ସୁତା ହେଲି ମୁହିଁ ପୂତା

ତୋର ସମ କନ୍ୟା ଲଭି ।

 

ପତିର ତୋଷଣ ପାଇଁ ଏ ଭୂଷଣ

ଧରିଅଛୁ ମାତା ମୋର

ଧନ୍ୟ ତୋର ପତି ସାଧୁ ତୋର ମତି

ଧନ୍ୟ ପତିସେବା ତୋର ।

 

ସଂସାରରେ ସାର ଅଟେ ବର ଯାର

ତାର ନାରୀ ବେଶଭୂଷା

ଦେଖି ମୋ ନୟନ ହୋଇଗଲା ଧନ୍ୟ

ଭାଷିଲେ ଦକ୍ଷଙ୍କ ଯୋଷା ।

 

ମଧୁର କୋମଳ ଗିର କହି ଜଳ

ଆଣି ଦେଲେ ତ୍ୱରା କରି

ସୁସ୍ୱାଦୁ ଭୋଜନ ଅମୃତ ବ୍ୟଞ୍ଜନ

ଥୋଇଦେଲେ ପାତ୍ରେ ଭରି ।

 

ମିଷ୍ଟ ପକ୍ୱଫଳ ପାନୀୟ ଶୀତଳ

ଜଳପାତ୍ରେ ଭରି ରାଣୀ

ଆଣି ମନ ତୋଷେ ନନ୍ଦୀଶ୍ୱର ବୃଷେ

ଦେଲେ କହି ମୃଦୁ ବାଣୀ ।

 

ଏହି କାଳେ ଯାଗ- ସ୍ଥଳେ ହବିର୍ଭାଗ

ଦେବାକୁ ନାରୀ ସଙ୍ଗରେ

ମହିଷୀ ଆହ୍ୱାନ ନିମନ୍ତେ ସେ ସ୍ଥାନ

ଆସିଲେ ଦକ୍ଷ ବେଗରେ ।

 

ସତୀ ନିରୀକ୍ଷଣ କରନ୍ତେ ଈକ୍ଷଣ

ଆରକ୍ତ ହେଲା ରାଗରେ

କୁଳକଳଙ୍କିନି, କାହିଁକି ଡାକିନି !

ଆସିଲୁ ମୋର ନଗରେ ?

 

ତୋର ପୋଡ଼ା ମୁଖ ଦେଖି ଘୋର ଦୁଃଖ

ଉପୁଜୁଛି ମୋର ମନେ

କାହିଁକି ଅଶିଷ୍ଟା ଆସିଛୁ ପାପିଷ୍ଠା

ଏ ମୋର ପୂତ ସଦନେ ?

 

ଏ ପରୁଷ ବାଣୀ ଶୁଣି ଦକ୍ଷରାଣୀ

ପାଇଲେ ମର୍ମେ ଆଘାତ

କାନ୍ଦିଲେ ବିକଳେ ନେତ୍ର ଅଶ୍ରୁଜଳେ

ତିନ୍ତିଲା ଶୋଭନ ଗାତ୍ର ।

 

ଆଉଜାଇ ବକ୍ଷେ ଚାରୁ ହର୍ମ୍ୟକକ୍ଷେ

ସତୀଙ୍କୁ ଦେବୀ ସଧୀରେ

ଆଉଁଷିଲେ ଗାତ୍ର ସର୍ବ ଶୋଭାପାତ୍ର

ନୀରବେ ବସି ମହୀରେ ।

 

ସତୀଙ୍କ ନୟନୁ ଅଶ୍ରୁ ଝରି ତନୁ

ହୋଇଗଲା ଜର ଜର

ପୁଣି କର୍କଶରେ ଭାଷିଲେ ରୋଷରେ

ଦକ୍ଷ ପ୍ରଜାପତି ବର ।

 

‘ମାହେନ୍ଦ୍ର ସମୟ ନ କର ଗୋ ବ୍ୟୟ

ସନ୍ତତି ବାତ୍ସଲ୍ୟେ ରାଣି !

ଚଳ ଯଜ୍ଞସ୍ଥଳ ହୋଇଣ ଚଞ୍ଚଳ

ସୁବେଳ ଯାଉଛି ଜାଣି ।’

 

ପତିଙ୍କ ଆଦେଶ- ମାତ୍ରେ ସାଜି ବେଶ

ଦକ୍ଷନାରୀ ଗଲେ ତ୍ୱରା

ସତୀ ସଙ୍ଗେ ଘେନି ସକଳ ଭଗିନୀ

ନେତ୍ର ଆନନ୍ଦ ପସରା ।

 

ପୂତ ଯଜ୍ଞଶାଳେ ମିଳି ଯଥାକାଳେ

ବସିଲେ କନକାସନେ

ହେଲା ଦପ ଦପ ଅଧ୍ୱରମଣ୍ଡପ

କନ୍ୟାଙ୍କ ଭୂଷା ବସନେ ।

 

ସକଳ ତ୍ରିଦଶ- ସଭାରେ ସଦସ୍ୟ

ଦେଖି ସତୀ ଶିରୋମଣି

ପତି ଅନାଦରେ ଦୁଃଖିତ ହୃଦରେ

ଯଥା ମଣିହୀନ ଫଣୀ ।

 

ଯୋଡ଼ି ବେନି ପାଣି ସରଳା କଲ୍ୟାଣୀ

କହିଲେ ସଧୀରେ ବାଣୀ

ଭୋ ତାତ ଦୂଷିତ ଯଜ୍ଞ କଳୁଷିତ

ନଥିବାରୁ ଶୂଳପାଣି ।

 

ଲୋହିତ ଲୋଚନେ କର୍କଶ ବଚନେ

ସଦର୍ପେ ଦକ୍ଷ ନୃପତି

ଭାଷିଲେ ଉତ୍ତର ‘ଅମଙ୍ଗଳ ଘର

ଖଳମତି ତୋର ପତି ।

 

ଏ ପାବନ ଯାଗ ମଧ୍ୟେ ହବିର୍ଭାଗ

ପାଇବାକୁ ସେ ଅଯୋଗ୍ୟ

ଶ୍ମଶାନରେ ଘର ସଦା ଦିଗମ୍ୱର

ହବି ତାର ନୁହେଁ ଭୋଗ୍ୟ ।

 

ଅତି ଦୁରାଚାର ନାହିଁ ତା ଆଚାର

ବିବେକହୀନ ତୋ ବର

ଆସିଲେ ଈଶାନ ଏ ପୂତ ଆସ୍ଥାନ

ଅପୂତ ହେବ ନିକର ।

 

ଅଶିବର ଘର ଶିବ ତୋର ବର

ତାହାର ମରଣେ ସୁଖୀ

ହେବି ମୁଁ ଅନ୍ତରେ ବାହ୍ୟେ ନିରନ୍ତରେ

ତା ଜୀବନେ ମହାଦୁଃଖୀ !’

 

ଶୁଣି ଏ ନିଷ୍ଠୁର ବାକ୍ୟ ଅମଧୁର

ସତୀ ନିହି କର୍ଣ୍ଣେ କର

ଶ୍ରୁତି-ଶୂଳ କଟୁ ବଚନରେ ପଟୁ

ଦେଖିବାରୁ ସ୍ୱ-ପିଅର ।

 

ଭାବିଲେ ମନରେ ଆଉ ଜୀବନରେ

ଅଛି କିସ ପ୍ରୟୋଜନ

ଏ ଅଶିଷ୍ଟ ଲାଗି ଶିବ ମହାଯୋଗୀ

ପାଉଅଛନ୍ତି ଲାଞ୍ଛନ ।

 

ପତିନିନ୍ଦା ବାଣୀ ହୃଦ ଦିଏ ହାଣି

ଶଙ୍କରଦ୍ରୋହି-ଦୁହିତା

ହେବା ମହାପାପ ଏହି ମନସ୍ତାପ

ଲଭିଲେ ହରଦୟିତା ।

 

ଶ୍ରେୟ ହିଁ ମରଣ ଏହି ଦୃଢ଼ ପଣ

କରି ଦେବୀ ଶିବପଦ

ଧ୍ୟାୟିଲେ ମନରେ ଯୋଗ ଆସନରେ

ବସି ଶ୍ୱାସ କଲେ ରୋଧ ।

 

ପ୍ରଭୋ ଶିବ ଶିବ କହି ନତ-ଗ୍ରୀବ

ହୋଇ ପଡ଼ିଲେ ଭୂତଳେ

ଗଲା ପ୍ରାଣବାୟୁ ଶେଷ ହେଲା ଆୟୁ

ଦେଖିଲେ ସଭ୍ୟ ସକଳେ ।

 

‘‘କି ହେଲା କି ହେଲା ବୁଡ଼ିଗଲା ଭେଳା’’

କହି ଆର୍ତ୍ତସ୍ୱରେ ନନ୍ଦୀ

ଧାଇଁଲେ ବିକଳେ ପଡ଼ିଲେ ଭୂତଳେ

ଦେବୀ ପଦ ଦ୍ୱନ୍ଦ୍ୱ ବନ୍ଦି ।

 

ଗତାସୁ ଦେବୀଙ୍କୁ ଦେଖି ତାର ବୁକୁ

କମ୍ପିଗଲା ଥରହର

ହୋଇବେ ବିହ୍ୱଳ ଶୋକରେ ଆକୁଳ

ତୁଣ୍ଡେ ଧରି ବଂ ବଂ ହର ।

 

ଭୃଗୁ ପୁରୋହିତ ହେଲେ ଆନନ୍ଦିତ

ନନ୍ଦୀର ଦୁର୍ଦ୍ଦଶା ଦେଖି

ନନ୍ଦୀ ଶାଳକରେ ଧାଇଁଲେ ପ୍ରଖରେ

ଜଗଦମ୍ବାଙ୍କୁ ଉପେକ୍ଷି ।

 

ଶ୍ରୁବେ ମନ୍ତ୍ରବଳେ ମାରି କୁତୁହଳେ

ଭୃଗୁ ପୁରୋହିତବର

ପରୁଷ ବଚନେ ଭୀଷଣ ତାଡ଼ନେ

ନନ୍ଦୀଙ୍କୁ କଲେ ଅନ୍ତର ।

 

ଜନତା ଗହଳ ମହା କୋଳାହଳ

ପଡ଼ିଗଲା ସେ ଅଧ୍ୱରେ

ସର୍ବେ ସଭାସଦ ହୋଇଗଲେ ସ୍ତବ୍‌ଧ

ଦକ୍ଷଙ୍କୁ ନିନ୍ଦି ଅନ୍ତରେ ।

 

ଦୁହିତା ମରଣ ଦେଖିଣ ବିବର୍ଣ୍ଣ

ହୋଇଗଲା ମୁଖପ୍ରଭା

ମହା ଶୋକଭରେ ବାହୁଡ଼ିଲେ ଘରେ

ଦକ୍ଷନାରୀ ତେଜି ସଭା ।

 

ସତୀ ଗୁଣ ଗୁଣି ବିକଳେ ତରୁଣୀ

କଲେ ସଦନେ କ୍ରନ୍ଦନ

ସୁତା ଅନୁରାଗ ବଲ୍ଲଭ ବିରାଗ

ଆକୁଳିତ କଲା ମନ ।

 

ଦକ୍ଷ ସବ୍ୟ ଭୁଜ- ନୟନ-ଅମ୍ୱୁଜ

ସ୍ଫୁରିଗଲା ପୁନଃ ପୁନଃ

ଭାବୀ ଅମଙ୍ଗଳ ସୂଚିଲା ପ୍ରବଳ

ଆସି ସର୍ବ ଅଶକୁନ ।

 

ଗ୍ଳାନି ନାହିଁ ମନେ ପ୍ରଫୁଲ୍ଲ ବଦନେ

ନିକ୍ଷେପି ଘୃତ ଅନଳେ

ମତ୍ତ ଚିତ୍ତେ ଅତି ଦକ୍ଷ ପ୍ରଜାପତି

ବସିଲେ ଯଜ୍ଞେ ନିଶ୍ଚଳେ ।

Image

 

ଦ୍ୱାଦଶ ସର୍ଗ

(ଯଜ୍ଞଭଙ୍ଗ)

 

ସତୀଙ୍କ ଗମନେ ଉତ୍କଣ୍ଠିତ ମନେ

ବସିଛନ୍ତି କୃତ୍ତିବାସ

ଅସ୍ଥିର ହୃଦୟେ ଅଛନ୍ତି ଆଳୟେ

ତାଙ୍କ ମୁଖେ ନାହିଁ ହାସ ।

 

ମହା ଅପମାନେ ବସି ସଭାସ୍ଥାନେ

ପାଉଥିବେ ଅନାଦର

ପ୍ରେୟସୀ ପ୍ରେରଣ ନିଶ୍ଚୟ ମରଣ-

କାରଣ ହେଲା ଏଥର ।

 

ପତିନିନ୍ଦା ଶୁଣି ସତୀ-ଶିରୋମଣି

ନିଶ୍ଚୟ ଛାଡ଼ିବେ ଦେହ

ଯେଣୁ ପତି ପ୍ରତି ରଖିଥାନ୍ତି ଭକ୍ତି

ଅପୂର୍ବ ଦାମ୍ପତ୍ୟ ସ୍ନେହ ।

 

ହେବି ବଇରାଗୀ ସତୀ ପତ୍ନି ଲାଗି

ନ ବରିବି ଆନ ନାରୀ

ଭାବନ୍ତେ ଏସନ ଦେବ ତ୍ରିଲୋଚନ

ନୟନୁ ଝରିଲା ବାରି ।

 

କରିଲା ସ୍ପନ୍ଦନ ବାମ ଭ୍ରୂ-ଲୋଚନ

ଥରିଗଲା ବାମବାହୁ

ସତୀ ଗଲେ ନାଶ ଭାବିଲେ ପଞ୍ଚାସ୍ୟ

ଦକ୍ଷଯଜ୍ଞ-ଚନ୍ଦ୍ରରାହୁ ।

 

କାହୁଁଆସି କାକ ପକାଇଲା ଡାକ

ଜମ୍ୱୁକ ରାବିଲେ ଖରେ

ହୋଇ ଉଲ୍‌କାପାତ କମ୍ପାଇଲେ ଗାତ୍ର

ରକ୍ତ ବୃଷ୍ଟି ଧରା ପରେ ।

 

ଅଶୁଭ ଶକୁନ ଦେଖି ପୁନଃ ପୁନ

ଚିତ୍ତ ହେଲା ଦୋଳାୟିତ

ହଜି ଗଲା ବୁଦ୍ଧି ଗଲା ଚିତ୍ତ ଶୁଦ୍ଧି

ପ୍ରଜ୍ଞା ହେଲା ଆନ୍ଦୋଳିତ ।

 

ବିରସ ମୁଖରେ ବସିଲେ ଦୁଃଖରେ

ଦକ୍ଷ ପୁର ଦିଗେ ଚାହିଁ ।

ଦୁଶ୍ଚିନ୍ତାରେ ଚିତ୍ତ ହେଲା ଉବ୍ଦେଳିତ

ବୁଦ୍ଧି କିଛି ଦିଶୁ ନାହିଁ

 

ଏ ସମୟେ ନନ୍ଦୀ ପାଦ ପଦ୍ମ ବନ୍ଦି

ପଡ଼ି ଗଲେ ଭୂମିପରେ

କାହିଁ ଗଲ ଅମ୍ୱ ତେଜି ଏହି ଭବ

କହି, କାନ୍ଦିଲେ ଉଚ୍ଚରେ ।

 

ମାତୃସ୍ନେହଲିପ୍‌ସୁ ଅତି କ୍ଷୁଦ୍ର ଶିଶୁ

ନଦେଖି ମାତୃ ଆନନ

ଧେନୁ ଶାବକ ବା ହରାଇଣ ଅମ୍ୱା

କରୁଛି କରୁଣ ସ୍ୱନ ।

 

ନନ୍ଦୀର ବିକଳ ସୂଚିଲା ସକଳ

ଦେବୀ ଅକାଳ ମରଣ

ପତି ନିନ୍ଦା ଗାନ ମହା ଅପମାନ

ମରଣ ମୂଳ କାରଣ ।

 

ଦକ୍ଷର ନିନ୍ଦନ କରିଲେ ବର୍ଣ୍ଣନ

ଭୃଗୁଦତ୍ତ ପରାଭବ

ଶିବ ପାଦ ତଳେ ଲୋଟିଣ ବିକଳେ

ନନ୍ଦୀ ନିବେଦିଲେ ସର୍ବ ।

 

ନନ୍ଦୀ କଳେବର ପ୍ରହାରେ ଜର୍ଜର

ଦେଖିଣ ବେନି ନେତ୍ରରେ

ସତୀ ପତ୍ନୀ ନାଶ- ପ୍ରଖର ହୁତାଶ

ତେଜିଲା ରୁଦ୍ର ଚିତ୍ତରେ ।

 

ପ୍ରକୋପ-ଅନଳ ଜଳିଲା ପ୍ରବଳ

ରୁଦ୍ର ହେଲେ ପରଚଣ୍ଡ

ଉପାଡ଼ି କୋପରେ ଧରଣୀ ଉପରେ

ପକାଇଲେ ଜଟା ଖଣ୍ଡ ।

 

ହେଲା ଆବିର୍ଭୂତ ମହାଚଣ୍ଡ ଭୂତ

ମାଗିଲା ଶୀଘ୍ର ଆଦେଶ

ପ୍ରମଥଙ୍କୁ ଧରି ଯାଅ ତ୍ୱରା କରି

କର ଦକ୍ଷଯଜ୍ଞ ଧ୍ୱଂସ ।

 

ମୋଡ଼ି ଦକ୍ଷ ମୁଣ୍ଡ ପକା ଅଗ୍ନିକୁଣ୍ଡ

ଉପାଡ଼ ପୁରୋଧା ଶ୍ମଶ୍ରୁ

ଯଦି ଯଜ୍ଞ ସ୍ଥାନେ ଦେଖିବୁ ଆସ୍ଥାନେ

ସମ୍ମାନିବୁ ମୋର ଶ୍ୱଶ୍ରୂ ।

 

ନ କରି ଉଛୁର ଯାଅ ଦକ୍ଷପୁର

ସୃଜି ଦିଅ ଧ୍ୱଂସଲୀଳା

ଶୁଣି ରୁଦ୍ର ଗିର ବୀରଭଦ୍ର ବୀର

କଲେ ନାଦ କିଳିକିଳା ।

 

ପାଇଣ ଆଦେଶ ଗମିଲେ ମହେଶ-

ସମ୍ଭୂତ ପିଶାଚବର

ମହା ଉନ୍ମାଦରେ ଗର୍ଜ୍ଜନ୍ତେ ନାଦରେ

ଧରା ହେଲା ଥରହର ।

 

ଆକାଶ ଅନଳ ବର୍ଷିଲା ପ୍ରବଳ

ଅବିରତ ଉଲ୍‌କାପାତ

ବ୍ୟୋମେ ଧୂମରାଶି ବ୍ୟାପିଗଲା ଆସି

କମ୍ପିଲା ସକଳ ଗାତ୍ର ।

 

ଗୋମାୟୁ ଗର୍ଜିଲେ କୁଗ୍ରହେ ତର୍ଜିଲେ

ଧୂମକେତୁ ଦେଲେ ଦେଖା

ବିପଦସଙ୍କୁଳ ହେଲେ ପ୍ରାଣିକୁଳ

ବ୍ୟାପିଲା ପାବକରେଖା ।

 

ବସି ଦକ୍ଷ ଯଜ୍ଞେ ବିଚାରିଲେ ପ୍ରାଜ୍ଞେ

ଆସିଲା ପ୍ରଳୟ ଯୋଗ

ଭୃଗୁ ପୁରୋହିତ ହୋଇ ଅବହିତ

ମନ୍ତ୍ରକୁ କଲେ ପ୍ରୟୋଗ ।

 

ସ୍ତମ୍ଭନ ଜାରଣ ମୋହନ ମାରଣ

ପୁନଶ୍ଚ ବଶୀକରଣ

ବୀରଭଦ୍ର ରୋଧ- ନିମନ୍ତେ ସୁବୋଧ

ପଢ଼ିଲେ ଭୃଗୁ ବ୍ରାହ୍ମଣ ।

 

ଦେଖିଲେ ସକଳ ମନ୍ତ୍ର ଚଣ୍ଡବଳ

ଧରି ନିଜ କଳେବର

ପିଶାଚକୁ ଦେଖି ସ୍ୱସ୍ଥାନ ଉପେକ୍ଷି

ପଳାଇଲେ ସ୍ଥାନାନ୍ତର ।

 

ଯୋଗବଳେ ବସି ଜାଣିଲେ ତପସ୍ୱୀ

ଶିବ ଶକ୍ତି ଅନିବାର୍ଯ୍ୟ

ଶିବେ ଅନାଦର ଅମଙ୍ଗଳ ଘର

ତେଣୁ ସେ ଅକୃତକାର୍ଯ୍ୟ ।

 

ବିଫଳ ପ୍ରଯତ୍ନ ହୋଇ ବିପ୍ରରତ୍ନ

ବସିଣ ମାନସ ଦୁଃଖେ

ବୋଇଲେ ନୃପତି ଆସିଲା ବିପତ୍ତି

ଦେଖ ପିଶାଚ ସମ୍ମୁଖେ ।

 

ଶିବଦ୍ରୋହ ଫଳେ ଏ ଯଜ୍ଞ ମଣ୍ଡଳେ

ବେଦୋକ୍ତ ମନ୍ତ୍ରସକଳ

ହରାଇଲେ ବଳ ଦେଖ ଅମଙ୍ଗଳ

ସବୁ କଲାଣି ବିଫଳ ।

 

ଆଶ୍ର ମଦ ମୋହ କଲେ ରୁଦ୍ରେ ଦ୍ରୋହ

ସଂସାରେ ଅନ୍ୟ ରକ୍ଷକ

ନାହିଁ ପ୍ରଜାପତି ଗଲା ତୋ ସମ୍ପତ୍ତି

ଦେଖ ଆସୁଛି ଭକ୍ଷକ ।

 

ସର୍ବ ଦେବସେବ୍ୟ ପ୍ରଭୁ ମହାଦେବ

ତାଠାରେ ବୈର ଆଚରି

ପଶିଲେ ଶରଣ ସ୍ୱୟଂ ନାରାୟଣ

ନ ପାରିବେ ରକ୍ଷାକରି ।

 

ବହ୍ମା ହରିହର ଅଟନ୍ତି ଶଙ୍କର

କଲ ତାଙ୍କ ଅନାଦର

ଆସିଲା ମରଣ ନାହିଁ ନିବାରଣ

ଜାଣ ପ୍ରଜାପତି ବର ।

 

ଏହି ମନ୍ତ୍ରଶକ୍ତି- ବଳେ ପ୍ରଜାପତି

ନନ୍ଦୀ ହେଲେ ପରାଭୂତ

ଏବେ ସେହି ମନ୍ତ୍ର ହେଲା ପରତନ୍ତ୍ର

ମଣଇ ଏହା ଅଦ୍ଭୁତ ।

 

ମହା ଶକ୍ତିଶାଳୀ ଅଟନ୍ତି କପାଳୀ

କରିବେ ଏବେ ସଂହାର

ମୁଁ ହୀନ ପାମର ଶିବ ଭକ୍ତବର

ନନ୍ଦୀଙ୍କୁ କଲି ପ୍ରହାର ।

 

ନ ଜାଣି ଶଙ୍କର ଶକ୍ତି ମୁଁ ପାମର

କରିଛି ସୁକର୍ମ ଦାହ

ଶିବହୀନ ଯାଗ ପାଇଁ ମହାଭାଗ

ଦେଲି ତୁମ୍ଭଙ୍କୁ ପ୍ରୋତ୍ସାହ ।

 

ତୁମ୍ଭେ ପୁଣି ଗର୍ବ ଅଭିମାନେ ସର୍ବ

ହରାଇଛ ପୁଣ୍ୟ ଫଳ

ଶଙ୍କର ନିନ୍ଦାରେ ପଡ଼ିଲ ଧନ୍ଦାରେ

ହରାଇ ସୁକୃତିବଳ ।

 

ଏମନ୍ତେ ବିକଳେ ଅଧ୍ୱର-ମଣ୍ଡଳେ

ଋଷି କହୁଁ କହୁଁ ଦୁଃଖେ

ଧରି ଶୂଳ କରେ ଆସିଲେ ସତ୍ୱରେ

ପିଶାଚ ଯଜ୍ଞ ସମ୍ମୁଖେ ।

 

ଦେଖି ଭୀଷ୍ମ ମୂର୍ତ୍ତି ଉଗ୍ର ଦଂଷ୍ଟ୍ରାପଂକ୍ତି

ପଳାଇଲେ ସଭାସଦ

ନେତ୍ରକୁ ତରାଟି ମେଲି ଉଚ୍ଚେ ପାଟି

ସଙ୍ଗେ ଧରି ପରିଷଦ ।

 

ପଶିଲେ ଅଧ୍ୱରେ ବୀରଭଦ୍ର ଖରେ

ଦୃଢ଼େ ଧରି ଦକ୍ଷକେଶ

ଆକର୍ଷି ପ୍ରଚଣ୍ଡେ ଘୋସାରିଲେ ଚାଣ୍ଡେ

କମ୍ପାଇ ଭୀଷଣ ବେଶ ।

 

ଗଳା ଦେଲେ ଚିପି ଆଖି ଦେଲେ ଟିପି

ଗତାସୁ ହେଲେ ନୃପତି

ଧାଇଁଲେ ବ୍ୟଗ୍ରରେ ମହା କ୍ରୋଧଭରେ

ଭୃଗୁ ପାଶେ ସେନାପତି ।

 

ଶ୍ମଶ୍ରୁ ଧରି କରେ ଟାଣନ୍ତେ ରୁକ୍ଷରେ

ଭୃଗୁ ଛାଡ଼ି ଦେଲେ ଡକା

ବ୍ରାହ୍ମଣ ନ ମାର ତ୍ରାହି କର ବୀର

ନ ଶୁଣିଲେ ରଣରଙ୍କା ।

 

ଶ୍ମଶ୍ରୁ ଉତ୍ପାଟନେ ଭୀଷଣ ତାଡ଼ନେ

ଭୃଗୁ ହରାଇଲେ ଜ୍ଞାନ

ଭୀଷଣ ଅନଳ ଜଳନ୍ତେ ପ୍ରବଳ

ବିଧ୍ୱସ୍ତ ହେଲା ଆସ୍ଥାନ ।

 

ଏ ସମୟେ ହର ଆସିଣ ସତ୍ୱର

ପ୍ରବେଶିଲେ ସଭାସ୍ଥଳେ

ଦେଖିଲେ ରୁଚିରା ପତିବ୍ରତା ହୀରା

ସତୀ ପଡ଼ିଛନ୍ତି ତଳେ ।

 

ମୁଖଚନ୍ଦ୍ର ଜ୍ୟୋତି ଝଟକୁଛି ଅତି

ନିଷ୍ଠୁର ମୃତ୍ୟୁ-ଦେବତା

ହୋଇଛି ଅକ୍ଷମ ଶ୍ରୀଅଙ୍ଗ କୁସୁମ

ଆଣିବାରେ ମଳିନତା

 

ଶବ ସ୍କନ୍ଧେ ଧରି ହୃଦେ ଶୋକ ଭରି

ବାହୁଡ଼ନ୍ତେ ପ୍ରଭୁ ହର

ଯୋଡ଼ି ବେନି ପାଣି ଦକ୍ଷନୃପରାଣୀ

ଆସି ମିଳିଲେ ଆଗର ।

 

ତ୍ରାହି ତ୍ରାହି ହର ପ୍ରଭୁ ବିଶ୍ୱମ୍ଭର

ତ୍ରାହି ପ୍ରପନ୍ନ-ପାଳକ

ତ୍ରାହି ପୁଣ୍ୟଧାମ ନେତ୍ର ଅଭିରାମ

ତ୍ରାହି ମଙ୍ଗଳ କାରକ ।

 

ତ୍ରାହି ତ୍ରାହି ଶମ୍ଭୋ ସର୍ବବିଶ୍ୱବିଭୋ

ତ୍ରାହି ତ୍ରାହି ଆଶୁତୋଷ

ତ୍ରାହି ଭୂତେଶ୍ୱର ତ୍ରାହି ଦେବବର

ତ୍ରାହି ସର୍ବଶୁଭ-କୋଷ ।

 

ବିଘ୍ନବିନାଶନ ତ୍ରାହି ହେ ଈଶାନ

ତ୍ରାହି ଶର୍ବ ଗୌରୀଧବ

ତ୍ରାହି ହେ ବରଦ ଅଖିଳ ଶୁଭଦ

ତ୍ରାହି ତ୍ରାହି ପ୍ରଭୋ ଭବ

 

କରୁଣା-ସାଗର ତ୍ରାହି ପରାତ୍ପର

ତ୍ରାହି କୈଳାସ-ବିଳାସ

ତ୍ରାହି ଦିଗମ୍ୱର ତ୍ରାହି ସତୀବର

ତ୍ରାହି ସର୍ବଭୂତାବାସ ।

 

କାତ୍ୟାୟନୀ-ପତି ତ୍ରାହି ମହାମତି

ତ୍ରାହି ତ୍ରିଭୁବନେଶ୍ୱର

ଶରଣ-ରକ୍ଷଣ ବିପଦ-ବାରଣ

ତ୍ରାହି ତ୍ରାହି ହେ ଶଙ୍କର ।

 

ତ୍ରାହି ହେ ଶରଣ୍ୟ ଗୀର୍ବାଣ-ବରେଣ୍ୟ

ତ୍ରାହି ତ୍ରାହି ପଞ୍ଚାନନ

ହେ ଦୀନବାନ୍ଧବ ତ୍ରାହି ଉମାଧବ

ତ୍ରାହି ତ୍ରାହି ତ୍ରିଲୋଚନ ।

 

ହେ ପ୍ରମଥନାଥ ସ୍ଥାଣୁ ବିଶ୍ୱତାତ

ତ୍ରାହି ତ୍ରିପୁର-ଅନ୍ତକ

ହେ କୈଳାସବାସି ପ୍ରଭୋ ଅବିନାଶି

ତ୍ରାହି ଅନ୍ଧକ-ଘାତକ ।

 

ହେ ଚନ୍ଦ୍ରଶେଖର ଗଉରୀ ଶଙ୍କର

ତ୍ରାହି ତ୍ରାହି ଗଙ୍ଗାଧର

ତ୍ରାହି ମୃତ୍ୟୁଞ୍ଜୟ ଅବ୍ୟୟ ଅକ୍ଷୟ

ତ୍ରାହି ତ୍ରାହି ବିଶ୍ୱାଧାର ।

 

ତ୍ରାହି ପଶୁପତି ଜଗତର ଗତି

ସୁରନର ପତି ଶିବ

ତ୍ରାହି ଚରାଚର- ରକ୍ଷକ ଶଙ୍କର

ଶ୍ୱେତକଣ୍ଠ ନୀଳଗ୍ରୀବ ।

 

ତ୍ରାହି ବୃଷକେତୁ ସାରାସାର ହେତୁ

ତ୍ରାହି ବୃନ୍ଦାରକ ସାର

ଦୁଃଖତମୋନାଶି ସର୍ବଭୂତବାସି

ତ୍ରାହି କୃପା-ପାରାବାର ।

 

ହେ ଶଶାଙ୍କମୌଳି ତ୍ରାହି ହେ ତ୍ରିଶୂଳି

ତ୍ରାହି ବ୍ୟାଘ୍ରଚର୍ମବାସ

ତ୍ରାହି ସୁରବର ଶ୍ୱେତକଳେବର

ତ୍ରାହି ତ୍ରାହି ହେ ପଞ୍ଚାସ୍ୟ ।

 

ହେ ନାଗଭୂଷଣ ବିଜିତଦୂଷଣ

ତ୍ରାହି ସିତତନୁ ପ୍ରଭୋ

ତ୍ରାହି ମହାଦେବ ସର୍ବଭୂତ ସେବ୍ୟ

ତ୍ରାହି ହେ କପାଳି, ଶମ୍ଭୋ ।

 

ତ୍ରାହି ଭୋଳାନାଥ ଅନାଥର ନାଥ

ତ୍ରାହି ଅଗତିର ଗତି

ତ୍ରାହି ହେ ପିନାକି ଚରାଚରସାକ୍ଷି

ତ୍ରାହି ତ୍ରିଭୁବନ-ପତି ।

 

ତ୍ରାହି ସଦାଶିବ ପ୍ରଫୁଲ୍ଲ ରାଜୀବ-

ମୁଖ କପର୍ଦି ଧୂର୍ଜଟି

ଦୁର୍ବଳର ବଳ ହେ ଦାସବତ୍ସଳ

ତ୍ରାହି ହେ କୃପାଳୁ ଜଟି ।

 

ବୃଷଭ-ବାହନ ବିପଦ-ଦହନ

ତ୍ରାହି ଶୁଭ ନିକେତନ

ସତ୍‌ ଚିଦାନନ୍ଦ ସର୍ବ-ଜନ-ବନ୍ଦ୍ୟ

ତ୍ରାହି ସତ୍ୟ ସନାତନ ।

 

ଅମରବରିଷ୍ଠ ଯୋଗୀନ୍ଦ୍ରଗରିଷ୍ଠ

ଶରଣାଗତରକ୍ଷଣ

ତ୍ରାହି ହେ ତ୍ର୍ୟମ୍ୱକ ଅନ୍ଧକ-ଅନ୍ତକ

ତ୍ରାହି କମଳ-ଈକ୍ଷଣ ।

 

ବିଭୂତି ଭୂଷଣ ଆରତି-ମର୍ଷଣ

ଡମ୍ୱରୁଶୋଭିତକର

ତ୍ରାହି ଦକ୍ଷାଧ୍ୱର- ବିଧ୍ୱଂଶନ ହର

ସକଳସଦ୍‌ଗୁଣାକର

 

ଚନ୍ଦ୍ର-ବହ୍ନି-ଅର୍କ- ଲୋଚନ ପାବକ

ଜୟ ଜୟ ଗୁଣାଧାର

ମହାଶକ୍ତିଶାଳି କାଳୀଗଳାମାଳି

ଭବାର୍ଣ୍ଣବ-କର୍ଣ୍ଣଧାର ।

 

ଅନାଦି ଅନନ୍ତ ଭଗବତୀକାନ୍ତ

ହେ ଦେବ ମଉଡ଼ମଣି

ପ୍ରସନ୍ନବଦନ କଳୁଷ ମର୍ଦ୍ଦନ

ଶାନ୍ତି-କ୍ଷାନ୍ତି-ଦୟା-ଖଣି ।

 

ତ୍ରାହି ମହାକାଳ ତ୍ରିଭୁବନପାଳ

ତ୍ରାହି ତ୍ରିପୁରମାରଣ

ହେ ଭକ୍ତ-ରଞ୍ଜନ ଗରବ-ଗଞ୍ଜନ

ଜାହ୍ନବୀଜଳ ଧାରଣ ।

 

ଜୟ ଚନ୍ଦ୍ରଚୂଡ଼ ମତ ଲୋକେ ଗୂଢ଼

ଅଟଇ ତୁମ୍ଭ ଶକତି

ଲଭ ଦେବ ଶାନ୍ତି କର ଦୋଷ କ୍ଷାନ୍ତି

କ୍ଷମା ସିନ୍ଧୁ ପଶୁପତି ।

 

ବୈଧବ୍ୟ-ବିଧୁରା ନ ହୁଏ ମୁଁ ମୁଢ଼ା

କର ମୋତେ ପତି ଦାନ

କରୁଛି ବିନତି ବଞ୍ଚାଅ ମୋ ପତି

ପ୍ରଭୋ କୃପାଳୁ ଈଶାନ !

 

ଲଭିଲେ ସନ୍ତୋଷ ପ୍ରଭୁ ଆଶୁତୋଷ

ଦକ୍ଷନାରୀ ସ୍ତୁତି ଶୁଣି

ସତୀ ଧରି ସ୍କନ୍ଧେ ଫେରିଲେ ଆନନ୍ଦେ

ଅଧ୍ୱର-ମଣ୍ଡପେ ପୁଣି ।

 

ଦକ୍ଷ ଅଙ୍ଗେ କର ଲଗାନ୍ତେ ଶଙ୍କର

ଜୀବନ ଗଲା ସଞ୍ଚରି

ଉଠି ପ୍ରଜାପତି ମହାଭୟେ ଅତି

ହର ପଦଯୁଗ ଧରି,

 

ଶୁଦ୍ଧ ଭକ୍ତି ଭରେ ଶ୍ରୀପଦ ପଦ୍ମରେ

କଲେ ସାଷ୍ଟାଙ୍ଗ ପ୍ରଣାମ

ଶଙ୍କିତ ମନରେ ଛାଗଳ ସ୍ୱନରେ

କହିଲେ ହେ ପୁଣ୍ୟଧାମ ।

 

ମହା ଅପରାଧୀ ପାପୀ ନିନ୍ଦାବାଦୀ

କିପାଇଁ ଦେଲ ଜୀବନ

ଧିକ ମୋ ଜନମ ଧିକ ମୋ କରମ

ଧିକ ଧନ ଯଉବନ ।

 

ଧିକ ମୋ ରାଜତ୍ୱ ବଳ ଓଜ ସତ୍ତ୍ୱ

ଧିକ ପ୍ରଜାପତି ପଣ

ଧିକ ମୋ ବିଭବ ଧିକ ମୋ ଗରବ

ଧିକ ମୋ ଯଜ୍ଞକରଣ ।

 

ଧିକ ମୋ ଅଧ୍ୱର ପ୍ରଭୋ ଦେବବର

ନ ଚିହ୍ନିଲି ତୁମ୍ଭ ରୂପ

ଧିକ ମୋ ବିଭୂତି ଧିକ ମୋ ପ୍ରସୂତି

ନିଖିଳବ୍ରହ୍ମାଣ୍ଡ ଭୂପ ।

 

ଧନ୍ୟ ମୋ ରମଣୀ ନାରୀ ଶିରୋମଣି

ଚିହ୍ନିଲା ତୁମ୍ଭ ଶକତି

ଧିକ ମୋ ପୌରୁଷ ପ୍ରଭୁ ଆଶୁତୋଷ

ଧିକ ମୋର ଖଳମତି ।

 

କାହିଁ ହେବ ଯୋଗ୍ୟ ଏଡ଼େ ହତଭାଗ୍ୟ

ହେବାକୁ ତୁମ୍ଭ ଶ୍ୱଶୁର

ସାଧ୍ୱୀ ଅଗ୍ରଗଣ୍ୟା ମୋର ସତୀ କନ୍ୟା

ନାଶିଲି ମୁହିଁ ଅସୁର ।

 

ପତ୍ନୀ ତପୋବଳେ ଆସି ଧରାତଳେ

ଜନମିଥିଲେ ମୋ ଘରେ

ମୁହିଁ ଦୁରାଚାର କୁବାକ୍ୟ-ପ୍ରହାର

କରି ନାଶିଲି ଅଧ୍ୱରେ ।

 

ଶଙ୍କର-ନିନ୍ଦୁକ ମୋ ସମ ଘାତକ

ଘରେ ଧାତା ଆଣି ତୋତେ

ଦେଲେଟି କଷଣ ଗୋ ସତୀଭୂଷଣ

ଶତବାର ଧିକ ମୋତେ ।

 

ଯାଅ ମା ଶରଣ୍ୟେ ବରଦେ ବରେଣ୍ୟେ

ସର୍ବ ମଙ୍ଗଳ-ମାଙ୍ଗଲ୍ୟେ

ମୋ ପରି ଗରିଷ୍ଠ ଅଶିଷ୍ଟ ପାପିଷ୍ଠ

ପିତା ନ ପାଅ ଭୂତଳେ ।

 

ସର୍ବ ଗୁଣାଧାର ମଙ୍ଗଳ ଆଗାର

ଯୋଗିଜନଧ୍ୟାନଗମ୍ୟ

କ୍ଷମ ଅପରାଧ ହେ ଦେବ ଆରାଧ୍ୟ

ତୁମ୍ଭ ପଦେ ନମୋନମ ।

 

ଅନନ୍ତମୂରତି ଅନନ୍ତକୀରତି

ଶାଶ୍ୱତ ପୁରୁଷୋତ୍ତମ

ଯୁଗ କୋଟି କୋଟି କାଳେ ଅଛ ଘୋଟି

ତୁମ୍ଭ ପଦେ ନମୋନମ ।

 

ହେ ବ୍ରହ୍ମଣ୍ୟ ଦେବ ସର୍ବଭୂତ-ସେବ୍ୟ

ଶ୍ୱେତ ଅଙ୍ଗ କାନ୍ତି ରମ୍ୟ

ଗୋବ୍ରାହ୍ମଣ ହିତ- ସାଧକ ପବିତ୍ର

ତୁମ୍ଭ ପଦେ ନମୋନମ ।

 

କୋଟିଭାନୁଜିଣା ଜନମନକିଣା

ଶାନ୍ତମୁଖ ଅନୁପମ

ଜଗତ ପାବନ ଶିବ ପଞ୍ଚାନନ

ପଦ୍ମପଦେ ନମୋନମ ।

 

ସହସ୍ରବଦନ ସହସ୍ରନୟନ

ସହସ୍ରସହସ୍ରନାମ

ଭବଭୟହର ପ୍ରଭୋ ବିଶ୍ୱମ୍ଭର

ତୁମ୍ଭ ପଦେ ନମୋନମ ।

 

ସହସ୍ରଶ୍ରବଣ ସହସ୍ରଚରଣ

ସତୀ ଦେବୀ ପ୍ରିୟତମ

ଅନନ୍ତ ସମୟ- ବ୍ୟାପକ ଚିନ୍ମୟ

ତୁମ୍ଭ ପଦେ ନମୋନମ ।

 

ସର୍ବଥା ଶରଣ୍ୟ ଅମର-ବରେଣ୍ୟ

ହେ ଦେବ ପରମ ବ୍ରହ୍ମ

ଅଚିନ୍ତ୍ୟସ୍ଵରୂପ ବସୁମତୀଭୂପ

ତୁମ୍ଭ ପଦେ ନମୋନମ ।

 

ନିଖିଳ ବିଧାତା ସର୍ବପ୍ରାଣିପାତା

ଦେବତା ମଧ୍ୟେ ପରମ

କ୍ଷମ ଦୋଷିଦୋଷ ପ୍ରଭୁ ଆଶୁତୋଷ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ କ୍ଷମା ଦୟା ଶାନ୍ତି ଅନସୂୟା

ତୁମ୍ଭେ ହିଁ ଲଜ୍ଜା ଭରମ

ତୁମ୍ଭେ ଅନ୍ଧକାର ଆଲୋକ ସଞ୍ଚାର

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ବର ଜପ ତୁମ୍ଭେ ଶ୍ରେଷ୍ଠ ତପ

ତୁମ୍ଭେ ପାବନ ଧରମ

ତୁମ୍ଭେ ପିତାମାତା ଗୁରୁ ଜ୍ଞାନଦାତା

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ସତ୍ତ୍ୱରଜ ତୁମ୍ଭେ ଓଜ ତେଜ

ତୁମ୍ଭେ ହିଁ ଦୁର୍ଗୁଣ ତମ

ତୁମ୍ଭେ ଜଳ ସ୍ଥଳ ଆକାଶମଣ୍ଡଳ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ହିଁ ପ୍ରକୃତି ତୁମ୍ଭେ ବିଶ୍ୱମୂର୍ତ୍ତି

ତୁମ୍ଭେ ସକଳ କରମ

ତୁମ୍ଭେ ହିଁ ସମୀର ରୁଚିରାରୁଚିର

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ହିଁ ଜୀବନ ତୁମ୍ଭେ ହିଁ ମରଣ

ତୁମ୍ଭେ ଅଟ ଅନୁତ୍ତମ

ତୁମ୍ଭେ ସଦାଶିବ ତୁମ୍ଭେ ହିଁ ଅଶିବ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ଧଳା କଳା ପୁରୁଷ ଅବଳା

ତୁମ୍ଭେ ଆୟୁଧ ଉତ୍ତମ

ତୁମ୍ଭେ ଅଟ ଜ୍ୟୋତି ତୁମ୍ଭେ ଅଟ ମୋତି

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ହିଁ ସଂସାର ତୁମ୍ଭେ ସାରାସାର

ତୁମ୍ଭେ ଅନୁକମ୍ପା ପ୍ରେମ

ତୁମ୍ଭେ ହିଁ ସଗୁଣ ତୁମ୍ଭେ ହିଁ ନିର୍ଗୁଣ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ମେଦ ମାଂସ ଅସ୍ଥି ମଜ୍ଜା କାଶ

ତୁମ୍ଭେ ହିଁ ଶରୀରିଚର୍ମ

ତୁମ୍ଭେ ବିଜ୍ଞ ସୁର ତୁମ୍ଭେ ଦସ୍ୟୁ ଚୋର

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ହିଁ ବରୁଣ ଇନ୍ଦ୍ର ରବି ପୁଣ

ତୁମ୍ଭେ କାଳରୂପୀ ଯମ

ତୁମ୍ଭେ ହିଁ ସମୟ ତୁମ୍ଭେ ହିଁ ଚିନ୍ମୟ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ହିଂସା କ୍ରୋଧ ନିର୍ବୋଧ ସୁବୋଧ

ତୁମ୍ଭେ ହିଁ ପ୍ରାଣୀଙ୍କ ଢମ

ତୁମ୍ଭେ ସଂଖ୍ୟାବଳି ତୁମ୍ଭେ ପୁଷ୍ପକଳି

ତୁମ୍ଭ ପଦେ ନମୋନମ ।

 

ମଧୂପ-ଗୁଞ୍ଜନ କୋକିଳ-କୁଜନ

ତୁମ୍ଭେ ଅଟ ଶମ ଦମ

ପାଦପ ଲତିକା ତୁମ୍ଭେ ଅଟ ଏକା

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ରାଜପଥ ତୁମ୍ଭେ ପ୍ରଭୁ ଭୃତ୍ୟ

ତୁମ୍ଭେ ଅଟ କୁଟୀ ହର୍ମ୍ୟ

ତୁମ୍ଭେ ହିଁ ସର୍ବସ୍ୱ ତୁମ୍ଭେ ଅଟ ବିଶ୍ୱ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ଅଟ ଯତି ତୁମ୍ଭେ ଅଟ ପତି

ତୁମ୍ଭେ ହିଁ ପୁଣ୍ୟ ଆଶ୍ରମ

ତୁମ୍ଭେ ଅଟ ଯଜ୍ଞ ତୁମ୍ଭେ ଅଟ ପ୍ରଜ୍ଞ

ତୁମ୍ଭ ପଦେ ନମୋନମ ।

 

ତୁମ୍ଭେ ଅଟ ଋତୁ ତୁମ୍ଭେ ଅଟ ମୃତ୍ୟୁ

ତୁମ୍ଭେ ଶୀତଳ ଗରମ

ତୁମ୍ଭେ ଦିବା ରାତ୍ରି ବାନ୍ଧବ ଅରାତି

ତୁମ୍ଭ ପଦେ ନମୋନମ ।

 

ଭୋ ଦୀନବାନ୍ଧବ ମୋର ସୁତାଧବ

ମୋର ଅପରାଧ କ୍ଷମ

ତୁମ୍ଭେ ପଦ୍ମାସନ ସୁପର୍ଣ୍ଣ-ବାହନ

ତୁମ୍ଭ ପଦେ ନମୋନମ ।

 

ଦକ୍ଷ ସ୍ତୁତି ବାଣୀ ଶୁଣି ଶୂଳପାଣି

କହିଲେ ବାକ୍ୟ ଗମ୍ଭୀରେ

ଯାଅ ପ୍ରଜାପତି ଅଧ୍ୱର ସମାପ୍ତ

ନିର୍ବାହ ଯଜ୍ଞଭୂମିରେ ।

 

ତହୁଁ ପ୍ରଜାପତି ଭକ୍ତିଭରେ ଅତି

ଜଣାଇଲେ ଯୋଡ଼ି କର

ପୁରୋହିତ ପ୍ରଭୁ ଆରୋଗ୍ୟକୁ ଲଭୁ

ଏଥି ଭୃଗୁ ବିପ୍ରବର ।

 

ଦକ୍ଷ ଅନୁରୋଧ ଶ୍ରବଣେ ସୁବୋଧ

ଶିବ ଯାଇ ଭୃଗୁ ପାଶେ

ବୁଲାଇଲେ କର ଅମର ପ୍ରବର

ମୃଦୁଳେ ଭୃଗୁଙ୍କ ଆସ୍ୟେ ।

 

ଭୃଗୁ ମହାଭାଗ ହୋଇଲେ ନୀରୋଗ

ମୁଖେ ପ୍ରକାଶିଲା ଶ୍ମଶ୍ରୁ

ଦେଖି ଏ ବରିଷ୍ଠ ଘଟଣା ବିଶିଷ୍ଟ

ଅର୍ଘ୍ୟେ ବନ୍ଦାଇଲେ ଶ୍ୱଶ୍ରୁ ।

 

ଶାଶୁଙ୍କ ବିନୟ ମଧୁ ଅନୁନୟ

ଶୁଣି ପ୍ରଭୁ ମୃତ୍ୟୁଞ୍ଜୟ

ସତୀ ଶବେ ଜୀବ ଦେବାପାଇଁ ଶିବ

କରନ୍ତେ ଚିତ୍ତେ ନିର୍ଣ୍ଣୟ,

 

ହେଲା ଶୂନ୍ୟ-ବାଣୀ ‘‘ପ୍ରଭୋ ଶୂଳପାଣି

କରିଛି ଅଟଳ ପଣ

ଦକ୍ଷକନ୍ୟା ହୋଇ ନ ଦେଖିବି ମହୀ

ତେଣୁ ବରିଛି ମରଣ ।

 

ଜନ୍ମି ଅନ୍ୟ ଘରେ ଦେବ ଜନ୍ମାନ୍ତରେ

ସେବିବି ଶିବଚରଣ

ଏ ଅପୂତ ଦେହେ ନ କରନ୍ତୁ ସ୍ନେହେ

ପୁଣ ପ୍ରାଣ ସଞ୍ଚାରଣ ।’’

 

ଶୁଣି ଶୂନ୍ୟ ବାଣୀ ଯୋଡ଼ି ବେନି ପାଣି

କହିଲେ ଦକ୍ଷ ବିନୟେ

କ୍ଷମ ମାତ ଦୋଷ ଛାଡ଼ ହୃଦୁଁ ରୋଷ

କରୁଣାବରୁଣାଳୟେ ।

 

‘‘ଅଲଂଘ୍ୟ ମୋହର ପ୍ରତିଜ୍ଞା ପିଅର’’

ବୋଲେ ଅଶରୀରୀ ଗିର

‘‘ସତୀ ଦେହେ ରହି ନ ଦେଖିବି ମହୀ

ତେଣୁ ତେଜିଛି ଶରୀର ।

 

ଶିବେ ଶୁଦ୍ଧଭକ୍ତି ଦୃଢ଼ ଅନୁରକ୍ତି

ଦେଖାଇବାରୁ ଭୂପାଳ

ଦକ୍ଷର ଦୁଲଣୀ ମୋର ‘‘ଦାକ୍ଷାୟଣୀ’’

ନାମ ଥିବ ଚିରକାଳ ।’’

 

ଅଶରୀରୀ ବାଣୀ ଶୁଣି ଦକ୍ଷରାଣୀ

ବିକଳେ କଲେ କ୍ରନ୍ଦନ

ସର୍ବ ଶୁଭଧାମ ଶିବଙ୍କୁ ପ୍ରଣାମ

କରି ଗମିଲେ ସଦନ ।

 

ଅଧ୍ୱର ସମାପ୍ତି କଲେ ପ୍ରଜାପତି

ଶିବେ ଦେଇ ହବିର୍ଭାଗ

ସତୀଶବ ଧରି ଗଲେ ତ୍ରିପୁରାରି

ସମାପ୍ତ ହୋଇଲା ଯାଗ ।

 

ଧରି ସୁଦର୍ଶନ ଗରୁଡ଼ ଆସନ

ରୁଦ୍ର ପଛେ ପଛେ ରହି

ଚକ୍ର ଧାରେ ଆଣ୍ଟି ଶବ ଦେଲେ କାଟି

ହସ୍ତୁଁ ପଡ଼ିଗଲା ମହୀ ।

 

ସତୀ ଶବ-ଅଙ୍ଗ ହୋଇ ବିକଳାଙ୍ଗ

ଖସନ୍ତେ ଚକ୍ରଧାରରେ

ହେଲେ ଆବିର୍ଭୂତା ଶ୍ରୀଅଙ୍ଗ ସମ୍ଭୂତା

ପୀଠଦେବୀ ଧରା ପରେ ।

 

ବୀରଜା ମଙ୍ଗଳା ତାରିଣୀ ସାରଳା

କାମାକ୍ଷୀ ଶ୍ରୀ ଭଗବତୀ

ଏକ ପଞ୍ଚାଶତ ପୀଠେ ଆବିର୍ଭୂତ

ହେଲେ ମର୍ତ୍ତ୍ୟପୁରେ ସତୀ ।

 

ସତୀପ୍ରେମଭୋଳ ଥିବାରୁ ବିହ୍ୱଳ

ଜାଣି ନ ପାରି ଶଙ୍କର

କଇଳାସ ଯାଇଁ ଦେଖିଲେ ଗୋସାଇଁ

ହୋଇଛନ୍ତି ଶୂନ୍ୟ କର ।

 

ଯୋଗାସନେ ଶିବ ପ୍ରଭୁ ନୀଳଗ୍ରୀବ

ବସି ଜାଣିଲେ ଧ୍ୟାନରେ

ହିମାଚଳ ଘରେ ସତୀ ଜନ୍ମାନ୍ତରେ

ଜନ୍ମିବେ ଉମା ନାମରେ ।

Image